Site icon ଆଜିକାଲି

ଗଞ୍ଜାମ କାଳିପଲ୍ଲୀରେ ସେନା ଯବାନଙ୍କୁ ହତ୍ୟା ମାମଲାରେ ୫ ଅଭିଯୁକ୍ତ ଗିରଫ

ବ୍ରହ୍ମପୁର -ପୂର୍ବ ଶତ୍ରୁତାକୁ କେନ୍ଦ୍ର କରି ଜଣେ ଯବାନଙ୍କୁ ପିଟି ପିଟି ହତ୍ୟା ମାମଲାରେ ୫ ଜଣ ଅଭିଯୁକ୍ତଙ୍କୁ ଗିରଫ କରାଯାଇଛି। ଗଞ୍ଜାମ ଜିଲ୍ଲା ଚମାଖଣ୍ଡି ଥାନା ପୋଲିସ ଅଭିଯୁକ୍ତଙ୍କୁ ଗିରଫ କରିଛି । ସେମାନଙ୍କଠାରୁ ୨ଟି ବାଇକ ଓ ମୋବାଇଲ ଜବତ ହୋଇଛି। ଗିରଫ ଅଭିଯୁକ୍ତମାନେ ହେଲେ କାଳିପଲ୍ଲୀ ଗାଁର ସି.ଏଚ ଶେଖର ପାତ୍ର, ଜେ. କଲ୍ୟାଣୀ ପାତ୍ର, ବି. ଚିନେୟା ପାତ୍ର, ସି.ଏଚ୍ ବିକି କୁମାର ପାତ୍ର ଓ ବି. ବୁଲୁ ପାତ୍ର । ଅଭିଯୁକ୍ତଙ୍କ ଗିରଫ ନେଇ ଗଞ୍ଜାମ ପୋଲିସ ପ୍ରେସମିଟରେ ସୂଚନା ଦେଇଛନ୍ତି। ଅନ୍ୟ ଜଣେ ଅଭିଯୁକ୍ତଙ୍କୁ ଖୁବ୍ ଶୀଘ୍ର ଗିରଫ କରାଯିବା ସହ ଏହି ଘଟଣାରେ ଅନ୍ୟ କାହାର ସଂପୃକ୍ତି ଅଛି କି ନାହିଁ, ତାହା ତଦନ୍ତ କରାଯାଉଛି ବୋଲି ଗଞ୍ଜାମ ପୋଲିସ କହିଛନ୍ତି।

ସୂଚନା ମିଳିଛି ଯେ, ଗଣେଶ ପୂଜା ଭସାଣୀ ବେଳେ ଦୁଇ ଗୋଷ୍ଠୀ ମଧ୍ୟରେ ସଂଘର୍ଷ ହୋଇଥିଲା । ଗୋଟିଏ ଗୋଷ୍ଠୀର ନେତୃତ୍ବ ଯବାନ ଜଣକ ନେଇଥିଲେ। ପରେ ଏକ କ୍ରିକେଟ୍ ମ୍ୟାଚରେ ମଧ୍ୟ ଗଣ୍ଡଗୋଳ ପରେ ଅଭିଯୁକ୍ତମାନେ ଯବାନ ଦିଲେଶ୍ୱର ପାତ୍ରଙ୍କୁ ମରଣାନ୍ତକ ଆକ୍ରମଣ କରିଥିଲେ ।

ଗଞ୍ଜାମ ଜିଲ୍ଲା କାଳିପଲ୍ଲୀ ଗାଁର ଜେ. ଦିଲେଶ୍ୱର ପାତ୍ର ଭାରତୀୟ ସେନାରେ କାର୍ଯ୍ୟରତ ଥିଲେ । ସେ ଛୁଟିରେ ଘରକୁ ଆସିଥିଲେ । ଗତ ରବିବାର ଦିନ ଏକ କ୍ରିକେଟ ମ୍ୟାଚ ଦେଖିବାକୁ ଯାଇଥିବା ବେଳେ ତାଙ୍କ ସହ ଅନ୍ୟ ଗୋଷ୍ଠୀର ଯୁବକଙ୍କ ବଚସା ହୋଇଥିଲା । ଘରକୁ ଫେରିବା ବେଳେ ସଂଘବଦ୍ଧ ଆକ୍ରମଣରେ ସେ ଗୁରୁତର ଆହତ ହୋଇଥିଲେ । ପରେ ସେ ଆଖି ବୁଜିଥିଲେ ।

Exit mobile version