Site icon ଆଜିକାଲି

ଘୋଷଯାତ୍ରାରେ ଭକ୍ତମୟ ବଡ଼ଦାଣ୍ଡ: ତାମଯାନରେ ଆସିଲେ ଗଜପତି, ଛେରାପହଁରା ଆରମ୍ଭ

ପୁରୀ: ବିଶ୍ବପ୍ରସିଦ୍ଧ ରଥଯାତ୍ରାର ଅନ୍ୟତମ ଆକର୍ଷଣୀୟ ପର୍ବ ‘ଛେରାପହଁରା’ ନୀତି ଅନୁଷ୍ଠିତ ହେଉଛି। ଗଜପତି ମହରାଜ ଦିବ୍ୟସିଂହ ଦେବ ଶ୍ରୀନଅରରୁ ତାମଯାନରେ ଆସି ରଥ ଉପରେ ପହଞ୍ଚିବା ପରେ ରାଜାବେଶରେ ରଥ ଉପରେ ଛେରାପହଁରା ନୀତି ଆରମ୍ଭ କରିଛନ୍ତି। ପରମ୍ପରା ଅନୁଯାୟୀ ସେ  ପ୍ରଥ‌ମେ ତାଳଧ୍ବଜ ରଥରେ ଛେରାପହଁରା ସଂପନ୍ନ କରିଛନ୍ତି। ମହାପ୍ରଭୁଙ୍କ ଆଦ୍ୟ ସେବକ ଗଜପତି ମହାରାଜ ପ୍ରଥମେ ସୁବାସିତ ଜଳ ସିଞ୍ଚନ କରି ରଥକୁ ସୁବର୍ଣ୍ଣ ସମାର୍ଜନୀରେ ପରିଷ୍କୃତ କରିଛନ୍ତି। ସୁଭଦ୍ରାଙ୍କ ଦର୍ପଦଳନ ରଥରେ  ଓ ଶେଷରେ ନନ୍ଦିଘୋଷ ରଥରେ ଛେରାପହଁରା ନୀତି ସମାପନ ହେବା ପରେ ରଥଟଣା ଆରମ୍ଭ ହେବ।

ସୂଚନାଯୋଗ୍ୟ, ଆଜି ନିର୍ଦ୍ଧାରିତ କାର୍ଯ୍ୟସୂଚୀର ୩ ଘଣ୍ଟା ପୂର୍ବରୁ ଶ୍ରୀଜିଉଙ୍କ ଘୋଷଯାତ୍ରା ନୀତିକାନ୍ତି ଆରମ୍ଭ ହୋଇଛି। ଶ୍ରୀମନ୍ଦିରରୁ  ଧାଡି ପହଣ୍ଡିରେ ଆଜି ଚତୁର୍ଦ୍ଧାମୂର୍ତ୍ତି ରଥରେ ବିଜେ ହୋଇଥିଲେ। ଏହାପରେ  ଜଗତଗୁରୁ ଶଙ୍କରାଚାର୍ଯ୍ୟ ଶ୍ରୀଜିଉମାନଙ୍କୁ ରଥଉପରକୁ ଆସି ଦର୍ଶନ କରିଥିଲେ।  ପରେ ଗଜପତି ମହାରାଜଙ୍କ ଦ୍ୱାରା ଛେରାପହଁରା ନୀତି ଲାଗି ପ୍ରସ୍ତୁତି ଆରମ୍ଭ ହୋଇଥିଲା।

ଦୀର୍ଘ ଦୁଇବର୍ଷ ପରେ ଆଜି ପବିତ୍ର ଘୋଷଯାତ୍ରାରେ ପୁଣିଥରେ ଭକ୍ତ-ଭଗବାନଙ୍କ ଅପୂର୍ବ ମିଳନ ହୋଇଛି । ଘୋଷଯାତ୍ରାରେ ଦୁଇବର୍ଷ ଧରି ଖାଲିପଡ଼ିଥିବା ବଡ଼ଦାଣ୍ଡ ପୁଣିଥରେ ଜୟ ଜଗନ୍ନାଥ, ହରିବୋଲ, ହୁଳହୁଳି କୋଳାହଳରେ ପୂରିଉଠିଛି। ରତ୍ନ ସିଂହାସନରୁ ଦର୍ଶନ ଦେଉଥିବା ମହାପ୍ରଭୁ ରଥ ଉପରୁ ଦର୍ଶନ ଦେଉଛନ୍ତି।

ଚୂଡ଼ାନ୍ତ ନୀତି ଅନୁଯାୟୀ, ଆଜି ସକାଳୁ ସକାଳୁ  ମଙ୍ଗଳଆଳତି ପରେ ମଇଲମ,  ତଡ଼ପଲାଗି ଓ ଅବକାଶ,  ସୂର୍ଯ୍ୟପୂଜା,  ଦ୍ବାରପାଳ ପୂଜା ଓ ବେଶ ଶେଷ,  ଖେଚୁଡ଼ି ଭୋଗ ନୀତି ‌‌ଶେଷ ହୋଇଛି । ପରେ  ରଥ ପ୍ରତିଷ୍ଠା ହୋଇ  ମଙ୍ଗଳାର୍ପଣ, ପହଣ୍ଡି ସଂପନ୍ନ ହୋଇଛି । ରଥକୁ  ମଦନମୋହନ, ଶ୍ରୀରାମ ଓ ଶ୍ରୀକୃଷ୍ଣ ରଥକୁ ବିଜେ କରିଛନ୍ତି । ଏଥିସହ  ଚିତା ଲାଗି ନୀତି ଓ ବେଶ ଶେଷପରେ ଛେରା ପହଁରା ଆରମ୍ଭ ହୋଇଛି।

ବର୍ତ୍ତମାନର କାର୍ଯ୍ୟଧାରା ଅନୁଯାୟୀ  ସାଢ଼େ ୧୨ଟାରୁ ୧ଟା  ସୁଦ୍ଧା ଛେରା ପହଁରା ସରିବା ପରେ ଚାରମାଳ ଫିଟା, ଘୋଡ଼ା ଓ ସାରଥି ଲାଗି କରାଯିବ। ଏହାପରେ ପରେ ରଥଟଣା ଆରମ୍ଭ ହେବ। ଶ୍ରୀଗୁଣ୍ଡିଚା ମନ୍ଦିର ସମ୍ମୁଖରେ ତିନି ରଥ ପହଞ୍ଚିବା ପରେ ରଥ ଉପରେ ନୀତିକାନ୍ତି ଅନୁଷ୍ଠିତ ହେବ। ପରଦିନ ଶ୍ରୀଜିଉଙ୍କ ଶ୍ରୀଗୁଣ୍ଡିଚା ପହଣ୍ଡି ବିଜେ ନୀତି ଅନୁଷ୍ଠିତ ହେବ।

Exit mobile version