Site icon ଆଜିକାଲି

ବାୟାପଡା ଘାଟିରେ ବଡ ଧରଣର ଭୂସ୍ଖଳନ, ୧୮ ଗାଁ ବାହ୍ୟ ଜଗତରୁ ବିଚ୍ଛିନ୍ନ

ମାଥିଲି : ବଙ୍ଗୋପସାଗରରେ ସୃଷ୍ଟି ହୋଇଥିବା ଲଘୁଚାପ ପ୍ରଭାବରେ ରାଜ୍ୟର ବିଭିନ୍ନ ସ୍ଥାନରେ ପ୍ରବଳରୁ ଅତି ପ୍ରବଳ ବର୍ଷା ଲାଗି ରହିଛି । ଫଳରେ ବିଭିନ୍ନ ସ୍ଥାନରେ ପରିସ୍ଥିତି ଅସମ୍ଭାଳ ହେଲାଣି। ବିଶେଷ କରି ଲଗାଣ ବର୍ଷା ଯୋଗୁଁ ବେହାଲ ମାଲକାନଗିରି। କୋରୁକୋଣ୍ଡା ବ୍ଲକ ନାକାମାମୁଡ଼ି ପଞ୍ଚାୟତ ବାୟାପଡା ଘାଟିରେ ବଡ ଧରଣର ଭୂସ୍ଖଳନ। ମାଟି ଧସିଯିବା ଯୋଗୁଁ ୧୮ଟି ଗାଁ ବାହ୍ୟ ଜଗତରୁ ବିଚ୍ଛିନ୍ନ ହୋଇଛି। ଯାତାୟତ ବାଧାପ୍ରାପ୍ତ ହୋଇଛି।

ସୂଚନାନୁଯାୟୀ, ଗଭୀର ଅବପାତ ପ୍ରଭାବରେ ରାଜ୍ୟରେ ପ୍ରବଳ ବର୍ଷା ହୋଇଛି। ଲଗାଣ ବର୍ଷାରେ ମାଲକାନଗିରିରେ ବନ୍ୟା ପରିସ୍ଥିତି ସୃଷ୍ଟି ହୋଇଛି। ମାଲକାନଗିରି-ମୋଟୁ ଜାତୀୟ ରାଜପଥର ପାଟେରୁ, କାଙ୍ଗୁରୁକୋଣ୍ଡା, ଏମ୍‌ଭି-୯୭, ଏମ୍‌ଭି-୭ ଓ କନ୍ୟାଶ୍ରମ ପୋଲ ଉପରେ ପାଣି ଚାଲୁଛି। ସାବେରୀ, ସିଲେରୁ, ସପ୍ତଧାରା, ତମସା ନଦୀର ଜଳସ୍ତର ବୃଦ୍ଧି ଘଟିଛି। ଭୂସ୍ଖଳନ ଯୋଗୁଁ ବାଲିମେଳା-ଚିତ୍ରକୋଣ୍ଡା ଘାଟି ଭାଲ୍‌ବ ହାଉସ ଛକରେ ମାଟି ଅତଡ଼ା ଧସି ଚିତ୍ରକୋଣ୍ଡାରୁ ଆନ୍ଧ୍ରପ୍ରଦେଶକୁ ଯୋଗାଯୋଗ ବିଚ୍ଛିନ୍ନ ହୋଇଛି। ଖଇରପୁଟ ବ୍ଲକ ବଣ୍ଡାଘାଟି ଅଞ୍ଚଳ ଅଧିକ ପ୍ରଭାବିତ ହୋଇଛି। ମାଙ୍କଡ଼ଝୋଲା ପାଖ ପାହାଡ଼ରୁ ପଥର ଖସି ରାସ୍ତାରେ ପଡ଼ିଛି। ବଣ୍ଡାଘାଟିରେ ବହୁ ଲୋକଙ୍କ ଘର ଭାଙ୍ଗିଯାଇଛି। କାଲିମେଳା ଏମ୍‌ଭି-୧୬ ଗାଁରେ ପାଣିରେ ଫସି ରହିଥିବା ୬୦ ପରିବାରକୁ ଆଶ୍ରୟସ୍ଥଳୀକୁ ଉଦ୍ଧାର କରାଯାଇଛି। ପ୍ରବଳ ବର୍ଷା ଯୋଗୁଁ ମଙ୍ଗଳବାର ଜିଲ୍ଲାରେ ସମସ୍ତ ସ୍କୁଲ ଓ ଅଙ୍ଗନବାଡି କେନ୍ଦ୍ର ଛୁଟି ଘୋଷଣା କରାଯାଇଛି।

Exit mobile version