Site icon ଆଜିକାଲି

ହାତୀ ଆକ୍ରମଣରେ ୨ ଶିଶୁ ମୃତ, ବାପା-ମା’ ଗୁରୁତର

ଝାରସୁଗୁଡା : ଝାରସୁଗୁଡ଼ା ଅନ୍ତର୍ଗତ କିର୍ମିରା ବ୍ଳକ ଭଉଁରା ନିକଟରେ ଦନ୍ତା ଆତଙ୍କ । ଘରଦ୍ୱାର ଭାଙ୍ଗିବା ସହ ଗାଁରେ ଆତଙ୍କ ଖେଳାଇଛନ୍ତି ହାତୀ ପଲ । ସେହିଭଳି ଶୋଇଥିବା ବେଳେ ମା’ କୋଳରୁ ଟାଣି ନେଇ ଦୁଇ ପିଲାଙ୍କୁ ଦଳିଦେଇଛି ହାତୀ । ହାତୀ ଆକ୍ରମଣରେ ୨ ଭାଇଙ୍କ ମୃତ୍ୟୁ ହୋଇଥିବା ବେଳେ ବାପା-ମାଆ ଗୁରୁତର ହୋଇଛନ୍ତି । ସେମାନେ ଛତିଶଗଡ଼ ରାଜ୍ୟ ଶକ୍ତି ଅଞ୍ଚଳର ଜଣାପଡିଛି । ମୃତ ନାବାଳକ ଧନଞ୍ଜୟ ସତନମୀ(୯) ଓ ଅଭୟ ସତନମୀ(୧୧) । ଗୁରୁତର ହୋଇଥିବା ମହିଳା(ଲେହେରାବାଈ ସତନମୀ) ଏବଂ ସ୍ବାମୀ (ଉମେଶ ରାମ ସତନମୀ)।

ଗତ ଗୁରୁବାର ରାତିରେ ବାପାମାଆ ପାଖରେ ପିଲାମାନେ ଶୋଇଥିବା ବେଳେ ଆକ୍ରମଣ କରିଥିଲା ହାତୀ । ଶୁଣ୍ଢରେ ଟାଣି ନେଇ ମାରିଦେଇଥିଲା । ଘଟଣାସ୍ଥଳରେ ଦୁଇ ଭାଇଙ୍କର ମୃତ୍ୟୁ ହୋଇଯାଇଛି । ପିଲାଙ୍କୁ ରକ୍ଷା କରିବାକୁ ଯାଇ ଉଭୟ ବାପା ମାଆ ମଧ୍ୟ ହାତୀ ଆକ୍ରମଣର ଶିକାର ହୋଇ ଗୁରୁତର ଆହତ ହୋଇଛନ୍ତି । ଲେହେରାବାଈଙ୍କ ହାତ ଭାଙ୍ଗିଥିବା ବେଳେ ଉମେଶ ରାମ ସାମାନ୍ୟ ଆହତ ହୋଇଛନ୍ତି। ଉଭୟଙ୍କୁ ବନ ବିଭାଗ ଉଦ୍ଧାର କରି ଜିଲା ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି କରିଛି। । ଇଟା ଭାଟିରେ କାମ କରିବାକୁ ଦୁଇଦିନ ତଳେ କିର୍ମିରା ଆସିଥିବା ବେଳେ ଏଭଳି ଘଟଣା ଘଟିଛି । ବାଗଡିହି ଅଞ୍ଚଳରେ ବର୍ତ୍ତମାନ ୭ ଟି ହାତୀ ରହିଥିବା ବନବିଭାଗ ପକ୍ଷରୁ ସୂଚନା ମିଳିଛି।

Exit mobile version