Site icon ଆଜିକାଲି

ରାଜ୍ୟରେ ୨ ଦିନ ପ୍ରବଳରୁ ଅତି ପ୍ରବଳ ବର୍ଷା! ବିଗିଡ଼ିପାରେ ସ୍ଥିତି

ଭୁବନେଶ୍ୱର : ବର୍ଷା ଋତୁରେ ପ୍ରବଳ ବର୍ଷା ଯୋଗୁଁ ଅନେକ ରାଜ୍ୟରେ ବନ୍ୟା ପରିସ୍ଥିତି ଦେଖାଦେଇଛି । ସେହିପରି ଓଡିଶାରେ ବିଗତରେ ହୋଇଥିବା ପ୍ରବଳ ବର୍ଷା ଓ ଏହାପରେ ଦେଖାଦେଇଥିବା ବନ୍ୟା ପରିସ୍ଥିତି ଯୋଗୁଁ ଲୋକମାନେ ଚିନ୍ତିତ ଅଛନ୍ତି । ଜନଜୀବନ ଅସ୍ତବ୍ୟସ୍ତ ହୋଇପଡ଼ିଛି । ରାଜ୍ୟର ୧୨ଟି ଜିଲ୍ଲାର ୧,୫୭୫ଟି ଗାଁରେ ଏପର୍ଯ୍ୟନ୍ତ ୪.୬୭ ଲକ୍ଷରୁ ଅଧିକ ଲୋକ ପ୍ରଭାବିତ ହୋଇଛନ୍ତି । ଲଘୁଚାପ ଜନିତ ବର୍ଷା ଯୋଗୁଁ ରାଜ୍ୟରେ ବନ୍ୟା ପରିସ୍ଥିତି ଦେଖାଦେଇଛି । ଏଥି ସହିତ ଅଗଷ୍ଟ ୧୯ରୁ ୨୦ ପର୍ଯ୍ୟନ୍ତ ରାଜ୍ୟରେ ପ୍ରବଳରୁ ଅତି ପ୍ରବଳ ବର୍ଷା ସତର୍କ ସୂଚନା ଜାରି କରାଯାଇଛି ।

ଏଠାରେ କହି ରଖୁଛୁ ଯେ, ଆଗାମୀ ୨୪ ଘଣ୍ଟା ସୁଦୃଶଃ-ଲଘୁଚାପ କ୍ଷେତ୍ର ପ୍ରଭାବରେ ଭଦ୍ରକ, ବାଲେଶ୍ୱର,ଯାଜପୁର, କେନ୍ଦ୍ରାପଡା, ଜଗତସିଂହପୁର, ପୁରୀ, କଟକ, କେନ୍ଦ୍ରାପଡା, ମୟୁରଭଞ୍ଜ ଏବଂ କେନ୍ଦୁଝରରେ ପ୍ରବଳ ବର୍ଷା ପାଇଁ ହଳଦିଆ ଚେତାବନୀ ଜାରି କରାଯାଇଛି । ତେଣୁ ଅଶାନ୍ତରୁ ଅତ୍ୟଧିକ ଅଶାନ୍ତ ସ୍ତିତି ପାଇଁ ଅଗଷ୍ଟ ୧୯ ଓ ୨୦ ରେ ମତ୍ସ୍ୟଜୀବୀମାନଙ୍କୁ ଓଡିଶା ଉପକୂଳର ଆଖପାଖ ଅଞ୍ଚଳର ସମୁଦ୍ର ଯିବାକୁ ବାରଣ କରିଛି ପାଣିପାଗ କେନ୍ଦ୍ର ।

ସୂଚନାଯୋଗ୍ୟ, ବାଂଲାଦେଶ ଓ ମିଆଁମାର୍ ଉପକୂଳ ଉତ୍ତର-ପୂର୍ବ ଓ ସଂଲଗ୍ନ ପୂର୍ବ-କେନ୍ଦ୍ରୀୟ ବଙ୍ଗୋପସା‌ଗର ଅଞ୍ଚଳରେ ଗୁରୁବାର ସକାଳ‌ ୫.୩୦ରେ ଏକ ଲଘୁଚାପ ବଳୟ ସୃଷ୍ଟି ହୋଇଛି । ଏହା ଧୀରେଧୀରେ ଉତ୍ତର-ପଶ୍ଚିମ ଦିଗରେ ଗତି କରିବା ସହ ଘନୀଭୂତ ହୋଇ ପ୍ରଥମେ ସୁଦୃଶ ଲଘୁଚାପ ଓ ପରେ ଅବପାତ ରୂପ ନେବ ବୋଲି ଆଞ୍ଚଳିକ ପାଣିପାଗ କେନ୍ଦ୍ର ସୂଚନା ପ୍ରଦାନ କରିଛି ।

ଆଜି (ଶୁକ୍ରବାର) ଅର୍ଥାତ ଅଗଷ୍ଟ ୧୯ର ସକାଳ ସୁଦ୍ଧା ଅବପାତ ରୂପରେ ଏହା ଉତ୍ତର ବଙ୍ଗୋପସାଗର ଓ ସଂଲଗ୍ନ ପଶ୍ଚିମବଙ୍ଗ ଓ ବାଂଲାଦେଶ ଉପକୂଳରେ ରହିବ । ଏହା ଧୀରେଧୀରେ ପଶ୍ଚିମ-ଉତ୍ତରପଶ୍ଚିମ ଆଡ଼କୁ ଗତି କରିବା ସହ ଗାଙ୍ଗେୟ ପଶ୍ଚିମବଙ୍ଗ, ଉତ୍ତର ଓଡ଼ିଶା, ଝା‌ଡ଼ଖଣ୍ଡ ଓ ଉତ୍ତର ଛତିଶଗଡ଼ ଉପରେ ରହିବ । ଅନ୍ୟପଟେ ରାଜ୍ୟରେ ମୌସୁମୀ ପ୍ରବାହ ମଧ୍ୟ ଅଧିକ ସକ୍ରିୟ ରହିଛି । ଫଳରେ ଆସନ୍ତାକାଲି ରାଜ୍ୟର କେନ୍ଦୁଝର ଓ ମୟୂରଭଞ୍ଜ ଜିଲ୍ଲାରେ ପ୍ରବଳରୁ ଅତି ପ୍ରବଳ ବର୍ଷା ହୋଇପାରେ । ତେଣୁ ଏହି ଦୁଇ ଜିଲ୍ଲା ପାଇଁ ରେଡ୍‌ ଆଲର୍ଟ ଜାରି କରିଛି କେନ୍ଦ୍ର ।

ପାଣିପାଗ କେନ୍ଦ୍ର ଆଜି ସକାଳ ୮.୩୦ ଯାଏଁ ୯ ଜିଲ୍ଲାକୁ ୟେଲୋ ୱାର୍ଣ୍ଣିଂ ଜାରି କରିଛି କେନ୍ଦ୍ର । ଯାହାର ପ୍ରଭାବରେ ରାଜ୍ୟର ଏସବୁ ଜିଲ୍ଲାରେ ପ୍ରବଳ ବର୍ଷାର ସମ୍ଭାବନା ରହିଛି । ସେହି ଜିଲ୍ଲାଗୁଡ଼ିକ ହେଲା, ପୁରୀ, କଟକ, କେନ୍ଦ୍ରାପଡ଼ା, ଜଗତସିଂହପୁର, ଭଦ୍ରକ, ଯାଜପୁର,ବାଲେଶ୍ୱର, କେନ୍ଦୁଝର ଏବଂ ମୟୂରଭଞ୍ଜ । ସେହିପରି ଆଜି ଅର୍ଥାତ ଅଗଷ୍ଟ ୧୯ରୁ ଅଗଷ୍ଟ ୨୦ ସକାଳ ୮.୩୦ ପର୍ଯ୍ୟନ୍ତ ପାଣିପାଗ କେନ୍ଦ୍ର ଯେଉଁସବୁ ଜିଲ୍ଲା ପାଇଁ ୟେଲୋ ୱାର୍ଣ୍ଣିଂ ଜାରି କରିଛି, ସେଗୁଡ଼ିକ ହେଲା କଳାହାଣ୍ଡି, କନ୍ଧମାଳ, ନୟାଗଡ଼, ଖୋର୍ଦ୍ଧା, ପୁରୀ, ବରଗଡ଼ ଏବଂ ଝାରସୁଗୁଡ଼ା । ଏହି ସବୁ ଜିଲ୍ଲାରେ ପ୍ରବଳ ବର୍ଷାର ସମ୍ଭାବନା ରହିଛି ବୋଲି ପାଣିପାଗ କେନ୍ଦ୍ର ସୂଚନା ପ୍ରଦାନ କରିଛି ।

ଅନ୍ୟପକ୍ଷେ ଆଜି ସକାଳ ୮.୩୦ରୁ ଅଗଷ୍ଟ ୨୦ ପର୍ଯ୍ୟନ୍ତ ଯେଉଁସବୁ ଜିଲ୍ଲା ପାଇଁ ଅରେଞ୍ଜ୍ ୱାର୍ଣ୍ଣିଂ ଜାରି କରାଯାଇଛି, ସେଗୁଡ଼ିକ ହେଲା ବଲାଙ୍ଗୀର, ସୁବର୍ଣ୍ଣପୁର, ବୌଦ୍ଧ, ଅନୁଗୋଳ, କଟକ, ଢେଙ୍କାନାଲ, ସୁନ୍ଦରଗଡ଼, ଦେଓଗଡ଼, ଯାଜପୁର, ଭଦ୍ରକ, କଟକ, ଜଗତସିଂହପୁର, କେନ୍ଦ୍ରପଡ଼ା, ସମ୍ୱଲପୁର ଏବଂ ବାଲେଶ୍ୱର । ଏସବୁ ଜିଲ୍ଲାରେ ପ୍ରବଳରୁ ଅତି ପ୍ରବଳ ବର୍ଷା ସମ୍ଭାବନା ରହିଛି ବୋଲି ଆଞ୍ଚଳିକ ପାଣିପାଗ କେନ୍ଦ୍ର କହିଛି ।

Exit mobile version