Site icon ଆଜିକାଲି

ବ୍ରାହ୍ମଣୀ ନଦୀରେ ନିର୍ମାଣାଧୀନ ସେତୁ କାର୍ଯ୍ୟର ସମୀକ୍ଷା କଲେ ୫ଟି ଅଧ୍ୟକ୍ଷ ଭି.କେ. ପାଣ୍ଡିଆନ୍

କେନ୍ଦ୍ରାପଡା : ୫ଟି ଅଧ୍ୟକ୍ଷ ଭି.କେ. ପାଣ୍ଡିଆନ୍ ସୋମବାର କେନ୍ଦ୍ରାପଡା ଜିଲ୍ଲା ଗସ୍ତ କରିଛନ୍ତି l ଅପରାହ୍ନ ୩ଟାରେ ସେ ରାଜନଗର ବ୍ଲକର କେରଡାଗଡରେ ହେଲିକପ୍ଟର ଯୋଗେ ପହଞ୍ଚିଥିଲେ l ସେଠାରୁ ବାହାରିବା ପରେ ୫ଟି ଅଧ୍ୟକ୍ଷ ବ୍ରାହ୍ମଣୀ ନଦୀରେ ନିର୍ମାଣାଧୀନ ସେତୁ କାର୍ଯ୍ୟର ସମୀକ୍ଷା କରିବା ସହ କେରଡାଗଡ ଶ୍ରୀ ଜଗନ୍ନାଥ ମନ୍ଦିରର ଉନ୍ନୟନ ମୂଳକ କାର୍ଯ୍ୟର ଅଗ୍ରଗତି ସମ୍ପର୍କରେ ବିଭାଗୀୟ ଅଧିକାରୀଙ୍କ ସହ ଆଲୋଚନା କରିଥିଲେ l ପରେ ପରେ ସ୍ଥାନୀୟ ଅଞ୍ଚଳରେ ଜନସାଧାରଣଙ୍କୁ ଉଦବୋଧନ ଦେଇ ସେମାନଙ୍କ ସହିତ ବିଭିନ୍ନ ପ୍ରସଙ୍ଗରେ ଆଲୋଚନା କରିଥିଲେ l

ପଟ୍ଟାମୁଣ୍ଡାଇ ଆସିବା ବାଟରେ ଗୋପାଳପୁର ଓ ମଦନପୁର ଛକରେ ମଧ୍ୟ ଜନସାଧାରଣଙ୍କୁ ସ୍ୱଳ୍ପ ସମୟ ପାଇଁ ଉଦବୋଧନ ଦେଇଥିଲେ l କଟକ ଚାନ୍ଦବାଲି ରାସ୍ତାର ପଟ୍ଟାମୁଣ୍ଡାଇ ଠାରେ ଡାକବଙ୍ଗଳା ଛକ ଓ ଗୋଗୁଆ ଛକରେ ମଧ୍ୟରେ ଉପସ୍ଥିତ ଥିବା ଦଳୀୟ କର୍ମୀ ଓ ଜନସାଧାରଣ ଙ୍କ ସହ ବିଭିନ୍ନ ପ୍ରସଙ୍ଗରେ ଆଲୋଚନା କରିଥିଲେ l କେନ୍ଦ୍ରାପଡାରେ ଖୁବଶୀଘ୍ର ଲକ୍ଷ୍ମୀ ବସ୍ ଚାଲିବା ନେଇ ପ୍ରତିଶ୍ରୁତି ଦେଲେ ୫ଟି ଅଧ୍ୟକ୍ଷ ଭି.କେ. ପାଣ୍ଡିଆନ୍ । ମହିଳା, ଛାତ୍ରଛାତ୍ରୀଙ୍କ ପାଇଁ ଲକ୍ଷ୍ମୀ ବସରେ ଟିକେଟର ଦାମ୍‌ ରହିବ ୫ ଟଙ୍କା । ଆଶା କରିବା ମାଆ ମାନେ ଏବଂ ଛାତ୍ରଛାତ୍ରୀମାନେ ଏହି ବସର ସଦୁପଯୋଗ କରିପାରିବେ ।

ମୁଖ୍ୟମନ୍ତ୍ରୀ ଖୁବଶୀଘ୍ର ଆପଣଙ୍କୁ ଖୁସି ଖବର ଦେବେ । ବିଜୁ ସ୍ବାସ୍ଥ୍ୟ କଲ୍ୟାଣ ଯୋଜନାରେ ଯେଉଁମାନେ କାର୍ଡ ପାଇନାହାନ୍ତି ସେମାନଙ୍କୁ ଖୁବଶୀଘ୍ର କାର୍ଡ ଯୋଗାଇ ଦିଆଯିବ । ଆମେ ସମସ୍ତେ ମିଶି ଓଡିଶା ପାଇଁ ଭଲ କାମ କରିବା । ମୁଖ୍ୟମନ୍ତ୍ରୀ କଥା କମ୍‌ କୁହନ୍ତି, କାମ କରି ଦେଖାନ୍ତି । ଆମେ ସମସ୍ତେ ତାଙ୍କର ଶିଷ୍ୟ । ବହୁତ କମ୍ କଥା କହିବି, କାମ କରିବି ବୋଲି ୫ଟି ଅଧ୍ୟକ୍ଷ ନିଜ ଉଦବୋଧନରେ କହିଛନ୍ତି ।

ସନ୍ଧ୍ୟା ୬ଟାରେ ୫ଟି ଅଧ୍ୟକ୍ଷ କେନ୍ଦ୍ରାପଡାର ତିନିମୁହାଣୀ ଛକ ଠାରେ ପହଁଚିଥିଲେ l ସେଠାରେ ତାଙ୍କୁ ଭବ୍ୟ ସ୍ଵାଗତ ସମ୍ବର୍ଦ୍ଧନା ଦିଆଯାଇଥିଲା l ସେଠାରୁ ଶୋଭାଯାତ୍ରାରେ ବାହାରି ସହର ପରିକ୍ରମା କରି ଶ୍ରୀ ବଳଦେବଜୀଉଙ୍କ ମନ୍ଦିରରେ ପହଞ୍ଚିଥିଲେ l ପ୍ରଥମେ ଉପସ୍ଥିତ ଜନତା ଓ ଶ୍ରଦ୍ଧାଳୁଙ୍କୁ ଉଦବୋଧନ ଦେଇଥିଲେ l ପରେ ଶ୍ରୀ ବଳଦେବଜୀଉଙ୍କ ଦର୍ଶନ କରି ଭୁବନେଶ୍ଵର ଅଭିମୁଖେ ବାହାରିଥିଲେ l ୫ଟି ଅଧ୍ୟକ୍ଷଙ୍କୁ ବିଭିନ୍ନ ସ୍ଥାନରେ ସମ୍ବର୍ଦ୍ଧନା ଦିଆଯାଇଥିଲା l ଦଳୀୟ କର୍ମୀମାନେ ଶୋଭାଯାତ୍ରାରେ ତାଙ୍କୁ ପାଛୋଟି ନେଇଥିଲେ l ୫ଟି ଅଧ୍ୟକ୍ଷ କେନ୍ଦ୍ରାପଡାରେ ପ୍ରାୟ ୪ ଘଣ୍ଟା ରହିଥିଲେ l ସେହି ସମୟରେ ଅନେକ ଲୋକଙ୍କୁ ଭେଟିବା ସହ ବିଭିନ୍ନ କାର୍ଯ୍ୟର ସମୀକ୍ଷା କରିଥିଲେ l

Exit mobile version