Site icon ଆଜିକାଲି

ଅହିଂସା ରଥ ପରିକ୍ରମାର ୩୦ ଦିନ ପୂର୍ତି

ଭୁବନେଶ୍ୱର : ସ୍ୱାଧୀନତାର ୭୫ ବର୍ଷ ପୂର୍ତି ତଥା ଆଜାଦି କା ଅମୃତ ମହୋତ୍ସବ ପାଳନ ଉପଲକ୍ଷେ ରାଜ୍ୟସ୍ତରୀୟ ସ୍ୱାଧୀନତା ଦିବସ ସମାରୋହରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଅହିଂସା ରଥ ପରିକ୍ରମାର ଶୁଭାରମ୍ଭ କରିଥିଲେ । ଆଜି ରାଜ୍ୟରେ ଅହିଂସା ରଥ ପରିକ୍ରମାର ୩୦ ଦିନ ସଂପୂର୍ଣ୍ଣ ହୋଇଛି । ୪ ଟି ଅହିଂସା ରଥ ସମଗ୍ର ରାଜ୍ୟ ପରିକ୍ରମା ନିମନ୍ତେ ଯାତ୍ରା ଆରମ୍ଭ କରି ଇତି ମଧ୍ୟରେ ୧୯ଟି ଜିଲା ପରିକ୍ରମା ଶେଷ କରିଛନ୍ତି । ଏବେ କୋରାପୁଟ ଓ ବାଲେଶ୍ୱର ଜିଲାରେ ପରିକ୍ରମା ଜାରି ରହିଛି ।

ବିଗତ ୨୯ ଦିନ ଧରି ଗାନ୍ଧିଜୀଙ୍କ ବିଚାର ତଥା ସତ୍ୟ ଏବଂ ମାନବତାର ବାର୍ତ୍ତା ପ୍ରଚାର କରି ଅହିଂସା ରଥ ଓଡ଼ିଶାର କୋଣଅନୁକୋଣରେ ପରିକ୍ରମା କରୁଛି । ଗାନ୍ଧିଜୀଙ୍କ ଓଡ଼ିଶା ଗସ୍ତ ସମୟର କାହାଣୀ, ସ୍ୱାଧୀନତା ସଂଗ୍ରାମୀ ତଥା ବୀର ସଂଗ୍ରାମୀମାନଙ୍କର ଭୂମିକା ବିଷୟରେ ବିସ୍ତୃତ ସୂଚନା ସହ ପାଇକ ବିଦ୍ରୋହ, ଅସହଯୋଗ ଆନ୍ଦୋଳନ, ଆଇନ ଅମାନ୍ୟ ଆନ୍ଦୋଳନ ବାବଦରେ ଅହିଂସା ରଥ ଜନସାଧାରଣଙ୍କୁ ଅବଗତ କରାଉଛି । ଉତ୍ତରପିଢ଼ିଙ୍କୁ ସ୍ୱାଧୀନତା ସଂଗ୍ରାମୀଙ୍କ ବଳିଦାନ ଏବଂ ଗାନ୍ଧିଜୀଙ୍କ ଅହିଂସା ଦର୍ଶନ ସଂପର୍କରେ ଅବଗତ କରିବାରେ ଅହିଂସା ରଥ ପ୍ରଭାବୀ ହୋଇପାରିଛି । ସବୁଠାରେ ଅହିଂସା ରଥକୁ ମିଳୁଛି ଉଚ୍ଛ୍ୱସିତ ସମ୍ବର୍ଦ୍ଧନା । ପାରମ୍ପରିକ ନୃତ୍ୟଗୀତ, ସଂକୀର୍ତନ, ଭିଡ଼ିଓ ସୋ ପ୍ରଦର୍ଶନ, ଛାତ୍ରଛାତ୍ରୀଙ୍କ ଦ୍ୱାରା ସାଂସ୍କୃତିକ କାର୍ଯ୍ୟକ୍ରମ ସହ ବିପୁଳ ଜନସମାଗମ ଅହିଂସା ରଥ ପ୍ରତି ବ୍ୟାପକ ଆକର୍ଷଣକୁ ପ୍ରତିପାଦିତ କରୁଛି ।

ଉଲ୍ଲେଖଯୋଗ୍ୟ ଯେ ବିଭାଗ ପକ୍ଷରୁ ପ୍ରାୟୋଜିତ ‘ଅହିଂସା ରଥ’କୁ ରାଜ୍ୟର ବିଭିନ୍ନ ସ୍ଥାନରେ ବିପୁଳ ସମ୍ବର୍ଦ୍ଧନା ମିଳିବା ସହିତ ସମାଜର ବିଭିନ୍ନ ବର୍ଗର ଲୋକେ ଅନୁପ୍ରେରିତ ହେଉଛନ୍ତି ।

Exit mobile version