Site icon ଆଜିକାଲି

୧୬ ଲକ୍ଷ ଟଙ୍କାର କଫସିରପ୍ ଜବତ, ୩ ଗିରଫ

ବରଗଡ଼: ୮ ହଜାର ୩୮୦ ବୋତଲ କଫସିରପ୍ ଜବତ କରିଛି ବରଗଡ଼ ପୋଲିସ । ଏହି ଘଟଣାରେ ସଂପୃକ୍ତ ଥିବା ୩ ଜଣକୁ ଗିରଫ କରାଯାଇଛି। ବିଭିନ୍ନ ସ୍ଥାନରେ ଚଢ଼ାଉ କରି ଏହି ସବୁ କଫସିରପ୍ ଜବତ କରାଯାଇଛି । ଜବତ ହୋଇଥିବା କଫସିରପର ଆନୁମାନିକ ୧୬ ଲକ୍ଷ ଟଙ୍କାର ସୂଚନା ହେବ ବୋଲି ପୋଲିସ ସୂଚନା ଦେଇଛି ।

ସୂଚନା ମତେ ଏହି ଘଟଣାର ମୁଖ୍ୟ ଅଭିଯୁକ୍ତ କଟକ ଜିଲ୍ଲା ଚୌଦ୍ବାର ଥାନା ଅନ୍ତର୍ଗତ ଚାରବାଟିଆର ସିଦ୍ଧାନ୍ତ କୁମାର ନାୟକ ଓ କଟକ ଟାଉନର ପୂର୍ଣ୍ଣଚନ୍ଦ୍ର ବେହେରା ହୋଇଥିବା ବେଳେ ବରଗଡ ଗଙ୍ଗାଧର ନଗରର ଲକ୍ଷ୍ମୀଧର ବେହେରା । ଏମାନେ ସମସ୍ତେ ବିଭିନ୍ନ ଜିଲ୍ଲାକୁ କଫସିରପ ଯୋଗାଉଥିବା ଥାନାରେ ଅନୁଷ୍ଠିତ ସାମ୍ବାଦିକ ସମ୍ମିଳନୀରେ ସୂଚନା ଦେଇଛନ୍ତି ବରଗଡ ଏସ୍‌ପି ପ୍ରହଲ୍ଲାଦ ସହାଇ ମୀନା । ପୂର୍ବରୁ ଗିରଫ ହୋଇଥିବା ଅଭିଯୁକ୍ତ ମାନଙ୍କୁ ଅଧିକ ଜେରା କରିବା ପରେ କଟକ ସହରର ଏକ ମାଲ ଗୋଦାମରେ କଫ ସିରପ ଗଚ୍ଛିତ ଥିବା ଏବଂ ସେଠାରୁ ବିଭିନ୍ନ ଜିଲ୍ଲାକୁ ଚୋରା ଚାଲାଣ ହେଉଥିବା ପୋଲିସ ଜାଣିବାକୁ ପାଇଥିଲା ।

ବରଗଡ ଏସପିଙ୍କ ନିର୍ଦ୍ଦେଶରେ ବରଗଡ ପୋଲିସର ଏକ ଟିମ୍ କଟକ ଯାଇ ଉକ୍ତ ମାଲ ଗୋଦାମ ଉପରେ ଚଢାଉ କରିବା ସହ ଅଭିଯୁକ୍ତଙ୍କୁ ଗିରଫ କରିଥିଲା ଏବଂ ଗୋଦାମରୁ ୮୩୮୦ ବୋତଲ କଫସିରପ ଜବତ କରିଥିଲା । ତେବେ ଏହି କଫସିରପ ଦିଲ୍ଲୀର ମାକ୍ସ ଫାର୍ମାସିଟିକାଲରୁ ଆସୁଥିବା ଅଭିଯୁକ୍ତ କହିଥିବା ବେଳେ ଏହି କମ୍ପାନୀର ଆକାଉଣ୍ଟକୁ ମଧ୍ୟ ଜବତ କରି ପୋଲିସ ପକ୍ଷରୁ ଅଚଳ କରାଯାଇଛି । ଏହି ଆକାଉଣ୍ଟରେ ମୋଟ ୩୧ , ୯୨୫୮୨ ଟଙ୍କା ଥିବା ବରଗଡ ଏସ୍‌ପି ସୂଚନା ଦେଇଛନ୍ତି । ତେବେ ବରଗଡ ଜିଲ୍ଲାକୁ ନିଶାମୁକ୍ତ କରିବା ଅଭିଯାନରେ ପୋଲିସ ଗୋଟିଏ ପରେ ଗୋଟିଏ ସଫଳତା ପାଇ ଚାଲିଥିବା ବେଳେ ପୋଲିସର ଏପରି କାର୍ଯ୍ୟକୁ ସବୁଆଡେ ପ୍ରଶଂସା କରାଯାଉଛି ।

Exit mobile version