Site icon ଆଜିକାଲି

‘ଆମ ପୋଖରୀ’ରେ ନବୀକରଣ ହେବ ଗଞ୍ଜାମ ଜିଲ୍ଲାର ୨୧୨ ଜଳାଶୟ

ଛତ୍ରପୁର: ଭୂତଳ ଜଳ ସଂରକ୍ଷଣକୁ ପ୍ରାଧାନ୍ୟ ଦିଆଯିବ।ପ୍ରାକୃତିକ ଓ ଜୈବିକ ପ୍ରକ୍ରିୟାରେ ଜଳାଶୟ ଗୁଡ଼ିକର ନବୀକରଣ କାମ ହେବ। ବିନା ସିମେଣ୍ଟ ଓ କଂକ୍ରିଟ୍‌ରେ ପ୍ରକଳ୍ପ କାମ କରାଯିବ। କେବଳ ନିହାତି ଆବଶ୍ୟକସ୍ଥଳେ ଜେସିବି ବ୍ୟବହାର ହେବ। ପୋଖରୀ ପାଣିର ଶୁଦ୍ଧତା ଏବଂ ପରିବେଶ ସୁରକ୍ଷାକୁ ନଜରରେ ରଖି ଉକ୍ତ ଜଳାଶୟ ହୁଡ଼ାରେ କାନାଇଣ୍ଡିକା, ବେଣା ଗଛ, ଓରଡିଲେ ଭଳି ଗଛ ଲଗାଯିବ। ପ୍ରକଳ୍ପଗୁଡ଼ିକ ପରିଚାଳନା କରିବେ ମହିଳା ସ୍ବୟଂ ସହାୟିକା ଗୋଷ୍ଠୀ। ଏଭଳି କିଛି ନୀତି ନିୟମ ସହ ଗଞ୍ଜାମ ଜିଲ୍ଲାରେ ‘ଆମ ପୋଖରୀ’ ଯୋଜନାରେ ୨୧୨ ବନ୍ଧ ବା ଜଳାଶୟର ପୁନରୁଦ୍ଧାର ବା ନବକଳେବର କରାଯିବ।

ଜିଲ୍ଲାରେ ଏହି ଯୋଜନା ଅନ୍ତର୍ଗତ ଅଗଷ୍ଟ ମାସ ଶେଷ ସୁଦ୍ଧା ୫୧ଟି ପୋଖରୀର କାର୍ଯ୍ୟ କରାଯିବ। ନଭେମ୍ବର ଶେଷ ସୁଦ୍ଧା ବଳକା ସମସ୍ତ ଜଳାଶୟ କାମ ସମ୍ପୂର୍ଣ୍ଣ ହେବ ବୋଲି ନିର୍ଦ୍ଦେଶ ଦେଇଛନ୍ତି ରାଜ୍ୟ ଗୃହ ଓ ନଗର ଉନ୍ନୟନ ବିଭାଗ ସ୍ବତନ୍ତ୍ର ସଚିବ ସାଗରିକା ପଟ୍ଟନାୟକ। ଜଳାଶୟର ପରିସୀମା, ଆକାର ଏବଂ ଏଥିପାଇଁ କେତେ ଅନୁଦାନ ଖର୍ଚ୍ଚ ହେବ ଏନେଇ ଯୁଦ୍ଧକାଳୀନ ଭିତ୍ତିରେ ବିସ୍ତୃତ ପ୍ରକଳ୍ପ ରିପୋର୍ଟ (ଡିପିଆର୍) ପ୍ରସ୍ତୁତ କରିବାକୁ ସେ କହିଛନ୍ତି। ଗଞ୍ଜାମ ଜିଲ୍ଲା ଗସ୍ତ କରି ଏହି ଯୋଜନାରେ ଚାଲୁଥିବା ଜଳାଶୟ ନବୀକରଣ କାର୍ଯ୍ୟର ଅଗ୍ରଗତି ତଦାରଖ କରିବା ସହ ବିଭାଗୀୟ ଅଧିକାରୀ ଓ କର୍ମଚାରୀମାନେ ତତ୍ପରତା ପ୍ରକାଶ କରିବାକୁ ପରାମର୍ଶ ଦେଇଛନ୍ତି।

ନବକଳେବର ବା ପୁନରୁଦ୍ଧାର ହେବାକୁ ଥିବା ପୋଖରୀ ଗୁଡ଼ିକ ମଧ୍ୟରେ ରହିଛି ବ୍ରହ୍ମପୁର ମହାନଗର ନିଗମ, ହିଞ୍ଜିଳିକାଟୁ ପୌରପାଳିକା ସମେତ ଜିଲ୍ଲାର ୧୬ଟି ଏନ୍ଏସିର ୨୧୨ ଜଳାଶୟ। ଛତ୍ରପୁରସ୍ଥିତ ଜଉଗଡ଼ ସମ୍ମିଳନୀ କକ୍ଷରେ ହୋଇଥିବା ସମୀକ୍ଷା ବୈଠକରେ କେତେକ ପୋଖରୀର ନବୀକରଣ ପାଇଁ ଯୋଜନା ପ୍ରସ୍ତୁତ ହୋଇଥିଲା। ବୈଠକରେ ଗଞ୍ଜାମ ଜିଲ୍ଲାପାଳ ଦିବ୍ୟଜ୍ୟୋତି ପରିଡ଼ା, ବ୍ରହ୍ମପୁର ମହାନଗର ନିଗମ କମିସନର ଜେ.ସୋନାଲ, ଜିଲ୍ଲା ସହରାଞ୍ଚଳ ଉନ୍ନୟନ ସଂସ୍ଥା ପ୍ରକଳ୍ପ ନିର୍ଦ୍ଦେଶକ ନୀଳମାଧବ ଭୋଇ, ଅନ୍ୟ ଅଧିକାରୀମାନେ ଉପସ୍ଥିତ ଥିଲେ। ବୈଠକ ପରେ ସ୍ବତନ୍ତ୍ର ସଚିବଙ୍କ ସମେତ ପ୍ରତିନିଧି ଦଳ ଛତ୍ରପୁର ଏନ୍‌ଏସିର କେତେକ ଜଳାଶୟ ବୁଲି ଦେଖିଥିଲେ।

Exit mobile version