Site icon ଆଜିକାଲି

କୁସ୍ତି ସଂଘ ବିବାଦ: କ୍ରୀଡା ମନ୍ତ୍ରୀଙ୍କ ପ୍ରତିଶ୍ରୁତି ପରେ ଆନ୍ଦୋଳନ ଶେଷ କଲେ କୁସ୍ତିଯୋଦ୍ଧା

ନୂଆଦିଲ୍ଲୀ: ଭାରତୀୟ କୁସ୍ତି ମହାସଂଘ (ଡବ୍ଲୁଏଫ୍ଆଇ) ସଭାପତିଙ୍କ ବିରୋଧରେ ଦିଲ୍ଲୀର ଜନ୍ତର ମନ୍ତରରେ ବିକ୍ଷୋଭ ପ୍ରଦର୍ଶନ କରୁଥିବା କୁସ୍ତିଯୋଦ୍ଧାମାନେ ନିଜ ଆନ୍ଦୋଳନ ଶେଷ କରିଛନ୍ତି । ଶୁକ୍ରବାର ବିଳମ୍ବିତ ରାତି ପର୍ଯ୍ୟନ୍ତ କ୍ରୀଡ଼ା ମନ୍ତ୍ରୀ ଏବଂ କୁସ୍ତିଯୋଦ୍ଧାଙ୍କ ମଧ୍ୟରେ ଆଲୋଚନା ହୋଇଥିଲା। ଯାହା ପରେ କୁସ୍ତିଯୋଦ୍ଧା ସେମାନଙ୍କର ପ୍ରଦର୍ଶନ ଶେଷ କରିବାକୁ ଘୋଷଣା କରିଥିଲେ | ଏହା ସହିତ ଏକ କମିଟି ଘୋଷଣା କରାଯାଇଛି ଯାହାକି ୪ ସପ୍ତାହ ମଧ୍ୟରେ ରିପୋର୍ଟ ଦାଖଲ କରିବ । ଯାଞ୍ଚ ଶେଷ ନହେବା ପର୍ଯ୍ୟନ୍ତ କୁସ୍ତି ସଂଘର କାର୍ଯ୍ୟ ମଧ୍ୟ କମିଟି ଦ୍ୱାରା ତଦାରଖ କରାଯିବ। କୁସ୍ତି ସଂଘର ବର୍ତ୍ତମାନର ସଭାପତି ବ୍ରଜ ଭୂଷଣ ଶରଣ ସିଂହ ତଦନ୍ତ ଶେଷ ନହେବା ପର୍ଯ୍ୟନ୍ତ ସଂଘ କାର୍ଯ୍ୟରୁ ଦୂରେଇ ରହିବେ ଏବଂ ତଦନ୍ତରେ ସହଯୋଗ କରିବେ।

କୁସ୍ତିଯୋଦ୍ଧାଙ୍କ ଅଭିଯୋଗର ସମାଧାନ ପାଇଁ ପ୍ରଥମ ପଦକ୍ଷେପ ଭାବେ ଡବ୍ଲୁଏଫ୍ଆଇର ସଭାପତି ବ୍ରଜ ଭୂଷଣ ଶରଣ ସିଂହଙ୍କୁ ସଭାପତି ପଦରୁ ଦୂରେଇ ଦିଆଯାଇଛି। କେନ୍ଦ୍ର କ୍ରୀଡ଼ା ମନ୍ତ୍ରୀ ଅନୁରାଗ ଠାକୁରଙ୍କ ସହ ହୋଇଥିବା ଦ୍ୱିତୀୟ ପର୍ଯ୍ୟାୟ ଆଲୋଚନାରେ ଅଚଳାବସ୍ଥା ଦୂର ହେବା ପରେ ଭିନେଶ ଫୋଗାଟ, ବଜରଙ୍ଗ ପୁନିଆ, ସାକ୍ଷୀ ମଲିକ ଏବଂ ରବି ଦହିଆଙ୍କ ସମେତ ଅନ୍ୟ କୁସ୍ତିଯୋଦ୍ଧାମାନେ ସେମାନଙ୍କର ଧର୍ମଘଟ ବନ୍ଦ କରିବାକୁ ନିଷ୍ପତ୍ତି ନେଇଥିଲେ। ଡବ୍ଲୁଏଫ୍ଆଇ ସଭାପତିଙ୍କ ବିରୋଧରେ ଯୌନ ଉତ୍ପୀଡ଼ନ ଏବଂ ଦୁର୍ନୀତି ଅଭିଯୋଗ ହୋଇଛି ।

ମାରାଥନ ବୈଠକ ପରେ କେନ୍ଦ୍ର କ୍ରୀଡ଼ା ମନ୍ତ୍ରୀ ଅନୁରାଗ ଠାକୁର କହିଛନ୍ତି, “ଏକ ମନିଟରିଂ କମିଟି ଗଠନ କରିବାକୁ ନିଷ୍ପତ୍ତି ନିଆଯାଇଛି । କମିଟି ସଦସ୍ୟଙ୍କ ନାମ ଆଜି ଘୋଷଣା କରାଯିବ। ଏହି କମିଟି ଚାରି ସପ୍ତାହ ମଧ୍ୟରେ ତଦନ୍ତ ଶେଷ କରିବ। ଡବ୍ଲୁଏଫ୍ଆଇ ଏବଂ ଏହାର ସଭାପତିଙ୍କ ବିରୋଧରେ ଆର୍ଥିକ ଅନିୟମିତତା ଓ ଯୌନ ନିର୍ଯାତନା ଅଭିଯୋଗର ଏହି କମିଟି ଗମ୍ଭୀରତାର ସହ ତଦନ୍ତ କରିବ। ସେହିପରି ଯାଞ୍ଚ୍ ଶେଷ ନ ହେବା ପର୍ଯ୍ୟନ୍ତ ସେ (ବ୍ରଜଭୁଷଣ) ସଭାପତି ପଦର ଦାୟିତ୍ୱରୁ ଦୂରେଇ ରହିବେ ଏବଂ ଯାଞ୍ଚରେ ସହଯୋଗ କରିବେ । ଡବ୍ଲୁଏଫ୍ଆଇର ଦୈନନ୍ଦିନ କାର୍ଯ୍ୟ ତଦାରଖ କରିବ ମନିଟରିଂ କମିଟି। ”

ସୂଚନା ଯେ, ଡବ୍ଲୁଏଫ୍ଆଇ ସଭାପତି ବ୍ରଜ ଭୂଷଣ ଶରଣ ସିଂଙ୍କ ବିରୋଧରେ ଯୌନ ଶୋଷଣ ଅଭିଯୋଗର ଯାଞ୍ଚ ପାଇଁ ଭାରତୀୟ ଅଲିମ୍ପିକ୍ ସଂଘ (ଆଇଓଏ) ମଧ୍ୟ ଏକ ସାତଜଣିଆ କମିଟି ଗଠନ କରିଛି। ଏହି କମିଟିର ସଦସ୍ୟମାନେ ହେଉଛନ୍ତି ମେରିକମ, ଯୋଗେଶ୍ୱର ଦତ୍ତ, ଡୋଲା ବାନାର୍ଜୀ, ଅଳକାନନ୍ଦ ଅଶୋକ, ସହଦେବ ଯାଦବ ଏବଂ ଦୁଇ ଓକିଲ।

Exit mobile version