Site icon ଆଜିକାଲି

ରଙ୍ଗେଇଲୁଣ୍ଡା ବିମାନ ବନ୍ଦର ସମ୍ପ୍ରସାରଣ ପାଇଁ ପୂର୍ତ୍ତବିଭାଗ ପକ୍ଷରୁ ୩୦ କୋଟିର‌ ଟେଣ୍ଡର୍

ବ୍ରହ୍ମପୁର: ରଙ୍ଗେଇଲୁଣ୍ଡା ବିମାନ ବନ୍ଦରରୁ ଏବେ ନିୟମିତ ବ୍ୟବଧାନରେ ଛୋଟ ବିମାନ ଭୁବନେଶ୍ବର ଅଭିମୁଖେ ଚଳାଚଳ କରୁଛି। ବିଭିନ୍ନ ବର୍ଗର ଯାତ୍ରୀମାନେ ଏହାର ଲାଭ ଉଠାଇ ଉପକୃତ ହେଉଛନ୍ତି। ଆଗାମୀ ଦିନରେ ବିମାନ ବନ୍ଦର ସମ୍ପ୍ରସାରଣ ସହ ୯ ସିଟ୍ ବଦଳରେ ୭୨ ଆସନ ବିଶିଷ୍ଟ ବିମାନ ଭୁବନେଶ୍ବର ସମେତ ବିଶାଖାପାଟଣା ଏବଂ ଅନ୍ୟାନ୍ୟ ସ୍ଥାନକୁ ଚଳାଚଳ ପାଇଁ ଯୋଜନା ରହିଛି। ସେ ଦୃଷ୍ଟିରୁ ଏବେ ବିମାନ ବନ୍ଦର ସମ୍ପ୍ରସାରଣ ପ୍ରକ୍ରିୟା ଆରମ୍ଭ ହୋଇଛି। ରାଜ୍ୟ ସରକାରଙ୍କ ପୂର୍ତ୍ତ ବିଭାଗ ପକ୍ଷରୁ ଟେଣ୍ଡର୍ ଆହ୍ବାନ କରାଯାଇଛି। ପୂର୍ତ୍ତ ବିଭାଗ ପକ୍ଷରୁ ରଙ୍ଗେଇଲୁଣ୍ଡା ଏୟାର୍ ଷ୍ଟ୍ରିପକୁ ବି-୨ ଟାଇପରେ ସମ୍ପ୍ରସାରିତ କରିବା ନିମନ୍ତେ ୩୦ କୋଟି ୩ ଲକ୍ଷ ୪୨ ହଜାର ୬୬୭ ଟଙ୍କାର ଟେଣ୍ଡର୍ ଆହ୍ବାନ କରାଯାଇଛି। ଟେଣ୍ଡର୍ ଦାଖଲ ଅବଧି ଜୁନ ମାସ ୭ ତାରିଖ ସନ୍ଧ୍ୟା ୫ଟା ପର୍ଯ୍ୟନ୍ତ ରହିଛି।

ଗତ ମାର୍ଚ୍ଚ ମାସ ୫ ତାରିଖରୁ ରାଜ୍ୟ ସରକାରଙ୍କ ପକ୍ଷରୁ ୯ ଆସନ ବିଶିଷ୍ଟ ବିମାନ ସେବା ସପ୍ତାହରେ ଦୁଇ ଥର ଭୁବନେଶ୍ୱର ଓ ରଙ୍ଗେଇଲୁଣ୍ଡା ମଧ୍ୟରେ ଆରମ୍ଭ ହୋଇଥିଲା। ଗତ ୧୦ ତାରିଖରେ ପୂର୍ତ୍ତ ବିଭାଗ ପ୍ରମୁଖ ସଚିବ ବୀର ବିକ୍ରମ ଯାଦବ ରଙ୍ଗେଇଲୁଣ୍ଡା ବିମାନ ବନ୍ଦରରେ ପହଞ୍ଚି ଏହାର ସମ୍ପ୍ରସାରଣ ବାବଦରେ ଜିଲ୍ଲା ପ୍ରଶାସନ ସହ ଆଲୋଚନା କରିଥିଲେ। ବର୍ତ୍ତମାନ ବିମାନ ବନ୍ଦରର ଲମ୍ବା ୯୩୦ ମିଟର ସମ୍ପ୍ରସାରଣ ପାଇଁ ପ୍ରଥମ ଦଫାରେ ଜମି ଅଧିଗ୍ରହଣ କାମ ଚାଲୁ ରହିଛି। ଏହାକୁ ଆହୁରି ୫୦୦ ମିଟର ଅଧିକ ସମ୍ପ୍ରସାରଣ କରିବା ପାଇଁ ବିସ୍ତୃତ ପ୍ରକଳ୍ପ ରିପୋର୍ଟ ପ୍ରସ୍ତୁତ କରାଯାଇଛି। ବିମାନ ବନ୍ଦର ସମ୍ପ୍ରସାରଣ ପାଇଁ ଏବେ ଯେଉଁ ଟେଣ୍ଡର୍ ଆହ୍ବାନ କରାଯାଇଛି, ସେଥିରେ ଅଧିକ ୫୦୦ ମିଟର ସମ୍ପ୍ରସାରଣ କାମକୁ ଅନ୍ତର୍ଭୁକ୍ତ କରାଯାଇଛି। ଗୋପାଳପୁର- ବ୍ରହ୍ମପୁର ମୁଖ୍ୟ ରାସ୍ତା ପରିବର୍ତ୍ତନ କରାଯାଇ କରାପଲ୍ଲୀ ନିକଟ ପୋଖରୀ ଠାରେ ସଂଯୋଗ ହେବ ବୋଲି ଜଣାପଡିଛି।

Exit mobile version