Site icon ଆଜିକାଲି

ଯୁକ୍ତ ୩ ନାମଲେଖା: ପ୍ରକାଶ ପାଇଲା ପ୍ରଥମ ମେଧା ତାଲିକା

ଭୁବନେଶ୍ବର : ଯୁକ୍ତ ୩ ନାମଲେଖା ପାଇଁ ୨୦୨୨-୨୩ ଶିକ୍ଷା ବର୍ଷର ପ୍ରଥମ ମେଧା ତାଲିକା ପ୍ରକାଶ ପାଇଛି । ଚଳିତବର୍ଷ ଯୁକ୍ତ ୩ରେ ନାମ ଲେଖାଇବା ପାଇଁ ୨ ଲକ୍ଷ ୫୫ ହଜାର ୮୬୬ ଛାତ୍ରଛାତ୍ରୀ ଆବେଦନ କରିଥିଲେ । ସେଥିମଧ୍ୟରୁ ନାମ ଲେଖାଇବା ପାଇଁ ୧ ଲକ୍ଷ ୭୨ ହଜାର ୮୮୫ ଜଣ ମେରିଟ ଲିଷ୍ଟ୍‌ରେ ସ୍ଥାନ ପାଇଛନ୍ତି । ସାମ୍‌ସ ମାଧ୍ୟମରେ ହେଉଥିବା ଏହି ନାମଲେଖା ପ୍ରକ୍ରିୟାରେ ରେଭେନ୍ସା ବିଶ୍ବବିଦ୍ୟାଳୟ ପ୍ରଥମ ଥର ସାମିଲ ହୋଇଥିବାରୁ ଏଠାରେ ବିଭିନ୍ନ ବିଷୟର କଟ୍‌ ଅଫ୍‌ ମାର୍କ ରେକର୍ଡ ସୃଷ୍ଟି କରିଛି। ଅଧିକାଂଶ ବିଷୟରେ ବିଜେବି ସ୍ବୟଂଶାସିତ ମହାବିଦ୍ୟାଳୟକୁ ପଛରେ ପକାଇ ଦେଇଛି। କଳା ଓ ବାଣିଜ୍ୟ ବିଭାଗରେ ରେଭେନ୍ସା ଏବଂ ବିଜ୍ଞାନ ଓ ସେଲ୍ଫ ଫାଇନାନ୍ସ ପାଠ୍ୟକ୍ରମରେ ବିଜେବିର କଟ୍‌ ଅଫ୍‌ ମାର୍କ ଶୀର୍ଷରେ ରହିଛି।

ରାଜ୍ୟରେ ଯୁକ୍ତ ୩ ପାଠ୍ୟକ୍ରମ ପାଇଁ ମୋଟ ୨ ଲକ୍ଷ ୫୧ ହଜାର ୫୮୫ଟି ସିଟ୍ ରହିଛି । ତେବେ କଳାରେ ୧ ଲକ୍ଷ ୭୧ ହଜାର ୭୪, ବାଣିଜ୍ୟରେ ୨୪ ହଜାର ୪୧୯, ସଂସ୍କୃତରେ ୬ ହଜାର ୨୩୪, ପଦାର୍ଥ ବିଜ୍ଞାନରେ ୪୪ ହଜାର ୪୮୨, ଜୀବ ବିଜ୍ଞାନରେ ୪୧ ହଜାର ୧୧୩, ଏସ୍‌ଏଫରେ ୭ ହଜାର ୭୭୮ ଛାତ୍ରଛାତ୍ରୀ ନାମ ଲେଖାଇବା ପାଇଁ ଆବେଦନ କରିଥିଲେ । ସେମାନଙ୍କ ମଧ୍ୟରୁ କଳାରେ ୧ ଲକ୍ଷ ୫ ହଜାର ୫୬୯, ଏସ୍‌ଏଫ୍‌ରେ ୧୧୬୫, ବାଣିଜ୍ୟରେ ୧୮୬୭୯, ସଂସ୍କୃତରେ ୪୬୪୨, ପଦାର୍ଥ ବିଜ୍ଞାନରେ ୨୪୫୬୧ ଏବଂ ଜୀବ ବିଜ୍ଞାନରେ ୧୮୨୬୯ ଛାତ୍ରଛାତ୍ରୀ ଚୟନ ହୋଇଛନ୍ତି । ସେମାନଙ୍କ ମଧ୍ୟରେ ୭୩,୮୫୦ ଛାତ୍ର ରହିଥିବା ବେଳେ ୯୯,୦୧୧ ଛାତ୍ରୀ ରହିଛନ୍ତି । ତୃତୀୟଲିଙ୍ଗୀରେ ରହିଛନ୍ତି ମାତ୍ର ୨୪ ଜଣ । ପ୍ରଥମ ମେରିଟ୍ ଲିଷ୍ଟ୍‌ରୁ ୮୨,୯୮୧ ଛାତ୍ରଛାତ୍ରୀ ବାଦ ପଡ଼ିଛନ୍ତି । ମୋଟ ଆବେଦନ କରିଥିବା ଛାତ୍ରଛାତ୍ରୀଙ୍କ ମଧ୍ୟରୁ ୧,୫୬,୦୮୭ ଜଣ ଉଚ୍ଚ ମାଧ୍ୟମିକ ଶିକ୍ଷା ପରିଷଦରୁ ପାସ୍ ହୋଇ ଆବେଦନ କରିଛନ୍ତି । ଯୋଗ୍ୟ ବିବେଚିତ ଛାତ୍ରଛାତ୍ରୀ ସେପ୍ଟେମ୍ବର ୧୧ ତାରିଖ ସନ୍ଧ୍ୟା ୭ଟା ପର୍ଯ୍ୟନ୍ତ ନାମ ଲେଖାଇପାରିବେ। ୧୧ ତାରିଖ ରାତି ୧୧ଟା ୪୫ ମଧ୍ୟରେ ସ୍ଲାଇଡ୍‌-ଅପ୍‌ ଅପସନ୍‌ ଫର୍ମ ଅନ୍‌ଲାଇନ୍‌ରେ ଦାଖଲ କରିପାରିବେ।

Exit mobile version