Site icon ଆଜିକାଲି

ସ୍ବାସ୍ଥ୍ୟ ବିଭାଗରେ ଯୋଗଦେଲେ ୧୪୩ ଆୟୁର୍ବେଦିକ ଡାକ୍ତର

ଭୁବନେଶ୍ବର : ରାଜ୍ୟ ସ୍ବାସ୍ଥ୍ୟ ବିଭାଗରେ ଶୁକ୍ରବାର ଦିନ ୧୪୩ ଆୟୁର୍ବେଦିକ ଡାକ୍ତର ଆଜି ଯୋଗ ଦେଇଛନ୍ତି। ଲୋକସେବା ଭବନର କନଭେନ୍‌ସନ୍‌ ସେଣ୍ଟରରେ ଏଥିପାଇଁ ଏକ ଦିଗ୍‌ଦର୍ଶନ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା। ଏଥିରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ମୁଖ୍ୟ ଅତିଥି ଭାବେ ଯୋଗ ଦେଇଥିଲେ।

ପୁରାତନ ଆୟୁର୍ବିଜ୍ଞାନ ସହିତ ଆଧୁନିକ ସ୍ବାସ୍ଥ୍ୟସେବା ପଦ୍ଧତି ରାଜ୍ୟରେ ସ୍ବାସ୍ଥ୍ୟସେବାକୁ ଅଧିକ ତ୍ବରାନ୍ବିତ କରିବ ବୋଲି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ କହିଛନ୍ତି। ଶୁକ୍ରବାର ଲୋକସେବାଭବନ ସଭାକକ୍ଷରେ ସ୍ବାସ୍ଥ୍ୟବିଭାଗ ପକ୍ଷରୁ ୧୪୩ ନୂତନ ଆୟୁର୍ବେଦିକ ଡାକ୍ତରଙ୍କ ଯୋଗଦାନ ଲାଗି ସ୍ବତନ୍ତ୍ର କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି। ଏଥିରେ ମୁଖ୍ୟମନ୍ତ୍ରୀ ଶ୍ରୀ ପଟ୍ଟନାୟକ ମୁଖ୍ୟଅତିଥି ଭାବେ ଯୋଗଦେଇ କହିଥିଲେ ଯେ, ଜୀବ ବିଜ୍ଞାନରେ ଆୟୁର୍ବିଜ୍ଞାନ ହେଉଛି ଏକ ପୁରାତନ ପଦ୍ଧତି, ଯଦ୍ବାରା ଲକ୍ଷାଧିକ ଲୋକ ରୋଗକୁ ନିୟନ୍ତ୍ରଣ କରିବା ସହିତ ଉତ୍ତମ ସ୍ବାସ୍ଥ୍ୟ ବଜାୟ ରଖିପାରୁଛନ୍ତି। ନବନିଯୁକ୍ତ ଡାକ୍ତରଙ୍କୁ ପରାମର୍ଶ ଦେଇ ସେ କହିଥିଲେ ଯେ, ରାଜ୍ୟ ସରକାରଙ୍କ ପକ୍ଷରୁ କାର୍ଯ୍ୟକାରୀ ହେଉଥିବା ୫-ଟି ପଦକ୍ଷେପ ସ୍ବାସ୍ଥ୍ୟସେବାକୁ ଅଧିକ ରୁଦ୍ଧିମନ୍ତ କରିବା ସହିତ ସାଧାରଣ ଲୋକଙ୍କ ନିକଟକୁ ପରିବର୍ତ୍ତନଶୀଳ କରାଇ ପାରିଛି। କାର୍ଯ୍ୟରତ ସମୟରେ ସରକାରଙ୍କ ଆଭିମୁଖ୍ୟ ‘ସୁସ୍ଥ ଓଡ଼ିଶା, ସୁଖୀ ଓଡ଼ିଶା’ ଏବଂ ‘ପ୍ରତ୍ୟେକ ଜୀବନ ଆମ ପାଇଁ ମୂଲ୍ୟବାନ’କୁ ଗୁରୁତ୍ବ ଦେଇ କାର୍ଯ୍ୟ କରିବାକୁ ପଡ଼ିବ। ଯେମିତିକି ସାଧାରଣ ଲୋକେ ଯେମିତି ସାର୍ବଜନୀନ ସେବା ପାଇବେ ଏବଂ ତାଙ୍କ ପକେଟରୁ ଅଯଥାରେ ଖର୍ଚ୍ଚ ନହେବ ସେଥିପ୍ରତି ଗୁରୁତ୍ବ ଦେବାକୁ ହେବ। ଚଳିତବର୍ଷ ରାଜ୍ୟ ସ୍ବାସ୍ଥ୍ୟ ବଜେଟ ୧୨ହଜାର କୋଟି ଟଙ୍କାରେ ପହଞ୍ଚିଛି, ଯାହାକି ତିନିବର୍ଷ ମଧ୍ୟରେ ଦୁଇଗୁଣ ହୋଇଛି। ରାଜ୍ୟ ଯୋଜନାର ଏହା ୬ପ୍ରତିଶତ ବୋଲି ଶ୍ରୀ ପଟ୍ଟନାୟକ କହିଛନ୍ତି। ମୁଖ୍ୟମନ୍ତ୍ରୀ କହିଥିଲେ ଯେ, ୧୪୩ ଆୟୁର୍ବେଦିକ ଡାକ୍ତରଙ୍କ ଯୋଗଦାନ ନିଶ୍ଚିତ ଭାବେ ସ୍ବାସ୍ଥ୍ୟସେବାରେ ଉନ୍ନତି ଆଣିବ ଏବଂ ରାଜ୍ୟବାସୀଙ୍କୁ ଏହାର ସୁଫଳ ମିଳିବ।

ସ୍ବାସ୍ଥ୍ୟମନ୍ତ୍ରୀ ନବକିଶୋର ଦାସ କହିଲେ, ରାଜ୍ୟ ସ୍ବାସ୍ଥ୍ୟ ଭିତ୍ତିଭୂମିର ସୁଦୃଢ଼ୀକରଣ ପାଇଁ ମୁଖ୍ୟମନ୍ତ୍ରୀ ଏକ ମିସନ୍ ଜରିଆରେ କାର୍ଯ୍ୟ କରୁଛନ୍ତି। ଗତ କୋଭିଡ୍‌ ପରିଚାଳନା ସହିତ ଅକ୍ସିଜେନ ଯୋଗାଣ, ନୂଆ ମେଡିକାଲ କଲେଜ, ଡାକ୍ତର ଓ ପାରାମେଡିକାଲ ନିଯୁକ୍ତି କ୍ଷେତ୍ରରେ ଏହା ପ୍ରତିଫଳିତ ହୋଇଥିବା ଶ୍ରୀ ଦାସ କହିଥିଲେ। ମୁଖ୍ୟ ଶାସନ ସଚିବ ସୁରେଶ ମହାପାତ୍ର କହିଥିଲେ, ଯୁଦ୍ଧକାଳୀନ ଭିତ୍ତିରେ ରାଜ୍ୟ ସରକାର ଖାଲି ପଡ଼ିଥିବା ପଦବି ପୂରଣ କରୁଛନ୍ତି। ରାଜ୍ୟର ପ୍ରତ୍ୟେକ ପରିବାର ନିକଟରେ ସ୍ବାସ୍ଥ୍ୟସେବା ପହଞ୍ଚାଇବା ଲାଗି ମୁଖ୍ୟମନ୍ତ୍ରୀ ନିର୍ଦେଶ ଦେଇଥିବା ସେ କହିଥିଲେ। ଏହି ଅବସରରେ ଡା. ଆଶିଷ ତ୍ରିପାଠୀ, ଡା. ଦୀପ୍ତିମୟୀ ରାଉତ ଓ ଡା. ନେହା ତିୱାରୀ ନିଯୁକ୍ତି ପ୍ରକ୍ରିୟାର ସ୍ବଚ୍ଛତା ଓ ଅଭିଜ୍ଞତା ବାଣ୍ଟିଥିଲେ। ମୁଖ୍ୟମନ୍ତ୍ରୀଙ୍କ ସଚିବ (୫-ଟି) ଭି.କେ ପାଣ୍ଡିଆନ କାର୍ଯ୍ୟକ୍ରମ ପରିଚାଳନା କରିଥିବାବେଳେ ସ୍ବାସ୍ଥ୍ୟ ସଚିବ ଶାଳିନୀ ପଣ୍ଡିତ ସ୍ବାଗତ ଭାଷଣ ଦେଇଥିଲେ। କାର୍ଯ୍ୟକ୍ରମରେ ଆୟୁଷ ନିର୍ଦେଶକ ଭୂମେଶ ବେହେରାଙ୍କ ସମେତ ବିଭାଗୀୟ ଅଧିକାରୀ ଉପସ୍ଥିତ ଥିଲେ।

Exit mobile version