Site icon ଆଜିକାଲି

ଡିସେମ୍ବର ସୁଦ୍ଧା ସମଗ୍ର ରାଜ୍ୟରେ ୪ଜି ସେବା

ଭୁବନେଶ୍ବର : ଚଳିତ ବର୍ଷ ଡିସେମ୍ବର ଶେଷସୁଦ୍ଧା ସାରା ରାଜ୍ୟରେ ମିଳିବ ୪ଜି ସେବା। ଅଗଷ୍ଟ ଶେଷ ବେଳକୁ ବିଏସଏନଏଲ ପକ୍ଷରୁ ୪ଜି ସେବା ଆରମ୍ଭ ହେବ। ମୋବାଇଲ ଟାୱାର ଅପହଞ୍ଚ ୭ ହଜାର ଗାଁରେ ଟାୱାର ବସାଇବା ସହ ୫ ହଜାର ଗାଁରେ ଉପଲବ୍ଧ ୨ଜି ଓ ୩ଜି ସେବାକୁ ଅପଗ୍ରେଡ କରି ୪ଜି କରିବାକୁ ଲକ୍ଷ୍ୟ ରଖାଯାଇଥିବା କେନ୍ଦ୍ର ଦୂର ସଞ୍ଚାର ଓଡ଼ିଶା ଶାଖାର ବରିଷ୍ଠ ଉପ ମହାପ୍ରବନ୍ଧକ ବି.କେ ନାୟକ ଏହି ସୂଚନା ଦେଇଛନ୍ତି।

ବିଏସଏନଏଲ ପକ୍ଷରୁ ଦୂର ସଞ୍ଚାର ସେବା ପ୍ରଦାନ କ୍ଷେତ୍ରରେ ନିଆଯାଇଥିବା ପଦକ୍ଷେପ ସମ୍ପର୍କରେ ଏଠାରେ ଆୟୋଜିତ ଏକ ସାମ୍ବାଦିକ ସମ୍ମିଳନୀରେ ସେ କହିଥିଲେ, ୨୦୧୧ ଜନଗଣନା ଅନୁସାରେ ରାଜ୍ୟରେ ୫୧ ହଜାର ୩୧୩ ଗାଁ ରହିଥିଲା। ଏଥିରୁ ୪୭ ହଜାର ୬୭୭ ଗାଁରେ ଜନବସତି ଥିଲା। ଏଯାବତ୍‌ ୪୨ ହଜାର ୪୨୫ ଗାଁରେ ୨ଜି, ୩ଜି ଓ ୪ଜି ମୋବାଇଲ ସେବା ପହଞ୍ଚି ପାରିଛି। ୨୫ ହଜାର ୧୧୫ ମୋବାଇଲ ଟାୱାର ଥିବାବେଳେ ଉପରୋକ୍ତ ଟାୱାରରେ ୭୪ ହଜାର ୭୨ ବିଟିଏସ ରହିଛି। ରାଜ୍ୟରେ ୩.୩୨ କୋଟି ମୋବାଇଲ ଉପଭୋକ୍ତା ରହିଛନ୍ତି। ଏଥିମଧ୍ୟରୁ ଗ୍ରାମାଞ୍ଚଳରେ ୨.୨୧ କୋଟି ଏବଂ ସହରାଞ୍ଚଳରେ ୧.୧ କୋଟି ଉପଭୋକ୍ତା ଅଛନ୍ତି। ରାଜ୍ୟରେ ସାମଗ୍ରିତ ଦୂର ସଞ୍ଚାର ସାନ୍ଦ୍ରତା ବା ଟେଲିଡେନସିଟି ହାର ୮୦% ଥିବାବେଳେ ଜାତୀୟ ସ୍ତରରେ ଏହି ହାର ୮୫% ରହିଛି। ୭ ହଜାର ୧୧୩ ଗାଁରେ ୪ଜି ସଂଯୋଗ ନଥିବା ବେଳେ ଏହି ଗାଁ ଗୁଡ଼ିକରେ ଡିସେମ୍ବର ୨୦୨୩ ସୁଦ୍ଧା ୪ଜି ସେବା ପହଞ୍ଚିବ। ମାଓପ୍ରବଣ ୯ ଜିଲାରେ ମୋବାଇଲ ଟାୱାର ସଂଖ୍ୟା ସିମୀତ ରହିଛି। ପ୍ରାୟତଃ ୨୫୬ ଟାୱାରରେ ୨ଜି ଥିବାବେଳେ ଦ୍ବିତୀୟ ପର୍ଯ୍ୟାୟରେ ୪୮୩ ଟାୱାରରେ ୪ଜିକୁ ଅପଗ୍ରେଡ କରାଯିବ। ଏହି ଜିଲା ଗୁଡ଼ିକରେ ୪୨୨ କୋଟି ଟଙ୍କା ଖର୍ଚ୍ଚ ପାଇଁ ବ୍ୟୟ ଅଟକଳ ଥିବାବେଳେ ମାର୍ଚ୍ଚ ସୁଦ୍ଧା ରିଲାଏନ୍ସ ଜିଓ ପକ୍ଷରୁ ଟାୱାର ବସାଇ ୪ଜି ସେବା ଯୋଗାଇ ଦିଆଯିବ। ଏଥିପାଇଁ ଆବଶ୍ୟକ ଜମି ମାଗଣାରେ ସଂସ୍ଥାକୁ ମିଳିବ। ଆକାଂକ୍ଷୀତ ୧୦ ଜିଲାର ୩ ହଜାର ୯୩୩ ଗାଁରେ ୨୩୭୯ ମୋବାଇଲ ଟାୱାର ବସାଯାଇ ୪ଜି ସେବାକୁ ଅପଗ୍ରେଡ କରାଯିବ। ଏହି ଜିଲା ଗୁଡ଼ିକ ପାଇଁ ୧୮୦୮ କୋଟି ଟଙ୍କା ଖର୍ଚ୍ଚ କରାଯାଇ ଚଳିତ ବର୍ଷ ନଭେମ୍ବର ସୁଦ୍ଧା ରିଲାଏନ୍ସ ଜିଓ କାମ ସାରିବ। ବର୍ତ୍ତମାନ ସୁଦ୍ଧା ୩୫୬୪ ଗାଁରେ ସର୍ବେକ୍ଷଣ ସରିଥିବା ବେଳେ ଅବଶିଷ୍ଟ ଗାଁ ଗୁଡ଼ିକ ପାଇଁ ସର୍ବେକ୍ଷଣ ଚାଲିଛି। ଆବଶ୍ୟକ ଜମି ଅଧିଗ୍ରହଣ ଜାରି ରହିଛି। ୪ଜି ଯୋଜନାରେ ରାଜ୍ୟର ୧୮୧୪ ଗାଁରେ ୧୬୨୯ ମୋବାଇଲ ଟାୱାର ମାଧ୍ୟମରେ ୪ଜି ସେବା ଯୋଗାଇ ଦିଆଯିବ। ଏଥିପାଇଁ ୨ ହଜାର କୋଟି ଟଙ୍କା ବ୍ୟୟ ଅଟକଳ କରାଯାଇଛି। ଡିସେମ୍ବର ଶେଷ ବେଳକୁ ବିଏସଏନଏଲ ପକ୍ଷରୁ ଏହି କାର୍ଯ୍ୟ ପୂର୍ଣ୍ଣାଙ୍ଗ କରାଯିବ। ଭୁବନେଶ୍ବର-ପୁରୀ ଜାତୀୟ ରାଜପଥର ଉଭୟ ପାର୍ଶ୍ବରେ ୪ଜି ସେବା ଆରମ୍ଭ କରାଯିବ। ଏହି କାର୍ଯ୍ୟ ଅଗଷ୍ଟ ଶେଷସୁଦ୍ଧା ସାରିବାକୁ ଲକ୍ଷ୍ୟ ରହିଛି। ବିଏସଏନଏଲ ୧୦୦୦ ଗାଁରେ ୨୫୬ ଟାୱାରରେ ୨ଜି, ୩ଜି ସେବାକୁ ୪ଜିରେ ରୂପାନ୍ତର କରିବ। ଅତିରିକ୍ତ ୫୮୨ ଗାଁରେ ୨ଜି ଓ ୪ଜି ଟେଲିକମ ଅପରେଟର ବ୍ୟବସ୍ଥା କରାଯିବ।

Exit mobile version