Site icon ଆଜିକାଲି

ଜୁନ ୫ ରେ କେନ୍ଦୁଝର ଟ୍ରକ୍ ମାଲିକ ସଂଘ କାର୍ଯ୍ୟାଳୟରେ ତାଲା ପକାଇବାକୁ ନିଷ୍ପତି

କେନ୍ଦୁଝର, କେନ୍ଦୁଝର ଜିଲ୍ଲା ଟ୍ରକ୍ ମାଲିକ ସଂଘ ନିର୍ବାଚନରେ ଅହେତୁକ ବିଳମ୍ବକୁ ନେଇ ସାଧାରଣ ଟ୍ରକ୍ ମାଲିକଙ୍କ ମଧ୍ୟରେ ପ୍ରବଳ ଅସନ୍ତୋଷ ପ୍ରକାଶ ପାଇଛି। ଆଜି ଶତାଧିକ ମାଲିକ ଘଟଗାଁ ମା ତାରିଣୀ ପୀଠରେ ସମାବେଶରେ ଉପସ୍ଥିତ ହୋଇ ବେଆଇନ ଭାବେ ଗାଦି ମାଡ଼ି ବସିଥିବା କର୍ମକର୍ତ୍ତାଙ୍କ କବଳରୁ ସଂଘକୁ ମୁକ୍ତ କରିବାକୁ ଜୁନ ୫ରୁ ଦୁର୍ବାର ଆନ୍ଦୋଳନ କରିବାକୁ ନିଷ୍ପତି ନେଇଛନ୍ତି। ପୂର୍ବତନ ସଂଘ ସମ୍ପାଦକ ପ୍ରଦୀପ ବାରିକଙ୍କ ସଭାପତିତ୍ବରେ ଅନୁଷ୍ଠିତ ଏହି ବୈଠକରେ ସଂଘର କର୍ମକର୍ତ୍ତା ସଞ୍ଜୟ ସିଂହ, ରୁଦ୍ର ନାରାୟଣ ମିଶ୍ର, ପଦ୍ମଲୋଚନ ସାହୁ, ଭଗବାନ ସାହୁ, ରଞ୍ଜନ ବିଶ୍ଵାଳ, ଜିତେନ୍ଦ୍ର ପତି, ପୂର୍ବତନ ସଂଘ କର୍ମକର୍ତ୍ତା ରାମଚନ୍ଦ୍ର ଭୂୟାଁ, ନିହାର ଦାସ, ଦିଲ୍ଲୀପ ବଳ ପୂର୍ଣ୍ଣଚନ୍ଦ୍ର ସାହୁ, ପ୍ରଭାତ ରାଉତ, ସରୋଜ କୁମାର ନାୟକ ଏବଂ ବରିଷ୍ଠ ଟ୍ରକ୍ ମାଲିକ ସୁରେଶ ସାହୁ, ରାଜେନ୍ଦ୍ର ପଟ୍ଟନାୟକ, ଅୟସକାନ୍ତ ପଟ୍ଟନାୟକ, ନିଶିଥ ପଟ୍ଟନାୟକ, ପୂର୍ଣ୍ଣଚନ୍ଦ୍ର ବାରିକ ପ୍ରମୁଖ ଆଲୋଚନାରେ ଅଂଶଗ୍ରହଣ କରିଥିଲେ। ବର୍ତମାନ ଲୁହାପଥର ପରିବହନରେ ମାନ୍ଦାବସ୍ଥା ଚାଲିଥିବା ବେଳେ ଟ୍ରକ୍ ମାଲିକଙ୍କ ଜୀବନ ଓ ଜୀବିକା ସଙ୍କଟାପନ୍ନ ହୋଇଯାଇଛି। ଏପରି ସମୟରେ ଜିଲ୍ଲା ମାଲିକ ସଂଘର ଗୁରୁତ୍ଵପୂର୍ଣ୍ଣ ଭୂମିକା ରହିବା କଥା। କିନ୍ତୁ, ସଂଘର ସଭାପତି ଓ ସଂପାଦକଙ୍କ ସମେତ ୩/୪ ଜଣ ମୁଷ୍ଟିମେୟ କର୍ମକର୍ତ୍ତା ସଂଘ କାର୍ଯ୍ୟାଳୟକୁ ବେଆଇନ ଭାବରେ ଦଖଲ କରି ମନଇଚ୍ଛା ବାଣିଜ୍ୟିକ ଓ ଆର୍ଥିକ କାରବାର ଚଳାଇଛନ୍ତି। ୯ ମାସ ହେବ ନିର୍ବାଚିତ କର୍ମକର୍ତ୍ତାଙ୍କ କାର୍ଯ୍ୟକାଳ ଶେଷ ହୋଇଥିଲେ ମଧ୍ୟ ନିର୍ବାଚନ ପ୍ରକ୍ରିୟା ଆରମ୍ଭ ନ କରି ଦୁର୍ନୀତି ଓ ବେଆଇନ କାର୍ଯ୍ୟରେ ଲିପ୍ତ ଅଛନ୍ତି। ତେଣୁ ବେଆଇନ୍ ଭାବେ ଗାଦି ମାଡ଼ି ବସିଥିବା କର୍ମକର୍ତ୍ତାଙ୍କ କବଳରୁ ସଂଘକୁ ମୁକ୍ତ କରିବା ପାଇଁ ଆସନ୍ତା ଜୁନ୍ ୫ ତାରିଖରୁ ଅନିର୍ଦ୍ଦିଷ୍ଟ ସମୟ ଲାଗି ଆନ୍ଦୋଳନ କରାଯିବା ସହିତ ସଂଘ କାର୍ଯ୍ୟାଳୟରେ ତାଲା ପକାଇବାକୁ ବୈଠକରେ ନିଷ୍ପତ୍ତି ହୋଇଛି। ଉଲ୍ଲେଖଯୋଗ୍ୟ ଯେ, ନିର୍ବାଚନ ବିଳମ୍ବକୁ ନେଇ କିଛି ଦିନ ତଳେ ୧୧ ଜଣ ମାଲିକ ହାଇକୋର୍ଟରେ ନ୍ୟାୟ ପାଇଁ ଦ୍ବାରସ୍ଥ ହୋଇଥିଲେ। ହାଇକୋର୍ଟ ମାମଲାକୁ ବିଚାର ନିମନ୍ତେ ଗ୍ରହଣ କରି ୭ ଜଣଙ୍କୁ ନୋଟିସ ଜାରି କରିବା ସହିତ ଜୁନ ୨୬ରେ ଶୁଣାଣି କରିବାକୁ ସ୍ଥିର କରାଯାଇଛି। ସ୍ଥାନୀୟ ବେଲବାହାଳି ଠାରେ ସାଧାରଣ ମାଲିକଙ୍କ ଏକ ବୈଠକ ଅନୁଷ୍ଠିତ ହୋଇ ସଂଘ କାର୍ଯ୍ୟାଳୟରେ ତାଲା ପକାଇ ଦାଖଲ କରିବାକୁ ନିଷ୍ପତ୍ତି ମଧ୍ୟ ହୋଇଥିଲା। ବିଭୂତି ଗିରି, ବଳଭଦ୍ର ଗିରି, ରମେଶ ବଳ, ପ୍ରବୀର ସାହୁ, ବାବୁଲି ସାହୁ, ଅଜୟ ମହାନ୍ତି, ଅଭିମନ୍ୟୁ ବେହେରା ବୈଠକ ପରିଚାଳନା କରିଥିଲେ।

Exit mobile version