Site icon ଆଜିକାଲି

ମଧୁ ସ୍ମୃତି ପୀଠ ପରିଦର୍ଶନ କଲେ ୫-ଟି ସଚିବ : ଉତ୍କଳ ଗୌରବଙ୍କ ଜନ୍ମପୀଠ ଓ କର୍ମଭୂମି ହେବ ‘ଏକକ ସଂଗ୍ରହାଳୟ କମ୍ପ୍ଲେକ୍ସ’

ଭୁବନେଶ୍ୱର: ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ନିର୍ଦ୍ଦେଶରେ ୫ଟି ସଚିବ ଭି.କେ ପଣ୍ଡିଆନ ଆଜି ପ୍ରତ୍ୟୁଷରେ କଟକ ଯାଇ ଉତ୍କଳ ଗୌରବ ମଧୁସୂଦନ ଦାସଙ୍କ ଜନ୍ମପୀଠ ପରିଦର୍ଶନ କରି ମଧୁବାବୁଙ୍କୁ ଶ୍ରଦ୍ଧାଞ୍ଜଳି ଅର୍ପଣ କରିଥିଲେ ଏବଂ ଏହାର ବିକାଶ ସମ୍ପର୍କରେ ସ୍ଥାନୀୟ ଲୋକ ଓ ପ୍ରଶାସନ ସହ ଆଲୋଚନା କରିଥିଲେ । ୫ଟି କାର୍ଯ୍ୟକ୍ରମରେ ବିକାଶ କାମ ହେବ । ଆଗାମୀ ଅପ୍ରେଲ ୧୫ ସୁଦ୍ଧା ଯୋଜନା ପ୍ରସ୍ତୁତ କରାଯାଇ ମୁଖ୍ୟମନ୍ତ୍ରୀ ଙ୍କ ଅନୁମୋଦନ ନିମନ୍ତେ ଉପସ୍ଥାପନ କରାଯିବ । ମଧୁବାବୁଙ୍କ ଜନ୍ମ ପୀଠରେ ଏକ ସଂଗ୍ରହାଳୟ ପ୍ରତିଷ୍ଠା କରାଯିବ । ମଧୁବାବୁଙ୍କ ଶହେ ବର୍ଷ ପୁରୁଣା ଉଭୟ ଜନ୍ମପୀଠ ଓ କର୍ମ ଭୂମିକୁ ଏକ ‘ଏକକ ସଂଗ୍ରହାଳୟ ପରିସର’ ଭାବରେ ବିକଶିତ କରାଯାଇ ଏହି ଐତିହ୍ୟ ସ୍ଥଳର ସଂରକ୍ଷଣ କରାଯିବ।

ସୂଚନାଯୋଗ୍ୟ ଯେ, କଲିକତାରୁ ଫେରିବା ପରେ ମଧୁ ବାବୁ ତାଙ୍କ ଜନ୍ମସ୍ଥାନ ନିକଟସ୍ଥ ଏକ ଘରେ ରହି ଓଡ଼ିଶା ମା’ର ସେବାରେ ନିଜକୁ ନିୟୋଜିତ କରିଥିଲେ।ଏହା ତାଙ୍କର କର୍ମ ଭୂମି ଭାବେ ପ୍ରସିଦ୍ଧ। ଜନ୍ମପୀଠ ଓ କର୍ମଭୂମିକୁ ସଂଯୋଗ କରୁଥିବା ଗଳି ରାସ୍ତାର ଉନ୍ନତି କରାଯାଇ ଏହାର ପୁନରୁଦ୍ଧାର କରାଯିବ। କୁହାଯାଏ ଯେ ମଧୁବାବୁଙ୍କ ମା’ ଏହି ରାସ୍ତାରେ ହିଁ ତାଙ୍କ ନିଜ ଜନ୍ମ ପୀଠରୁ ତାଙ୍କ ପାଇଁ କର୍ମଭୂମି ସ୍ଥାନକୁ ପ୍ରତିଦିନ ଖାଦ୍ୟ ନେଇ ଆସୁଥିଲେ।

ଏଠାରେ ଲାଇଟ୍ ଓ ସାଉଣ୍ଡ ସୋ’ର ବ୍ୟବସ୍ଥା ମଧ୍ୟ କରାଯିବ। ଏଥିରେ ମଧୁବାବୁଙ୍କ ଗୌରବମୟ ଜୀବନୀ ଓ ତାଙ୍କ କୀର୍ତ୍ତି ର ବ୍ୟାଖ୍ୟାନ କରାଯିବ। ଓଡ଼ିଶା ଓ ଓଡ଼ିଶା ବାହାରୁ ଆସୁଥିବା ଦର୍ଶକ ମାନଙ୍କ ସୁବିଧା ପାଇଁ ବହୁ ଭାଷୀ ବ୍ୟାଖ୍ୟାନର ବ୍ୟବସ୍ଥା ରହିବ। ମଧୁବାବୁଙ୍କ ଜୀବନୀ ଓ ଐତିହ୍ୟ ସ୍ଥଳ ସହ ଜଡିତ ସବୁ ସଂପୃକ୍ତ ବ୍ୟକ୍ତି ମାନଙ୍କ ସହ ଆଲୋଚନା କରାଯାଇ ଏହି ସଂଗ୍ରହାଳୟର ବିକାଶ କରାଯିବ।

ଏହି କାମର ମାନକୁ ଅତ୍ୟନ୍ତ ଉଚ୍ଚ କୋଟିର କରିବା ପାଇଁ ଯୋଜନା କରିବାକୁ ପାଣ୍ଡିଆନ ନିର୍ଦ୍ଦେଶ ଦେଇଛନ୍ତି। ସତ୍ୟଭାମାପୁରରେ ଖଣ୍ଡଲିଟ୍ ପଥରରେ ସ୍ଵାଗତ ତୋରଣ କରାଯିବ । କର୍ମଭୂମି ନିକଟରେ ଏକ ପାର୍କିଂ ସ୍ଥାନ ମଧ୍ୟ କରାଯିବ। ଏହି ଅବସରରେ ପାଣ୍ଡିଆନ ମଧୁବାବୁଙ୍କ ଜନ୍ମ ପୀଠରେ କସ୍ତୁରବା ଜାତୀୟ ସ୍ମାରକୀ ଟ୍ରଷ୍ଟ ପରିଚାଳିତ ଚାଇଲ୍ଡ କେୟାର ଇନଷ୍ଟିଚ୍ୟୁଟର ଅନ୍ତେବାସୀମାନଙ୍କୁ ଓଡିଶା ଦିବସର ଶୁଭେଚ୍ଛା ଜଣାଇଥିଲେ ।

Exit mobile version