Site icon ଆଜିକାଲି

ବ୍ରହ୍ମପୁର ସମେତ ଗଞ୍ଜାମର ୪ ସହର ପାଇବ ‘ମୋ ବସ୍‌’ ସେବା

ବ୍ରହ୍ମପୁର: ସହରାଞ୍ଚଳ ପରିବହନ କ୍ଷେତ୍ରରେ ଗଞ୍ଜାମ ଆଉ ପାଦେ ଆଗେଇଯିବ। ଏବେ ବ୍ରହ୍ମପୁର ମହାନଗର ସମେତ ଜିଲ୍ଲା ସଦର ମହକୁମା ଛତ୍ରପୁର, ପର୍ଯ୍ୟଟନ ସହର ଗୋପାଳପୁର, ଜିଲ୍ଲାର ଏକମାତ୍ର ପୌରପାଳିକା ହିଞ୍ଜିଳିକୁ ସିଟି ବସ୍‌ ଗତୁଛି। ତେବେ ଆଉ କିଛି ମାସ ମଧ୍ୟରେ ସମ୍ଭବତଃ ଆସନ୍ତା ପୂଜା ରତୁ ବେଳକୁ ଜିଲ୍ଲାର ଉପରୋକ୍ତ ୪ ସହର ସମେତ ଦିଗପହଣ୍ଡି ସହର ଓ ଆଖପାଖ ଅଞ୍ଚଳବାସୀ ‘ମୋ ବସ୍‌’ ସେବା ପାଇପାରିବେ। କ୍ୟାପିଟାଲ୍‌ ରିଜିଅନ୍‌ ଅର୍ବାନ୍‌ ଟାନ୍ସପୋର୍ଟ (କ୍ରୁଟ୍‌) ଏହାର ପରିଚାଳନା ଦାୟିତ୍ଵ ନେବ। ଏଥିପାଇଁ ବସ୍‌ ଚଳାଚଳ ବାବଦରେ ବିସ୍ତୃତ ସର୍ଭେ କରାଯିବାକୁ ସ୍ଥିର ହୋଇଛି। ସିଟି ବସ୍‌ ସେବା ଚଳାଉଥିବା ଗଟ୍‌ସଲ୍‌ ବଦଳରେ କ୍ରୁଟ୍‌ ‘ମୋ ବସ୍‌’ ଚଳାଚଳ ଦାୟିତ୍ଵ ତୁଲାଇବ।

ବ୍ରହ୍ମପୁର ମହାନଗର ନିଗମ କମିଶନର୍ ଜେ.ସୋନାଲ କହିଛନ୍ତି ଯେ- କେଉଁ ରୁଟ୍‌ରେ ବସ୍‌ ଯାଆସ କରିବ, କେତେ ସଂଖ୍ୟକ ବସ୍‌ ଚାଲିବ ଏବଂ କେଉଁଠି ବସ୍‌ ରହଣୀ ହେବ ସେ ଦିଗରେ ସର୍ଭେ କରି ତଥ୍ୟ ସଂଗ୍ରହ କରାଯିବ। ଉକ୍ତ ତଥ୍ୟ ଆଧାରରେ ଏକ ମଜବୁତ ବସ୍‌ ପରିବହନ ବ୍ୟବସ୍ଥାକୁ ବିକଶିତ କରାଯିବ। ରାଜ୍ୟର ଅନ୍ୟତମ ଜନବହୁଳ ଜିଲ୍ଲା ଗଞ୍ଜାମର ପ୍ରମୁଖ ୫ଟି ସହର ବାସିନ୍ଦା ଏହାଦ୍ଵାରା ଯେପରି ସର୍ବାଧିକ ଉପକୃତ ହୋଇପାରିବେ ସେଥିପାଇଁ ପଦକ୍ଷେପ ଗ୍ରହଣ କରାଯିବ। ତେବେ ଏହି ସର୍ଭେ କେବଳ ଉପରୋକ୍ତ ୫ଟି ସହରରେ ସୀମିତ ନରହି ଜିଲ୍ଲାର ସମସ୍ତ ୧୬ଟି ଏନ୍‌ଏସି, ଗୋଟିଏ ଲେଖାଏଁ ପୌରପାଳିକା ଓ ମହାନଗରରେ କରାଯିବ।

ଅକ୍ଟୋବର ଶେଷ ସୁଦ୍ଧା ଏହି ସେବା ଲୋକଙ୍କୁ ଯୋଗାଇଦେବାକୁ ଲକ୍ଷ୍ୟ ରଖାଯାଇଛି। ମୋ ବସ୍‌ ସେବା ଆରମ୍ଭ ହେବା ବେଳକୁ ଏବେ ସିଟି ବସ୍‌ ଚଳାଚଳ ଦାୟିତ୍ଵ ସମ୍ଭାଳୁଥିବା ଗଞ୍ଜାମ ଅର୍ବାନ୍‌ ଟ୍ରାନ୍ସପୋର୍ଟ ସର୍ଭିସ୍‌ ଲିମିଟେଡ୍‌ (ଗଟସଲ୍‌ )କୁ ବନ୍ଦ କରି ଦିଆଯିବ ଓ ତାହାକୁ କ୍ରୁଟ୍‌ ଅଧିଗ୍ରହଣ କରିବ ବୋଲି ନିଷ୍ପତ୍ତି ହୋଇଛି। ଗତ ମାସରେ ଛତ୍ରପୁର ଠାରେ ନଗର ଉନ୍ନୟନ ବିଭାଗର ଜିଲ୍ଲାସ୍ତରୀୟ ବୈଠକରେ ଏହି ନିଷ୍ପତ୍ତି ହୋଇଥିଲା। ନବୀନ ପଟ୍ଟନାୟକ ଗଞ୍ଜାମ ସମେତ ଆଉ ଦୁଇଟି ଜିଲ୍ଲାକୁ ‘ମୋ ବସ୍’ ସେବା ସମ୍ପ୍ରସାରଣ ପାଇଁ ଅନୁମୋଦନ କରି ସାରିଛନ୍ତି।

Exit mobile version