Site icon ଆଜିକାଲି

ବଙ୍ଗୋପସାଗରରେ ୨ଟି ଲଘୁଚାପ; ପ୍ରଥମଟି ଘନୀଭୂତ ହୋଇ ନେବ ବାତ୍ୟାର ରୂପ !

ଭୁବନେଶ୍ୱର : ବଙ୍ଗୋପସାଗରରେ ଦୁଇ ଦୁଇଟି ଲଘୁଚାପ । ଆଗ ପଛ ହୋଇ ଦୁଇଟି ଘୂର୍ଣ୍ଣିବଳୟ ସୃଷ୍ଟି ହେବା ସମ୍ଭାବନା ରହିଛି । ପ୍ରଥମ ଲଘୁଚାପଟି ଘନୀଭୂତ ହୋଇ ସମ୍ଭାବ୍ୟ ବାତ୍ୟା ରୂପ ନେଇପାରେ । ଏହା ବାଂଲାଦେଶ କିମ୍ବା ମିଆଁମାର ଉପକୂଳ ମୁହାଁଇବା ସମ୍ଭାବନା ଅଛି । ଡିସେମ୍ବର ପ୍ରଥମ ସପ୍ତାହବେଳକୁ ଆଉ ଏକ ଲଘୁଚାପ ସୃଷ୍ଟି ହୋଇପାରେ । ତେବେ ଏହି ଦୁଇ ଲଘୁଚାପର ସିଧା ପ୍ରଭାବ ଓଡ଼ିଶାରେ ପଡ଼ିବାର ଆଶା କମ୍ । ହେଲେ ଡିସେମ୍ବର ପ୍ରଥମ ସପ୍ତାହରେ ରାଜ୍ୟରେ ଅଳ୍ପ ବର୍ଷା ହେବାର ଆଶଙ୍କା ଥିବା ପୂର୍ବାନୁମାନ କରିଛି ଭାରତୀୟ ପାଣିପାଗ ବିଭାଗ ।

ଆଇଏମ୍‌ଡି ଆକଳନ ଆନୁଯାୟୀ, ୨୬ ତାରିଖ ବେଳକୁ ଦକ୍ଷିଣ ଆଣ୍ଡାମାନ ସାଗରରେ ଏକ ଲଘୁଚାପ ସୃଷ୍ଟି ହୋଇପାରେ । ଏହା ପଶ୍ଚିମ-ଉତ୍ତର ପଶ୍ଚିମରେ ଗତି କରି ୨୭ ତାରିଖ ବେଳକୁ ଅବପାତ ରୂପ ନେବା ସମ୍ଭାବନା ଅଛି । ତେବେ ବିଭିନ୍ନ ଆନ୍ତର୍ଜାତିକ ପାଣିପାଗ ମଡେଲ୍‌ ଅନୁସାରେ ସମ୍ଭାବ୍ୟ ଅବପାତ ସମୁଦ୍ରରେ ଆହୁରି ବଳ ଜୁଟାଇ ବାତ୍ୟା ରୂପ ନେଇପାରେ । ଏହା ପ୍ରଥମେ ପଶ୍ଚିମ-ଉତ୍ତର ପଶ୍ଚିମରେ ମୁହାଁଇବା ପରେ ଦିଗ ବଦଳାଇ ଉତ୍ତରପୂର୍ବରେ ଗତି କରିବ । ବାଂଲାଦେଶ କିମ୍ବା ମିଆଁମାର ଉପକୂଳରେ ସ୍ଥଳଭାଗ ଛୁଇଁପାରେ ।

ତେବେ ବିଭିନ୍ନ ବିଦେଶୀ ମଡେଲ୍ ପୂର୍ବାନୁମାନ, ନଭେମ୍ବର ୨୯ ବେଳକୁ ଦକ୍ଷିଣ ଆଣ୍ଡାମାନ ସାଗରରେ ଆଉ ଏକ ଘୂର୍ଣ୍ଣିବଳୟ ସୃଷ୍ଟି ହୋଇପାରେ । ଏହା ଘନୀଭୂତ ହୋଇ ଲଘୁଚାପ ହେବ । ଡିସେମ୍ବର ପହିଲାବେଳକୁ ଦକ୍ଷିଣ ପୂର୍ବ ବଙ୍ଗୋପସାଗରରେ ଅବପାତ ରୂପ ନେଇପାରେ । ଏବେଠାରୁ ଏହାର ସମ୍ଭାବ୍ୟ ଗତିପଥ ଓ ପ୍ରଭାବ ନେଇ ସ୍ପଷ୍ଟ ଆକଳନ କରାଯାଇନାହିଁ । ଏହାର ପ୍ରଭାବରେ ନଭେମ୍ବର ୩୦ରୁ ଡିସେମ୍ବର ୬ ତାରିଖ ମଧ୍ୟରେ ଉପକୂଳ ଓଡ଼ିଶାରେ ସ୍ବଳ୍ପ ବର୍ଷାର ସମ୍ଭାବନା ରହିଛି ।

Exit mobile version