Site icon ଆଜିକାଲି

କଳାହାଣ୍ଡି ଜିଲ୍ଲା ଗସ୍ତରେ ୫-ଟି ସଚିବ, ବିଭିନ୍ନ ଉନ୍ନୟନମୂଳକ ପ୍ରକଳ୍ପର ଅଗ୍ରଗତିର ସମୀକ୍ଷା

ଭବାନୀପାଟଣା : ରାଜ୍ୟ ସରକାରଙ୍କ ୫-ଟି ସଚିବ ଭି.କେ. ପାଣ୍ଡିଆନଙ୍କ ଦୁଇଦିନିଆ କଳାହାଣ୍ଡି ଜିଲ୍ଲା ଗସ୍ତ ଆଜିଠୁ ଆରମ୍ଭ ହୋଇଛି । ଆଜି ଗସ୍ତର ପ୍ରଥମ ଦିନରେ ଜିଲ୍ଲାରେ କାର୍ଯ୍ୟକାରୀ ହେଉଥିବା ବିଭିନ୍ନ ନୂତନ ପ୍ରକଳ୍ପର ଅଗ୍ରଗତି ସମ୍ପର୍କରେ ସମୀକ୍ଷା କରିଛନ୍ତି ୫-ଟି ସଚିବ । ବିଶେଷକରି ନିର୍ମାଣାଧିନ ସରକାରୀ ମେଡ଼ିକାଲ କଲେଜ ଓ ନୂତନ ବସଷ୍ଟାଣ୍ଡର ଅଗ୍ରଗତି ଆଦି ସମ୍ପର୍କରେ ଅଧିକାରୀଙ୍କ ସହିତ ଆଲୋଚନା କରିଛନ୍ତି ପାଣ୍ଡିଆନ ।

ସେ ସରକାରୀ ମେଡ଼ିକାଲ କଲେଜର ନବନିର୍ମିତ ଅଡିଟୋରିୟମ, କଳାହାଣ୍ଡି ଜିଲ୍ଲାର ବିଭିନ୍ନ କଲେଜ ପରିଦର୍ଶନ କରିବା ସହ ଛାତ୍ରଛାତ୍ରୀମାନଙ୍କ ସହିତ ଆଲୋଚନା କରିବା ପରେ କୃଷି ମହାବିଦ୍ୟାଳୟ ଗସ୍ତରେ ଯାଇଥିଲେ। ଏଥିସହ ଭବାନୀପାଟଣା ସହରର ବିଭିନ୍ନ ବର୍ଗର ବୁଦ୍ଧିଜୀବୀଙ୍କ ସହିତ ଆଲୋଚନା କରିଥିଲେ । ପରେ ସ୍ଥାନୀୟ ଟାଉନ ହଲରେ ଏସଏଚଜି ମହିଳାଙ୍କ ସହିତ ଆଲୋଚନା କରିଥିଲେ । ଏହାପରେ ଭବାନୀପାଟଣା ବ୍ଳକର ଭଟ୍ଟାଙ୍ଗପଦର ଇକୋଟୁରିଜିମଠାରେ ଜିଲ୍ଲାପାଳ ପି. ଅନ୍ୱେଷା ରେଡି ଓ ଅନ୍ୟ ଅଧିକାରୀମାନଙ୍କ ସହିତ ଜିଲ୍ଲାରେ କାର୍ଯ୍ୟକାରୀ ହେଉଥିବା ବିଭିନ୍ନ ଯୋଜନାର ସମୀକ୍ଷା କରିଥିଲେ।

୫-ଟି ସଚିବ ୧୯ ତାରିଖ ଉତକେଲା ଏୟାର ଷ୍ଟ୍ରିପରେ ପହଞ୍ଚିଲା ପରେ ସେଠାରେ ଜିଲ୍ଲାପାଳ ପି . ଅନ୍ୱେଷା ରେଡ୍ଡୀ, ଏସପି ଅଭିଳାଷ ଜୀ ପ୍ରମୁଖ ସ୍ୱାଗତ କରିଥିଲେ । ସେଠାରୁ ସେ କେସିଙ୍ଗା, ମଦନପରାମପୁର ଓ ନର୍ଲା ବ୍ଲକର ବିଭିନ୍ନ ପ୍ରକଳ୍ପ ପରିଦର୍ଶନ କରିବା ସହିତ ସ୍ଥାନୀୟ ଲୋକ ଓ ଲୋକ ପ୍ରତିନିଧିମାନଙ୍କ ସହିତ ସ୍ଥାନୀୟ ସମସ୍ୟା ଓ ଉକ୍ତ ପ୍ରକଳ୍ପର କାର୍ଯ୍ୟ ଉପରେ ଆଲୋଚନା କରିଥିଲେ । ପରେ ସେ ଅପରାହ୍ନରେ ଭବାନୀପାଟଣା ପହଞ୍ଚି ପୋଲିସ ହାଇସ୍କୁଲର ୫-ଟି ଆଧୁନିକୀକରଣ କାର୍ଯ୍ୟ ବୁଲି ଦେଖିବା ସହିତ ଶିକ୍ଷକ ଓ ଛାତ୍ରଛାତ୍ରୀଙ୍କ ସହିତ ସିଧାସଳଖ ଆଲୋଚନା କରିଥିଲେ । ପରେ ସେ ନୂତନ ବସଷ୍ଟାଣ୍ଡର ଅଗ୍ରଗତି ଉପରେ ସମ୍ପୃକ୍ତ ଅଧିକାରୀଙ୍କ ସହିତ ଆଲୋଚନା କରିବା ପରେ ଆଶା ସାଗର ପରିଦର୍ଶନ କରିଥିଲେ ।

ସେଠାରେ ଭବାନୀପାଟଣା ନଗରପାଳିକା ସଂଯୁକ୍ତା ବେହେରା ପାଣ୍ଡିଆନଙ୍କୁ ଆଶାସାଗର ବିକାଶ ସହିତ ଭବାନୀପାଟଣା ପୌରପରିଷଦର ବିକାଶ ଉପରେ ଆଲୋଚନା କରିଥିଲେ। ପରେ ନଗରପାଳିକା ୫-ଟି ସଚିବଙ୍କୁ ପୃଥକ ପୃଥକ ଭାବେ ୩ଟି ଦାବିପତ୍ର ପ୍ରଦାନ କରିଥିଲେ । ଆଶା ସାଗରର ପୁନରୁଦ୍ଧାର ଉପରେ ପ୍ରଶାସନ ସହିତ ଆଲୋଚନା କରିଥିଲେ । ଏହାପରେ ଜୁନାଗଡ଼ ବିଜୁ ପଟ୍ଟନାୟକ ଷ୍ଟାଡିୟମ ଓ ମା’ ଲଙ୍କେଶ୍ବରୀ ମନ୍ଦିର ଯାଇ ଉନ୍ନୟନ ନେଇ ଆଲୋଚନା କରିଥିଲେ ୫-ଟି ସଚିବ । ଆସନ୍ତାକାଲି ମଧ୍ୟ ୫-ଟି ସଚିବଙ୍କ ବ୍ୟସ୍ତବହୁଳ କାର୍ଯ୍ୟକ୍ରମ ରହିଛି।

Exit mobile version