Site icon ଆଜିକାଲି

ଗଣତାନ୍ତ୍ରିକ ଶାସନ ବ୍ୟବସ୍ଥାରେ ପୁଲିସର ଏକ ସ୍ବତନ୍ତ୍ର ସ୍ଥାନ ରହିଛି-ଆରକ୍ଷୀ ମହାନିର୍ଦ୍ଦେଶକ

– ରାଜ୍ୟ ପୁଲିସ ମୁଖ୍ୟାଳୟ ପରିସରରେ ୬୫ ତମ ପୁଲିସ ଶହୀଦ ସ୍ମୁତିଦିବସ ପାଳିତ

କଟକ: ରାଜ୍ୟ ପୁଲିସ ମୁଖ୍ୟାଳୟ ପରିସରରେ ୬୫ ତମ ପୁଲିସ ଶହୀଦ ସ୍ମୁତିଦିବସ ପାଳିତ ହୋଇଯାଇଛି। ଏହି ଉପଲକ୍ଷେ ଆୟୋଜିତ ଏକ ସ୍ବତନ୍ତ୍ର ଉତ୍ସବରେ ରାଜ୍ୟ ଆରକ୍ଷୀ ମହାନିର୍ଦ୍ଦେଶକ ଯୋଗେଶ ବାହାଦୁର ଖୁରାନିଆ ମୁଖ୍ୟ ଅତିଥି ଭାବେ ଯୋଗ ଦେଇ ଦେଶ ତଥା ମାତୃଭୂମିର ସୁରକ୍ଷା ଓ ସମ୍ମାନ ପାଇଁ କର୍ମକ୍ଷେତ୍ରରେ ଶହୀଦ ହୋଇଥିବା ବୀର ମାନଙ୍କ ଉଦ୍ଦେଶ୍ୟରେ ଶ୍ରଦ୍ଧାଞ୍ଜଳି ଅର୍ପଣ କରିଥିଲେ। ଏହାସହ ବୀରଶହୀଦଙ୍କ ପରିବାରବର୍ଗ ପ୍ରତି ମଧ୍ୟ ସମବେଦନା ଜ୍ଞାପନ କରିଛନ୍ତି। ଏହି ପରିପ୍ରେକ୍ଷୀରେ ରାଜ୍ୟ ଆରକ୍ଷୀ ବାହିନୀ ତରଫରୁ ବୀର ଶହୀଦମାନଙ୍କ ପ୍ରତି ଆନୁଷ୍ଠାନିକ ଶୋକଶସ୍ତ୍ର ପ୍ରଦର୍ଶନ କରିବା ସହ ଦୁଇ ମିନିଟ ନୀରବ ପ୍ରାର୍ଥନା କରାଯିବା ସହ ସମ୍ମାନ ପ୍ରଦର୍ଶନ କରାଯାଇଥିଲା।

ଏହି ଅବସରରେ ଡିଜିପି ଶ୍ରୀ ଖୁରାନିଆ ଗଣତାନ୍ତ୍ରିକ ଶାସନ ବ୍ୟବସ୍ଥାରେ ପୁଲିସର ଏକ ସ୍ବତନ୍ତ୍ର ସ୍ଥାନ ରହିଛି ବୋଲି କହିବା ସହ ସାଧାରଣ ଲୋକଙ୍କ ଧନ ଜୀବନ ସୁରକ୍ଷା, ଆଇନ ଶୃଙ୍ଖଳା ନିୟନ୍ତ୍ରଣ, ଆତଙ୍କବାଦ ଓ ବାମପନ୍ଥୀ ଉଗ୍ରବାଦ ଦମନ, ସମାଜରେ ଶାନ୍ତି ପ୍ରତିଷ୍ଠା ଏବଂ ଲୋକଙ୍କୁ ଉପଯୁକ୍ତ ନ୍ୟାୟ ପ୍ରଦାନ କରିବାରେ ପୁଲିସ ମୁଖ୍ୟ ଭୂମିକା ଗ୍ରହଣ କରିଥାଏ ବୋଲି ମତପ୍ରକାଶ କରିଥିଲେ। ଏହି ଅବସରରେ ସାଧାରଣ ଜନତାଙ୍କୁ ନିରନ୍ତର ସେବା ପ୍ରଦାନ କରୁଥିବା ରାଜ୍ୟର ପୁଲିସ ଅଧିକାରୀ ଓ କର୍ମଚାରୀଙ୍କୁ ସାଧୁବାଦ ଜଣାଇଥିଲେ। ରାଜ୍ୟର ନକ୍ସଲ ପ୍ରଭାବିତ ଜିଲାରେ ନିୟୋଜିତ ଥିବା ସମସ୍ତ ଯବାନ ମାନଙ୍କୁ ପ୍ରଶଂସା କରିବା ସହ ସେମାନଙ୍କର ସହଯୋଗ ଏବଂ ପ୍ରୟାସ ପାଇଁ ରାଜ୍ୟରେ ନକ୍ସଲ ପ୍ରଭାବିତ ଜିଲ୍ଲା ଗୁଡିକର ସଂଖ୍ୟା ହ୍ରାସ ପାଇଛି ବୋଲି ମତବ୍ୟକ୍ତ କରିଥିଲେ।

କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହା ୨୦୨୬ ମାର୍ଚ୍ଚ ୩୧ ସୁଦ୍ଧା ଦେଶର ମାଓ ଉପଦ୍ରୁତ ରାଜ୍ୟଗୁଡିକରୁ ମାଓବାଦୀଙ୍କ ମୂଳୋତ୍ପାଟନ ନିମନ୍ତେ ଆହ୍ବାନ ଦେଇଛନ୍ତି। ତାଙ୍କର ଏହି ଆହ୍ବାନକୁ କାର୍ଯ୍ୟକାରୀ କରିବାକୁ ରାଜ୍ୟ ପୁଲିସ ଉଦ୍ୟମ ଜାରି ରଖିଛି ଡିଜିପି ଶ୍ରୀ ଖୁରାନିଆ ମତବ୍ୟକ୍ତ କରିଛନ୍ତି। ଦେଶ ତଥା ରାଜ୍ୟ ବିକାଶ ଦିଗରେ ଅଗ୍ରସର ହେଉଥିବା ବେଳେ ମାଓବାଦୀଙ୍କ ହିଂସାତ୍ମକ କାର୍ଯ୍ୟକଳାପକୁ ବରଦାସ୍ତ କରାଯିବ ନାହିଁ ବୋଲି ଡିଜିପି କହିଛନ୍ତି। ଏଣୁ ମାଓବାଦୀମାନେ ହିଂସାତ୍ମକ କାର୍ଯ୍ୟକଳାପ ଛାଡି ସମାଜର ମୁଖ୍ୟ ସ୍ରୋତରେ ସାମିଲ ହେବାକୁ ଡିଜିପି ଶ୍ରୀ ଖୁରାନିଆ ଆହ୍ବାନ ଦେଇଛନ୍ତି।

ଚଳିତ ବର୍ଷ ଭାରତ ବର୍ଷରେ ବିଭିନ୍ନ କେନ୍ଦ୍ରୀୟ ପୁଲିସ ବଳ ଓ ରାଜ୍ୟ ପୁଲିସର ୨୧୬ ଜଣ ଆରକ୍ଷୀ ପ୍ରାଣବଳି ଦେଇ ନିଜ ମାତୃଭୂମିକୁ ଗୌରବାନ୍ବିତ କରିଛନ୍ତି। ଓଡିଶାରୁ ଶହୀଦ ହୋଇଥିବା କେନ୍ଦ୍ରାପଡା ଜିଲାର ହିମାଂଶୁ ଶେଖର ରଥ ଓ କଟକର ପ୍ରଦୀପ କୁମାର ମଲ୍ଲିକଙ୍କ ବିଷୟରେ ଡିଜିପି ଉଲ୍ଲେଖ କରିଥିଲେ କ୍ଷ ଏହି ଅବସରରେ ଉଭୟଙ୍କ ପରିବାର ବର୍ଗଙ୍କୁ ରାଜ୍ୟ ପୁଲିସ ମୁଖ୍ୟାଳୟକୁ ସ୍ବତନ୍ତ୍ର ନିମନ୍ତ୍ରଣ କରାଯାଇ ଏହି ପବିତ୍ର ଦିବସରେ ସାମିଲ କରାଯାଇଥିଲା। ଡିଜିପି ଶ୍ରୀ ଖୁରାନିଆ ଶୋକସନ୍ତପ୍ତ ଉଭୟଙ୍କ ପରିବାର ବର୍ଗଙ୍କ ସହିତ ଭାବ ବିନିମୟ କରିବା ସହ ସମବେଦନା ଜ୍ଞାପନ କରିଥିଲେ। ଉଭୟଙ୍କ ତ୍ୟାଗ ଏବଂ ବଳିଦାନ ରାଜ୍ୟ ପୁଲିସ ପାଇଁ ଚିରସ୍ମରଣୀୟ ହୋଇ ରହିବ ବୋଲି ଡିଜିପି କହିଥିଲେ। ଅତିରିକ୍ତ ଆରକ୍ଷୀ ମହାନିର୍ଦ୍ଦେଶକ (ମୁଖ୍ୟାଳୟ) ଦୟାଲ ଗଙ୍ଗୱାରଙ୍କ ପ୍ରତ୍ୟକ୍ଷ ତତ୍ତ୍ବାବଧାନରେ ଏହି ପୁଲିସ ଶହୀଦ ସ୍ମୁତି ଦିବସ ପାଳିତ ହୋଇଥିଲା।

ଉଲ୍ଲେଖଯୋଗ୍ୟ ଯେ,ଚଳିତ ବର୍ଷ ଆନ୍ଧ୍ରପ୍ରଦେଶର ୦୨ , ଆରୁଣାଚଳ ପ୍ରଦେଶର ୦୨ , ଆସମର ୦୬ , ବିହାରର ୧୫ , ଛତିଶଗଡ଼ର ୧୧, ଝାଡ଼ଖଣ୍ଡ ର ୦୪, କର୍ଣ୍ଣାଟକର ୦୫, କେରଳର ୦୧, ମଧ୍ୟପ୍ରଦେଶର ୨୩, ମହାରାଷ୍ଟ୍ରର ୦୩, ମଣିପୁରର ୦୬, ମେଘାଳୟର ୦୧, ନାଗାଲାଣ୍ଡ ର ୦୪, ଓଡିଶାର ୦୨, ପଞ୍ଜାବର ୦୨, ରାଜସ୍ଥାନର ୨୦, ତାମିଲନାଡୁର ୦୫, ତେଲେଙ୍ଗାନାର ୦୧, ତ୍ରିପୁରାର ୦୩, ଉତ୍ତରପ୍ରଦେଶ ର ୦୨, ଉତ୍ତରାଖଣ୍ଡର ୦୪, ପଶ୍ଚିମବଙ୍ଗର ୦୯, ଆଣ୍ଡାମାନ ଓ ନିକୋବର ଦ୍ବୀପ ର ୦୧, ଦିଲ୍ଲୀର ୦୫, ଜମ୍ମୁ ଓକାଶ୍ମୀରର ୦୭, ବିଏସଏଫର ୧୯, ସିଆଇଏସଏଫର ୦୬, ସିଆରପିଏଫର ୨୩, ଆଇଟିବିପିର ୦୬, ଏସଏସବିର ୦୨, ଏଫଏସ, ସିଡି ଏବଂ ହୋମଗାର୍ଡର ୦୨, ଆରପିଏଫର ୧୪ ଜଣ ଶହୀଦ ହୋଇଛନ୍ତି । କାର୍ଯ୍ୟକ୍ରମରେ ନିର୍ଦ୍ଦେଶକ (ଗୁଇନ୍ଦା) ଆର. ପି. କୋଚେ,ନିର୍ଦ୍ଦେଶକ (ଭିଜିଲାନ୍ସ) ୟଶୱନ୍ତ ଜେଠୱା, ଅତିରିକ୍ତ ଆରକ୍ଷୀ ମହାନିର୍ଦ୍ଦେଶକ (ଆଧୁନୀକିକରଣ) ଏସ. କେ. ପ୍ରିୟଦର୍ଶୀ, ଅତିରିକ୍ତ ଆରକ୍ଷୀ ମହାନିର୍ଦ୍ଦେଶକ (ରେଳବାଇ ଏବଂ ଉପକୂଳ ସୁରକ୍ଷା), ଅରୁଣ ବୋଥ୍ରା, ଅତିରିକ୍ତ ଆରକ୍ଷୀ ମହାନିର୍ଦ୍ଦେଶକ(ଆଇନ ଓ ଶୃଙ୍ଖଳା) ସଞ୍ଜୟ କୁମାର, ଟ୍ରାନ୍ସପୋର୍ଟ କମିଶନର ଅମିତାଭ ଠାକୁର, ଅତିରିକ୍ତ ଆରକ୍ଷୀ ମହାନିର୍ଦ୍ଦେଶକ (ମୁଖ୍ୟାଳୟ) ଦୟାଲ ଗଙ୍ଗୱାର, ଅତିରିକ୍ତ ଆରକ୍ଷୀ ମହାନିର୍ଦ୍ଦେଶକ(ଏସଏପି) ରାଜେଶ କୁମାରଙ୍କସମେତ ପୁଲିସ ବିଭାଗର ବହୁ ବରିଷ୍ଠ ପୋଲିସ ଅଧିକାରୀ ଉପସ୍ଥିତ ରହି ଶହୀଦ ବୀର ଯବାନ ମାନଙ୍କ ଉଦ୍ଦେଶ୍ୟରେ ଶ୍ରଦ୍ଧାଞ୍ଜଳି ଅର୍ପଣ କରିଥିଲେ।

Exit mobile version