Site icon ଆଜିକାଲି

ମାଲ୍ୟବନ୍ତ ମହୋତ୍ସବରେ ଦଳାଚକଟା, ୧୦ ଆହତ

ମାଲକାନଗିରି : ମାଲକାନଗିରି ଜିଲାର ଲୋକପର୍ବ ମାଲ୍ୟବନ୍ତ ମହୋତ୍ସବରେ ଅଘଟଣ । ପ୍ରବଳ ଭିଡ଼ ଯୋଗୁଁ ଦଳାଚକଟା ପରିସ୍ଥିତି । ଏଥିଯୋଗୁଁ ୧୦ ଜଣ ଆହତ ହୋଇଛନ୍ତି । ଆହତମାନଙ୍କୁ ଉଦ୍ଧାର କରାଯାଇ ମାଲକାନଗିରି ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି । ଘଟଣାସ୍ଥଳରେ ପୋଲିସ ପରିସ୍ଥିତିକୁ ନିୟନ୍ତ୍ରଣ କରିଥିଲା ।

ସୂଚନା ଯେ, କରୋନା କଟକଣାର ଦୁଇ ବର୍ଷ ପରେ ମହୋତ୍ସବ ହୋଇଥିବାରୁ ପ୍ରବଳ ଜନସମାଗମ ହୋଇଥିଲା । ମଣ୍ଟୁ ଛୁରିଆ ଓ ଅସୀମା ପଣ୍ଡା ଆଜି ଯୋଗ ଦେଇଥିବାରୁ ମହୋତ୍ସବ ଉପଭୋଗ କରିବା ପାଇଁ ମାଲ୍ୟବନ୍ତ ପଡ଼ିଆ ଲୋକାରଣ୍ୟ ହୋଇଥିଲା। ଲକ୍ଷାଧିକ ଜନସାଧାରଣଙ୍କ ଉପସ୍ଥିତିରେ ଶାନ୍ତିଶୃଙ୍ଖଳା ନିୟନ୍ତ୍ରଣ ସହ ଟ୍ରାଫିକ ବ୍ୟବସ୍ଥା ନିୟନ୍ତ୍ରଣ ପାଇଁ ପୁଲିସ ନାକେଦମ ହୋଇପଡ଼ିଥିଲା। ଗତ ମଙ୍ଗଳବାର ମାଲ୍ୟବନ୍ତ ମହୋତ୍ସବର ଶେଷ ଦିନ ରହିଥିବା ବେଳେ ୪୦ ହଜାରରୁ ଅଧିକ ଦର୍ଶକଙ୍କ ଭିଡ ହୋଇଥିଲା । ପଡିଆ ଭିତରେ ୩୦ହଜାର ଦର୍ଶକ ଉପସ୍ଥିତ ରହିଥିବା ବେଳେ ବାହାରେ ପ୍ରାୟ ୧୦ହଜାର ଦର୍ଶକ ଥିଲେ । ହେଲେ ମୁଖ୍ୟ ଗେଟ ସମ୍ମୁଖରେ ପ୍ରବଳ ଭିଡ ହେବା ଫଳରେ ସେଠାରେ ଠେଲା ପେଲା ହୋଇଥିଲା । ଏପରିକି ଦଳା ଚକଟା ପରିସ୍ଥିତି ସୃଷ୍ଟି ହୋଇଥିଲା । ତେବେ ସୁରକ୍ଷା କର୍ମୀ ମାନେ ସେଠାରେ ପହଞ୍ଚି ପରିସ୍ଥିତି ନିୟନ୍ତ୍ରଣ କରିବା ସହ ଆହତ ମାନଙ୍କୁ ମେଡିକାଲ ପଠାଇଥିଲେ । ସେହିପରି ଭିଡ଼ ନିୟନ୍ତ୍ରଣରେ ବିଫଳ ପୋଲିସକୁ ଉତ୍ତ୍ୟକ୍ତ ଜନତାଙ୍କ ଆକ୍ରୋଶର ଶିକାର ହେବାକୁ ପଡ଼ିଥିଲା। ଅନ୍ୟପକ୍ଷରେ ଉତ୍ତ୍ୟକ୍ତଙ୍କ ଆକ୍ରମଣରେ ଦୁଇଜଣ ପୋଲିସ କର୍ମଚାରୀ ଆହତ ହୋଇଥିବା ଖବର ମିଳିଛି।

Exit mobile version