Site icon ଆଜିକାଲି

ଡାକ ବିଭାଗ ନିଯୁକ୍ତି ଘଟଣାରେ ୧୯ ଗିରଫ

ବଲାଙ୍ଗିର : ବଲାଙ୍ଗିର ଜିଲା ଡାକ ବିଭାଗରେ ନକଲି ସାର୍ଟିଫିକେଟ ଦେଇ ଚାକିରୀ କରିବା ଘଟଣାରେ ଟାଉନ ଥାନା ପୁଲିସ ୧୯ ଜଣଙ୍କୁ ଗିରଫ କରିଛି । ସେମାନଙ୍କ ମଧ୍ୟରେ ସାର୍ଟିଫିକେଟ୍ ଯୋଗାଉଥିବା ମାଷ୍ଟର ମାଇଣ୍ଡ ମନୋଜ ମିଶ୍ର ଓ ଦୁଇଜଣ ମହିଳା ସାମିଲ ଅଛନ୍ତି । ଏନେଇ ଆଜି ବଲାଙ୍ଗିର ଟାଉନ ଥାନା ପରିସରରେ ଆୟୋଜିତ ଏକ ସାମ୍ବାଦିକ ସମ୍ମିଳନୀରେ ଏସପି ନୀତିନ କୁଶଳକର କହିଛନ୍ତି । ବର୍ଷ ବର୍ଷ ଧରି ଏହି ନକଲି ସାର୍ଟିଫିକେଟ କାରବାର ହେଉଥିବା ବେଳେ ଡାକ 2ଲବିଭାଗ ନିଯୁକ୍ତି କେଳେଙ୍କାରୀ ସାମ୍ନାକୁ ଆସିବା ପରେ ପୁଲିସ ତତ୍ପର ହୋଇଥିଲା । ଗତ ଦୁଇଦିନ ତଳେ ଏକ ମାମଲା ରୁଜୁ କରି ପୁଲିସ ତଦନ୍ତ ଆରମ୍ଭ କରିଥିଲା ।

ସୂଚନା ମତେ ରିଲାଏନ୍ସ ଏଜୁକେସନ କମ୍ପ୍ଲେକ୍ସ ନାମକ ଏକ କୋଚିଂ ସେଣ୍ଟରରେ ଟାଉନ ଥାନା ପୁଲିସ ଚଢ଼ଉକରି ବିପୁଳ ସଂଖ୍ୟକ ନକଲି ସାର୍ଟିଫିକେଟ ଜବତ କରିଥିଲା । ଏହାପରେ ଉକ୍ତ ଘଟଣାରେ ସହରର ଜଣାଶୁଣା କମ୍ପ ଭାଇ ଭୋକେସନାଲ ଟ୍ରେନିଂ ଇନଷ୍ଟିଚ୍ୟୁଟର ଭୂମିକା ସନ୍ଦେହ ଘେରକୁ ଆସିଛି | ଏନେଇ ମାଜିଷ୍ଟ୍ରେଟ ପୁଷ୍ପାଞ୍ଜଳି ପଣ୍ଡାଙ୍କ ଉପସ୍ଥିତିରେ ପୁଲିସ ଉକ୍ତ ଟ୍ରେନିଂ ଇନଷ୍ଟିଚ୍ୟୁଟରେ ଚଢ଼ଉ କରିଥିଲା । ସ୍ଥାନୀୟ ଚନ୍ଦ୍ରଶେଖର ନଗରସ୍ଥିତ ଉକ୍ତ ଟ୍ରେନିଂ ଇନଷ୍ଟିଚ୍ୟୁଟ ଉପରେ ଅଚାନକ ଚଢ଼ଉକରି ପୁଲିସ ସେଠାରୁ କମ୍ପ୍ୟୁଟର ସମେତ ଅନ୍ୟାନ୍ୟ କାଗଜପତ୍ର ଯାଞ୍ଚ କରିଥିଲା । ସେଠାରୁ ସନ୍ଦିଗ୍ଧ କାଗଜପତ୍ର ଲାଗିଥିବାରୁ ସେସବୁ ନେଇ ତନାଘନା ଜାରି ରଖିଥିବା ଜଣାପଡିଛି । ସେହିପରି ନକଲି ସାର୍ଟିଫିକେଟ ଦେଇ ଚାକିରି କରିଥିବା ଅନ୍ୟୁନ ୨୫ରୁ ଅଧିକ ଚାକିରିଆ ଓ ଆଶାୟୀଙ୍କୁ ଜିଲ୍ଲାର ବିଭିନ୍ନ ସ୍ଥାନରୁ ପୁଲିସ ଉଠାଇ ଆଣି ନିଜ ହେପାଜତରେ ରଖିଛି ।

Exit mobile version