Site icon ଆଜିକାଲି

ଗଞ୍ଜାମ ଗସ୍ତ କରି ଜିଲ୍ଲାରେ କଲେଜ ରୂପାନ୍ତରଣ କାର୍ଯ୍ୟର ଅଗ୍ରଗତି ସମୀକ୍ଷା କଲେ ୫-ଟି ଅଧ୍ୟକ୍ଷ

ବ୍ରହ୍ମପୁର – ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ନିର୍ଦ୍ଦେଶକ୍ରମେ ୫-ଟି ଓ ନବୀନ ଓଡ଼ିଶା ଅଧ୍ୟକ୍ଷ କାର୍ତ୍ତିକ ପାଣ୍ଡିଆନ ଆଜି ଗଞ୍ଜାମ ଗସ୍ତ କରି ଜିଲ୍ଲାରେ କଲେଜ ରୂପାନ୍ତରଣ ପ୍ରକଳ୍ପ କାର୍ଯ୍ୟର ଅଗ୍ରଗତିର ସମୀକ୍ଷା କରିବା ସହ ଛାତ୍ରଛାତ୍ରୀମାନଙ୍କ ସହ ଆଳାପ ଆଲୋଚନା କରିଛନ୍ତି। ଏଥିସହ ସେ ବ୍ରହ୍ମପୁରରେ ଆୟୋଜିତ ନୂଆ-ଓ କାର୍ଯ୍ୟକ୍ରମରେ ଯୋଗ ଦେଇ ଜିଲ୍ଲାର କଲେଜ ଛାତ୍ରଛାତ୍ରୀମାନଙ୍କ ସହ ଆଲୋଚନା କରିଛନ୍ତି। ନୂଆ -ଓ କାର୍ଯ୍ୟକ୍ରମ କିପରି ଯୁବଗୋଷ୍ଠୀ ପାଇଁ ଏକ ବୌଦ୍ଧିକ ଓ ସାମଗ୍ରିକ ବ୍ୟକ୍ତିତ୍ଵ ବିକାଶ ମଂଚ ପାଲଟିଛି, ସେ ବିଷୟରେ ଛାତ୍ରଛାତ୍ରୀମାନଙ୍କ ସହ ୫-ଟି ଅଧ୍ୟକ୍ଷ ଆଲୋଚନା କରିବା ସହ ସେମାନଙ୍କୁ କଠୋର ଅଧ୍ୟବସାୟ ଓ ଆତ୍ମବିଶ୍ଵାସର ସହ ଜୀବନରେ ସଫଳ ହେବା ପାଇଁ ଆହ୍ୱାନ ଦେଇଥିଲେ। ଏ କ୍ଷେତ୍ରରେ ସେ ଗଞ୍ଜାମ ଜିଲ୍ଲାର ସଫଳ ବ୍ୟକ୍ତି ବିଶେଷଙ୍କ ଉଦାହରଣ ଦେଇଥିଲେ।ଛାତ୍ରଛାତ୍ରୀମାନଙ୍କ ସହ ଆଲୋଚନାରେ ୫-ଟି ଅଧ୍ୟକ୍ଷ ନିଉୟର୍କରେ ଥିବା କଗନିଜାଣ୍ଟ ସିଇଓ ଏସ୍ . ରବି କୁମାର, ନାସା ବୈଜ୍ଞାନିକ କୈଳାଶ ଚନ୍ଦ୍ର ସାହୁ, ତେଜାସ ଏୟାରକ୍ରାଫ୍ଟ ଆର୍କିଟେକ୍ଟ, ଭାବା ଆଣବିକ ଗବେଷଣା କେନ୍ଦ୍ରର ବରିଷ୍ଠ ବୈଜ୍ଞାନିକ ନାଗଭୂଷଣ ଆଚାର୍ଯ୍ୟ ଓ ରାଜ୍ୟଗୋଷ୍ଠୀ କ୍ରୀଡା ସ୍ୱର୍ଣ୍ଣ ପଦକ ବିଜେତା ଭାରତ୍ତୋଳକ କେ. ରବି କୁମାରଙ୍କ ଉଦାହରଣ ଦେଇଥିଲେ ୫-ଟି ଅଧ୍ୟକ୍ଷ।

ଶାରୀରିକ ଭାବେ ସୁସ୍ଥ ରହିବା ପାଇଁ ମଧ୍ୟ ଛାତ୍ରଛାତ୍ରୀମାନଙ୍କୁ ପରାମର୍ଶ ଦେଇଛନ୍ତି ୫-ଟି ଅଧ୍ୟକ୍ଷ ।ନିଇତି ଅଧଘଣ୍ଟା ବ୍ୟାୟାମ କରିବା ନିହାତି ଆବଶ୍ୟକ ବୋଲି ଛାତ୍ରଛାତ୍ରୀଙ୍କୁ ପରାର୍ମଶ ଦେଇଛନ୍ତି କାର୍ତ୍ତିକ ପାଣ୍ଡିଆନ । ନିଜ ବୁଦ୍ଧିକୁ ଶାନ୍ତିରେ ଉପଯୋଗ କଲେ ନିଶ୍ଚିତ ସଫଳତା ମିଳିବ ବୋଲି ସେ କହିଛନ୍ତି । ସେହିଭଳି ୧୫ ମିନିଟ ଯୋଗଧ୍ୟାନ କଲେ ଏକାଗ୍ରତା ବଢିବ ବୋଲି ଛାତ୍ରଛାତ୍ରୀଙ୍କୁ ପରାମର୍ଶ ଦେଇଛନ୍ତି ପାଣ୍ଡିଆନ । ମାତାପିତା, ଶିକ୍ଷକମାନଙ୍କୁ ସମ୍ମାନ ଦେବା ସହ ସେମାନଙ୍କ ପରାମର୍ଶ ନେବାକୁ ୫-ଟି ଅଧ୍ୟକ୍ଷ ଛାତ୍ରଛାତ୍ରୀମାନଙ୍କୁ କହିଥିଲେ। ପରେ ଜିଲ୍ଲାରେ ଚାଲିଥିବା କଲେଜ ରୂପାନ୍ତରଣ ପ୍ରକଳ୍ପ କାର୍ଯ୍ୟର ଅଗ୍ରଗତିର ସମୀକ୍ଷା କରିଥିଲେ ପାଣ୍ଡିଆନ। ୧୫୬ଟି କଲେଜରେ ସ୍ମାର୍ଟ ଶ୍ରେଣୀ ଗୃହ, ଇ-ଲାଇବ୍ରେରୀ, ପରୀକ୍ଷାଗାର ଆଦି ବ୍ୟବସ୍ଥା ପାଇଁ ୯୨ କୋଟି ଟଙ୍କା ମଞ୍ଜୁର କରାଯାଇଛି। ରୂପାନ୍ତରଣ କାର୍ଯ୍ୟ ଠିକ୍ ଭାବେ ଚାଲିଛି । ସବୁ କଲେଜର ରୂପାନ୍ତରଣ କାର୍ଯ୍ୟ ଫେବ୍ରୁଆରୀ ସୁଦ୍ଧା ଶେଷ କରିବାକୁ ୫-ଟି ତଥା ନବୀନ ଓଡ଼ିଶା ଅଧ୍ୟକ୍ଷ ପ୍ରଶାସନକୁ ନିର୍ଦ୍ଦେଶ ଦେଇଛନ୍ତି।

Exit mobile version