Site icon ଆଜିକାଲି

ବ୍ରହ୍ମପୁରର କଲ୍ୟାଣମଣ୍ଡପ, ଧର୍ମାନୁଷ୍ଠାନକୁ ମିଳିଲା ୫.୪୩ କୋଟି : ମୁଖ୍ୟମନ୍ତ୍ରୀଙ୍କ ମଞ୍ଜୁରୀ

ବ୍ରହ୍ମପୁର: ମୁଖ୍ୟମନ୍ତ୍ରୀ ରେଶମ ସହରର ବିଭିନ୍ନ କଲ୍ୟାଣ ମଣ୍ତପ ଓ ଧର୍ମାନୁଷ୍ଠାନର ବିକାଶ ପାଇ ୫.୪୩ କୋଟି ଟଙ୍କା ଅନୁଦାନ ମଞ୍ଜୁର କରିଛନ୍ତି। ୪୦ଟି କମ୍ୟୁନିଟି ହଲ୍‌ ଓ ୩୫ଟି ଧର୍ମାନୁଷ୍ଠାନ ପାଇଁ ପ୍ରଥମ ପର୍ଯ୍ୟାୟରେ ଏହି ଅର୍ଥ ପ୍ରଦାନ କରାଯାଇଛି। ଭାପୁର ବଜାରସ୍ଥିତ ଜାମିଆ ମସଜିଦ୍‌କୁ ସର୍ବାଧିକ ୩୦ ଲକ୍ଷ ଟଙ୍କା ମିଳିଛି। ପାତାଳେଶ୍ଵର ମନ୍ଦିର ଓ ଗିରିରୋଡସ୍ଥିତ ଓଡ଼ିଆ ବାପ୍‌ଟିଷ୍ଟ ଚର୍ଚ୍ଚକୁ ୧୫ ଲକ୍ଷ ଟଙ୍କା ଲେଖାଏଁ ମିଳିଥିବା ବେଳେ କାଳୁଆ ମନ୍ଦିର, ହିଲପାଟଣା ସିଦ୍ଧି ବିନାୟକ ମନ୍ଦିର, ବାସୁଦେବ ନଗର ହନୁମାନ ମନ୍ଦିର, ଗୋଲାପଲ୍ଲୀର ଶୁକ୍ଲାମ୍ବରୀ ମନ୍ଦିର, ପୁରୁଣା ବ୍ରହ୍ମପୁରର କୋଠାରୀ ମନ୍ଦିର, ରାମକୃଷ୍ଣ ନଗରର ଜଗନ୍ନାଥ ମନ୍ଦିର, ଶୁଭମ୍‌ ବିହାରର ଗଣେଶ ମନ୍ଦିରକୁ ୧୦ ଲକ୍ଷ ଲେଖାଏଁ ମିଳିଛି। ସେହିପରି ପାଣ୍ଡବ ନଗର କମ୍ୟୁନିଟି ହଲ୍‌ ଓ ସିନିୟର୍‌ ସିଟିଜେନ୍‌ ଲାଇବ୍ରେରୀ, ଗେଟ୍‌ବଜାର କୁଠାରୀ ମନ୍ଦିର, କପିଳେଶ୍ଵରପେଟା ଶିବ କାଳୀ ମନ୍ଦିର, ଦଳୁଆ ସାହିର ମୁକ୍ତେଶ୍ଵର ମନ୍ଦିର, ଗୋସାଇଁନୂଆଗାଁ ଓ ବିଜିପୁର ଠାକୁରାଣୀ ମନ୍ଦିର, ଶ୍ରୀରାମ ନଗର ଓ ଖାସ୍‌ପା ସାହି ଜଗନ୍ନାଥ ମନ୍ଦିର, ଗୋସାଇଁନୂଆଗାଁ ଚଣ୍ଡି ମନ୍ଦିର, ଚନ୍ଦ୍ରଶେଖର ମନ୍ଦିର ଏବଂ ନୂଆ ବସଷ୍ଟାଣ୍ଡ ରୋଡ୍‌ ଗୋକର୍ଣ୍ଣେଶ୍ଵର ମନ୍ଦିରକୁ ୭ ଲକ୍ଷ ଲେଖାଏ ମଞ୍ଜୁରୀ ମିଳିଛି। ହରିଡ଼ାଖଣ୍ଡିର ଆଖଡ଼ା ଘର, କୈବର୍ତ୍ତ କୁଳ କଲ୍ୟାଣ ମଣ୍ଡପ, କପିଳେଶ୍ଵର କଲ୍ୟାଣ ମଣ୍ଡପ, ବିଶ୍ବକର୍ମା ସଂଘ କଲ୍ୟାଣ ମଣ୍ଡପ କୁଳ କୋଠ ଘର ପାଇଁ ୭ ଲକ୍ଷ ଲେଖାଏଁ ଅର୍ଥ ମଞ୍ଜୁର କରାଯାଇଛି। ମୁଖ୍ୟମନ୍ତ୍ରୀଙ୍କ ବ୍ୟକ୍ତିଗତ ତଥା ୫ଟି ସଚିବ ଭି. କେ. ପାଣ୍ଡିଆନ ଅଗଷ୍ଟ ୨୭ ତାରିଖରେ ବ୍ରହ୍ମପୁର ବିବେକ ବିହାର ଠାରେ ଅଭିଯୋଗ ଶୁଣାଣି ବେଳେ ବ୍ରହ୍ମପୁର ମହାନଗରବାସୀଙ୍କ ଠାରୁ ୫୦୦ରୁ ଅଧିକ ଅଭିଯୋଗପତ୍ର ଗ୍ରହଣ କରିଥିଲେ। ଏହାର ସମାଧାନ ନେଇ ଶୀଘ୍ର ଖୁସି ଖବର ସମସ୍ତେ ପାଇବେ ବୋଲି ମଧ୍ୟ ଆଶ୍ଵାସନା ଦେଇଥିଲେ ସଚିବ ପାଣ୍ଡିଆନ।

ଅପରପକ୍ଷରେ ଗଞ୍ଜାମ ଚାମ୍ବର୍ ଅଫ୍‌ କମର୍ସ ପକ୍ଷରୁ ଟାଉନ୍‌ ହଲ୍‌ ଠାରେ ମୁଖ୍ୟମନ୍ତ୍ରୀଙ୍କ ଉଦ୍ଦେଶ୍ୟରେ କୃତଜ୍ଞତା ଜ୍ଞାପନ ସଭା ହୋଇଥିଲା। ଦକ୍ଷିଣ ଓଡ଼ିଶା ଗ୍ରାମ କଣ୍ଟକ ପରମ୍ବୋକ ଜମି ଉପରେ ୨୦ ପ୍ରତିଶତ ସଲାମୀକୁ ୨ ପ୍ରତିଶତକୁ ହ୍ରାସ କରାଯିବା ନେଇ ମୁଖ୍ୟମନ୍ତ୍ରୀଙ୍କ ଐତିହାସିକ ପଦକ୍ଷେପ ନେଇ ଧନ୍ୟବାଦ ଜଣାଯାଇ ଥିଲା। ଗଞ୍ଜାମ ଜିଲ୍ଲା ତଥା ଦକ୍ଷିଣ ଓଡ଼ିଶାର ଏ ପ୍ରକାର ଜମି କିଣାବିକାରେ ବେଶ୍‌ ସମସ୍ୟା ହେଉଥିଲା। ପଟ୍ଟା ପାଇଁ ବାଣିଜ୍ୟିକ ସମ୍ପତ୍ତିକୁ ବେଞ୍ଚ୍ ମାର୍କ ମୂଲ୍ୟର ୨୦ ପ୍ରତିଶତ ସଲାମୀ ଦେବାକୁ ପଡୁଥିଲା। ଏବେ ତାହା ୨ ପ୍ରତିଶତକୁ ହ୍ରାସ ହୋଇଥିବାରୁ ବହୁ ଉଦ୍ୟୋଗୀ, ବେପାରୀ ଉପକୃତ ହେବେ। ସଭାରେ ବ୍ରହ୍ମପୁର ସାଂସଦ ଚନ୍ଦ୍ରଶେଖର ସାହୁ, ବିଧାୟକ ବିକ୍ରମ ପଣ୍ତା, ମେୟର୍ ସଂଘମିତ୍ରା ଦଳେଇ, ବିଏମ୍‌ସି କମିଶନର ଜେ.ସୋନାଲ, ଉପଜିଲ୍ଲାପାଳ ଆଶୁତୋଷ କୁଲକର୍ଣ୍ଣି, ଚାମ୍ବର୍‌ ଅଫ୍‌ କମର୍ସ ସମ୍ପାଦକ ଭି. ସନ୍ତୋଷ କୁମାର ମଞ୍ଚାସୀନ ଥିଲେ।

Exit mobile version