Site icon ଆଜିକାଲି

ଦୁର୍ଘଟଣାର ୫୧ ଘଣ୍ଟା ପରେ ଟ୍ରାକରେ ଗଡ଼ିଲା ଟ୍ରେନ, ଈଶ୍ଵରଙ୍କୁ ପ୍ରଣାମ କଲେ ରେଳମନ୍ତ୍ରୀ

ବାଲେଶ୍ଵର: ବାହାନଗାରେ ଘଟିଥିବା ଭୟଙ୍କର ଟ୍ରେନ ଦୁର୍ଘଟଣା ପରେ ଶେଷରେ ଦୁର୍ଘଟଣାସ୍ଥଳରୁ ଗଡ଼ିଲା ମାଲବାହୀ ଟ୍ରେନ। ଶୁକ୍ରବାର ଦୁର୍ଘଟଣା ପରେ ଉକ୍ତ ରୁଟରେ ଟ୍ରେନ ଚଳାଚଳ ସଂପୂର୍ଣ୍ଣ ବନ୍ଦ ରହିଥିଲା। ତେବେ ରେଳ ମନ୍ତ୍ରୀ, ରେଲଓ୍ଵେ ଅଧିକାରୀ ଏବଂ କର୍ମଚାରୀଙ୍କ ଦୀର୍ଘ ୫୧ ଘଣ୍ଟାର ଅକ୍ଳାନ୍ତ ପରିଶ୍ରମ ପରେ ରବିବାର ସନ୍ଧ୍ୟାରେ ଟ୍ରାକ ଲାଇନ କାମ ଶେଷ ହୋଇଥିଲା। ଏହା ପରେ ବାହାନଗା ଟ୍ରାକରେ ପ୍ରଥମ ଟ୍ରେନ ଗଡ଼ିଛି। ଏହି ସମୟରେ ରେଳ ମନ୍ତ୍ରୀ ଉପସ୍ଥିତ ଥିଲେ ଏବଂ ସେ ହାତ ଯୋଡ଼ି ଭଗବାନଙ୍କୁ ପ୍ରାର୍ଥନା କରୁଥିବା ଦେଖିବାକୁ ମିଳିଛି।

ଦେଶରେ ଘଟିଥିବା ସବୁଠୁ ଭୟାନକ ରେଳ ଦୁର୍ଘଟଣା ମଧ୍ୟରୁ ଏକ କୁହାଯାଉଥିବା ବାହାନଗା ଦୁର୍ଘଟଣାରେ ୨୭୫ ଜଣଙ୍କ ମୃତ୍ୟୁ ଘଟିଥିବା ବେଳେ ୧୧୦୦ରୁ ଅଧିକ ଆହତ ହୋଇଛନ୍ତି। ରେଳ ବିଭାଗର ଦେଢ଼ ହଜାର କର୍ମଚାରୀ ଟ୍ରାକ ନିର୍ମାଣ କାମରେ ନିୟୋଜିତ ଅଛନ୍ତି। ଦୀର୍ଘ ୫୧ ଘଣ୍ଟାର ମରାମତି କାମ ପରେ ଶେଷରେ ଦୁର୍ଘଟଣାଗ୍ରସ୍ତ ଟ୍ରାକରେ ଟ୍ରେନ ଚାଲିଛି। ଅଶ୍ଵିନ ବୈଷ୍ଣବ କହିଛନ୍ତି, ବର୍ତ୍ତମାନ ଟ୍ରେନ ଚଳାଚଳ ଆରମ୍ଭ ହୋଇଛି। ବର୍ତ୍ତମାନ ଏହି ଟ୍ରାକ ଟ୍ରେନ ଚଳାଚଳ ପାଇଁ ଫିଟ୍ ହୋଇଛି।

ଟୁଇଟ୍ କରି ରେଳ ମନ୍ତ୍ରୀ ବୈଷ୍ଣବ ଲେଖିଛନ୍ତି, ଡାଉନ ଲାଇନର ମରାମତି କାମ ସଂପୂର୍ଣ୍ଣ ହୋଇଛି। ଏହି ସେକ୍ସନରେ ପ୍ରଥମ ଟ୍ରେନ ଗତି କରିଛି। ଏହା ପୂର୍ବରୁ ବୈଷ୍ଣବ ଟୁଇଟ୍ କରିଥିଲେ ଯେ, ମୁଖ୍ୟ ଲାଇନର ମରାମତି କାମ ସଂପୂର୍ଣ୍ଣ ହୋଇଛି ଏବଂ ବିଦ୍ୟୁତକରଣ କାମ ଆରମ୍ଭ ହୋଇ ଯାଇଛି।

ଟ୍ରାକର ମରାମତି ପାଇଁ ୭ରୁ ଅଧିକ ପୋକଲେନ ମେସିନ, ୨ ଦୁର୍ଘଟଣା ରିଲିଫ ଟ୍ରେନ, ୩-୪ ଟ୍ରେନ ସହ ରୋଡ୍ କ୍ରେନ ନିୟୋଜିତ ଥିଲେ।। ଯେତେ ବଗି ଓଲଟିଥିଲା ସବୁ ଟ୍ରାକରୁ ହଟା ଯାଇଛି। ବିଦ୍ୟୁତୀକରଣ କାମ ଜୋରସୋରରେ ଚାଲିଛି। ବୁଧବାର ସକାଳ ସୁଦ୍ଧା ଟ୍ରେନ ଚଳାଚଳ ସ୍ଵାଭାବିକ ହୋଇଯିବ ବୋଲି ରେଲଓ୍ଵେ ପୂର୍ବରୁ ସୂଚନା ଦିଆଯାଇଥିଲା।

Exit mobile version