Site icon ଆଜିକାଲି

ଜଳସମ୍ପଦ ବିଭାଗରେ ଯୋଗଦେଲେ ୨୫୭ କନିଷ୍ଠ ଯନ୍ତ୍ରୀ, ଅଭିନନ୍ଦନ ଜଣାଇଲେ ମୁଖ୍ୟମନ୍ତ୍ରୀ

ଭୁବନେଶ୍ୱର : ଜଳ ସମ୍ପଦ ବିଭାଗରେ ଯୋଗ ଦେଇଛନ୍ତି ୨୫୭ ଜଣ କନିଷ୍ଠ ଯନ୍ତ୍ରୀ। ଲୋକସେବା ଭବନରେ ଆୟୋଜିତ କାର୍ଯ୍ୟକ୍ରମରେ ଭର୍ଚୁଆଲ୍ ପ୍ଲାଟଫର୍ମରେ ଯୋଗଦେଇ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ନବ ନିଯୁକ୍ତ କନିଷ୍ଠ ଯନ୍ତ୍ରୀଙ୍କୁ ଅଭିନନ୍ଦନ ଜଣାଇବା ସହ ସେମାନଙ୍କୁ ଉତ୍ସାହର ସହ କାର୍ଯ୍ୟ କରିବାକୁ କହିଥିଲେ । କାର୍ଯ୍ୟକ୍ଷେତ୍ରରେ ରାଜ୍ୟବାସୀଙ୍କ ପ୍ରତି ସଚ୍ଚୋଟତା ଏବଂ ସମ୍ବେଦନଶୀଳତା ବଜାୟ ରଖିବାକୁ ପରାମର୍ଶ ଦେଇଥିଲେ ମୁଖ୍ୟମନ୍ତ୍ରୀ।

ଏହି ଅବସରରେ ମୁଖ୍ୟମନ୍ତ୍ରୀ ଆହୁରି ମଧ୍ୟ କହିଥିଲେ ଯେ, ଚାଷୀଙ୍କୁ ଜଳସେଚନ ସୁବିଧା ଯୋଗାଇବା ବ୍ୟତୀତ ଜଳ ସମ୍ପଦ ବିଭାଗ ଲୋକଙ୍କ ଜୀବନ ଏବଂ ସମ୍ପତ୍ତି ସୁରକ୍ଷା ପାଇଁ ବନ୍ୟା ପରିଚାଳନା କାର୍ଯ୍ୟକରୁଛି। ରାଜ୍ୟରେ ୨ ହଜାର ୫ ଶହରୁ ଅଧିକ ଡ୍ୟାମ ରହିଛି ଏବଂ ଲୋୟର ସୁକତେଲ, କାନପୁର ଏବଂ ଘଟକେଶ୍ୱର ଭଳି କେତେକ ପ୍ରମୁଖ ବନ୍ଧ ପାଇଁ କାମ ଚାଲିଛି। ଏଥି ସହିତ ୧୨ ହଜାର କୋଟି ଟଙ୍କା ବ୍ୟୟରେ ରାଜ୍ୟର ବଭିନ୍ନ ନଦୀ ପାଖରେ ୧୬ଟି ପାଇପଲାଇନ ପ୍ରକଳ୍ପ କରାଯାଉଛି। ଏହି ପ୍ରକଳ୍ପ ଜଳ ସଂରକ୍ଷଣ ସହ ଭୂତଳ ଜଳର ମଧ୍ୟ ସଂରକ୍ଷଣ ପାଇଁ କାର୍ଯ୍ୟ କରିବ। ନୂତନ ପ୍ରକଳ୍ପର ଅନ-ସାଇଟ୍ ତଦାରଖ କରିବା ସହିତ ସଂପୂର୍ଣ୍ଣ ପ୍ରକଳ୍ପର ପରିଚାଳନା ଏବଂ ରକ୍ଷଣାବେକ୍ଷଣ ତଥା କୃଷି ଜମିକୁ ପରିକଳ୍ପିତ ଜଳସେଚନ ସୁନିଶ୍ଚିତ କରିବା ପାଇଁ ଜୁନିୟର ଇଞ୍ଜିନିୟରମାନଙ୍କର ଅଧିକ ଭୂମିକା ରହିଛି ବୋଲି ମୁଖ୍ୟମନ୍ତ୍ରୀ କହିଥିଲେ।

ଏହି ଅବସରରେ ଜଳସମ୍ପଦ ମନ୍ତ୍ରୀ ଟୁକୁନି ସାହୁ କହିଥିଲେ ଯେ ରାଜ୍ୟ ପାଇଁ ପରିବର୍ତ୍ତନଶୀଳ ପଦକ୍ଷେପ ଗ୍ରହଣ କରାଯାଇଛି । ଦାୟିତ୍ୱ ଏବଂ ଲୋକଙ୍କ ପ୍ରତି ପ୍ରତିବଦ୍ଧତା ସହ କାର୍ଯ୍ୟ କରିବାକୁ ସେ ନବନିଯୁକ୍ତ ଇଞ୍ଜିନିୟରମାନଙ୍କୁ ନିବେଦନ କରିଛନ୍ତି । ଏହି ଅବସରରେ ତିନିଜଣ ନୂଆ ଇଞ୍ଜିନିୟର ସୀତିପ୍ରଜ୍ଞ ବିଶ୍ୱାଳ, ଲୋକେଶ ବାଲ ଏବଂ ନିକିତା ମାଝୀ ସେମାନଙ୍କ ଅଭିଜ୍ଞତା ବାଣ୍ଟି କହିଛନ୍ତି ଯେ ନିଯୁକ୍ତି ପ୍ରକ୍ରିୟା ସମ୍ପୂର୍ଣ୍ଣ ସ୍ୱଚ୍ଛ ଏବଂ ସମୟାନୁବର୍ତ୍ତୀ ହୋଇଛି । ସେମାନେ ୫-ଟି ଏବଂ ମୋ ସରକାରଙ୍କ ନିର୍ଦ୍ଦେଶରେ ପରିବର୍ତ୍ତନଶୀଳ ପଦକ୍ଷେପ ପାଇଁ କାର୍ଯ୍ୟ କରିବାକୁ ପ୍ରତିଶ୍ରୁତି ଦେଇଥିଲେ । ଏହି ଅବସରରେ ମୁଖ୍ୟ ଶାସନ ସଚିବ ସୁରେଶ ଚନ୍ଦ୍ର ମହାପାତ୍ର, ଉନ୍ନୟନ କମିଶନର ପ୍ରଦୀପ ଜେନା, ବିଭାଗର ଅତିରିକ୍ତ ମୁଖ୍ୟ ସଚିବ ଅନୁ ଗର୍ଗ ପ୍ରମୁଖ ଉପସ୍ଥିତ ଥିଲେ।

Exit mobile version