Site icon ଆଜିକାଲି

ଶାଶୂ-ବୋହୂ କଳିର କରୁଣ ପରିଣତି, କୀଟନାଶକ ପିଇ ଶାଶୂ ମୃତ

ଭୋଗରାଇ: ଶାଶୂବୋହୂ କଳିର କରୁଣ ପରିଣତି। ବୋହୂ ସହିତ କଳି କରି ଗୋଟିଏ ଗାଁରେ ଥିବା ଦୁଇଟି ପରିବାରର ୨ଜଣ ଶାଶୂ କୀଟନାଶକ ପିଇ ଆତ୍ମହତ୍ୟା ଉଦ୍ୟମ କରିଥିବା ବେଳେ ଏଥିରେ ଜଣଙ୍କର ମୃତ୍ୟୁ ଘଟିଛି। ଅନ୍ୟ ଜଣଙ୍କୁ ଗୁରୁତର ଅବସ୍ଥାରେ ପ୍ରଥମେ ଜଳେଶ୍ବରପୁର ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ର ଓ ପରେ ବାଲେଶ୍ବର ଜିଲ୍ଲା ମୁଖ୍ୟ ଚିକିତ୍ସାଳୟକୁ ସ୍ଥାନାନ୍ତରିତ କରାଯାଇଥିଲା। ମାତ୍ର ଅବସ୍ଥା ଗୁରୁତର ହେବାରୁ ସଙ୍ଗେ ସଙ୍ଗେ ତାଙ୍କୁ କଟକ ସ୍ଥାନାନ୍ତର କରାଯାଇଛି। ଏଭଳି ଘଟଣା ଘଟିଛି ଭୋଗରାଇ ବ୍ଲକ ବର୍ତ୍ତନା ଗ୍ରାମରେ।

ସୂଚନା ମୁତାବକ ସୋମବାର ସକାଳେ ବର୍ତ୍ତନା ଗ୍ରାମର ଯତୀନ୍ଦ୍ର ଦାସଙ୍କ ପତ୍ନୀ ମାନସୀଙ୍କ ସହିତ ନିଜ ବୋହୂର କୌଣସି କଥାକୁ ନେଇ ପାଟିତୁଣ୍ଡ ହୋଇଥିଲା। ଏଥିରେ ଆତ୍ମହତ୍ୟା ଉଦ୍ୟମ କରିବାକୁ ଯାଇ ମାନସୀ କୀଟନାଶକ ପିଇଦେଇଥିଲେ। ସଙ୍ଗେ ସଙ୍ଗେ ପରିବାର ଲୋକେ ତାଙ୍କୁ ଚିକିତ୍ସା ପାଇଁ ଡାକ୍ତରଖାନା ନେଇଥିଲେ। ତେବେ ଉକ୍ତ ଘଟଣାର ୨୪ ଘଣ୍ଟା ନପୂରୁଣୁ ସେହି ଗାଁର କମଳଲୋଚନ ପରିଡ଼ାଙ୍କ ପତ୍ନୀ ସୁଶୀଳା (୫୮) ନିଜ ବୋହୂ ସହିତ କୌଣସି କଥାକୁ ନେଇ କଳିତକରାଳ କରିବା ସହିତ କୀଟନାଶକ ପିଇ ଆତ୍ମହତ୍ୟା କରିଛନ୍ତି।

ସୋମବାର ରାତି ପ୍ରାୟ ସାଢ଼େ ୧୦ଟା ବେଳେ ସୁଶୀଳାଙ୍କ ସହିତ ତାଙ୍କ ସାନବୋହୂ ମିତାଙ୍କର ସାମାନ୍ୟ ପାଟିତୁଣ୍ଡ ହୋଇଥିଲା। ପରେ ସ୍ବାମୀ କମଳଲୋଚନ ଓ ବଡ଼ପୁଅ ଶିବକୁମାର ଉଭୟଙ୍କୁ ଶାନ୍ତ କରାଇବା ସହିତ ସମସ୍ତେ ଖାଇପିଇ ଶୋଇଥିଲେ। ରାତି ପ୍ରାୟ ୨ଟା ୩୦ ବେଳେ କମଳଲୋଚନ ପତ୍ନୀଙ୍କୁ ବିଛଣାରେ ନପାଇ ଖୋଜାଖୋଜି କରି ତାଙ୍କୁ ମୁମୁର୍ଷୁ ଅବସ୍ଥାରେ ପାଇବା ପରେ ସୁଶୀଳା କୀଟନାଶକ ପିଇଦେଇଥିବା କହିଥିଲେ। ସଙ୍ଗେ ସଙ୍ଗେ ପରିବାର ଲୋକେ ତାଙ୍କୁ ଜଳେଶ୍ବରପୁର ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ରକୁ ନେଇ ଚିକିତ୍ସା କରିଥିଲେ। ମାତ୍ର କିଛି ସମୟ ପରେ ଚିକିତ୍ସାଧୀନ ଅବସ୍ଥାରେ ତାଙ୍କର ମୃତ୍ୟୁ ହୋଇ ଯାଇଥିଲା। ଏ ବାବଦରେ ଆଜି ଖବରପାଇ ଲକ୍ଷ୍ମୀପାଟଣା ଫାଣ୍ଡି ଅଧିକାରୀ ଅଶୋକ କୁମାର ଦାସ ଡାକ୍ତରଖାନାରେ ପହଞ୍ଚି ଶବ ଜବତ କରିବା ସହ ଏକ ଅପମୃତ୍ୟୁ ମାମଲା ୧୪/୨୨ରେ ରୁଜୁ କରିବା ସହିତ ବ୍ୟବେଚ୍ଛଦ ପରେ ପରିବାର ଲୋକଙ୍କୁ ହସ୍ତାନ୍ତର କରିଥିବା ଜଣାପଡ଼ିଛି।

ଅନ୍ୟପକ୍ଷରେ ସୁଶୀଳାଙ୍କ ମୃତ୍ୟୁ ଖବର ପ୍ରଚାରିତ ହେବା ପରେ ଡାକ୍ତରଖାନା ସମେତ ବର୍ତ୍ତନା ଗ୍ରାମରେ ଶୋକର ଛାୟା ଖେଳିଯାଇଛି । ଖବରପାଇ ଗ୍ରାମର ଯୁବନେତା ତଥା ଭୋଗରାଇ ପଞ୍ଚାୟତ ସମିତି ଅଧ୍ୟକ୍ଷ ପ୍ରବୀର କୁମାର ଗିରି, ଭୋଗରାଇ ସରପଞ୍ଚ ସୁଷମା କର, ନାଏବ୍ ସରପଞ୍ଚ ଧନଞ୍ଜୟ ପ୍ରଧାନଙ୍କ ସମେତ ବହୁ ବିଶିଷ୍ଟ ବ୍ୟକ୍ତି ଓ ଗ୍ରାମବାସୀ ତାଙ୍କ ବାସଭବନରେ ପହଞ୍ଚି ଶେଷଦର୍ଶନ କରିବା ସହିତ ଶୋକସନ୍ତପ୍ତ ପରିବାରକୁ ସମବେଦନା ଜଣାଇଛନ୍ତି। ଉକ୍ତ ଦୁଇଟି ଘଟଣା ବର୍ତ୍ତନା ଗାଁ ସମେତ ସମଗ୍ର ଭୋଗରାଇ ଅଞ୍ଚଳରେ ଚର୍ଚ୍ଚାର ବିଷୟ ପାଲଟିଛି ।

Exit mobile version