Site icon ଆଜିକାଲି

ଶିକ୍ଷକତାକୁ ଚାକିରୀ ନୁହେଁ, ଏକ ସଂକଳ୍ପ ଭାବେ ଗ୍ରହଣ କରି କାମ କରନ୍ତୁ : ମୁଖ୍ୟମନ୍ତ୍ରୀ

ରାଜ୍ୟ ସରକାରଙ୍କ ଶିକ୍ଷା ବିଭାଗରେ ଯୋଗଦେଲେ ୬୮୯୧ ହାଇସ୍କୁଲ ଶିକ୍ଷକ
ଗତ ୩ ବର୍ଷରେ ୧୪ ହଜାରରୁ ଅଧିକ ଶିକ୍ଷକ ନିଯୁକ୍ତ ହୋଇଛନ୍ତି

ଭୁବନେଶ୍ୱର : ଆପଣମାନେ ସମସ୍ତେ ଯୁବକ ଓ ବହୁତ ଉତ୍ସାହୀ । ତେଣୁ ଶିକ୍ଷକତାକୁ ଏକ ଚାକିରୀ ଭାବରେ ଗ୍ରହଣ ନ କରି ଏହାକୁ ଏକ ସଂକଳ୍ପ ଭାବେ ନେଇ କାମ କରନ୍ତୁ । ମୋର ବିଶ୍ୱାସ, ମୋ ଓଡିଶାର ପିଲାମାନଙ୍କ ଭବିଷ୍ୟତକୁ ଉଜ୍ଜଳ କରିବାରେ ଆପଣମାନଙ୍କର ଗୁରୁତ୍ୱପୂର୍ଣ୍ଣ ଭୂମିକା ରହିବ । ଆଜି ମୁଖ୍ୟମନ୍ତ୍ରୀ ଶ୍ରୀ ନବୀନ ପଟ୍ଟନାୟକ ସ୍ଥାନୀୟ କଳିଙ୍ଗ ହକି ଷ୍ଟାଡିଅମ ଠାରେ ନବନିଯୁକ୍ତ ଶିକ୍ଷକ ମାନଙ୍କୁ ଉଦବୋଧନ ଦେଇ ଏହି ପରାମର୍ଶ ଦେଇଛନ୍ତି ।
ସୂଚନାଯୋଗ୍ୟ ଯେ ଆଜି ରାଜ୍ୟ ସରକାରଙ୍କ ଗଣଶିକ୍ଷା ବିଭାଗରେ ୬୮୯୧ ଜଣ ଶିକ୍ଷକ-ଶିକ୍ଷୟତ୍ରୀ ଯୋଗ ଦେଇଛନ୍ତି । ଏହି ନବନିଯୁକ୍ତ ଶିକ୍ଷକ ମାନଙ୍କ ପାଇଁ ସ୍ଥାନୀୟ କଳିଙ୍ଗ ହକି ଷ୍ଟାଡିଅମ ଠାରେ ଏକ ପ୍ରଶିକ୍ଷଣ କାର୍ଯ୍ୟକ୍ରମର ଆୟୋଜନ କରାଯାଇଥିଲା । ଏହି ଅବସରରେ ମୁଖ୍ୟମନ୍ତ୍ରୀ କହିଛନ୍ତି ଯେ ରାଜ୍ୟରେ ଶିକ୍ଷକ ନିଯୁକ୍ତି କାର୍ଯ୍ୟକ୍ରମ ଜୋରଦାର ରେ ଜାରି ରହିଛି । ଗତ ୩ ବର୍ଷ ମଧ୍ୟରେ ୧୪ ହଜାରରୁ ଅଧିକ ଶିକ୍ଷକ ନିଯୁକ୍ତି ପାଇଛନ୍ତି ବୋଲି ସେ କହିଥିଲେ । ଶିକ୍ଷକତା ପରି ଏକ ମହାନ ବୃତିରେ ଯୋଗ ଦେଇଥିବାରୁ ସେମାନଙ୍କୁ ଶୁଭେଚ୍ଛା ଜଣାଇ ମୁଖ୍ୟମନ୍ତ୍ରୀ କହିଲେ ଯେ ଶିକ୍ଷକମାନେ ହେଉଛନ୍ତି ରାଷ୍ଟ୍ରନିର୍ମାତା । ଜାତିର ଗୌରବ । ଦେଶର ଭବିଷ୍ୟତ ପୀଢିକୁ ଗଢିବାର ପବିତ୍ର ଦାୟିତ୍ୱ ଆପଣମାନେ ନେଉଛନ୍ତି । ଶିକ୍ଷା ହିଁ କେବଳ ଗୋଟିଏ ବ୍ୟକ୍ତି ବା ପରିବାର ବା ସମାଜ ନୁହେଁ, ଶିକ୍ଷା ଗୋଟିଏ ଜାତିର ଭାଗ୍ୟ ପରିବର୍ତନ କରିଦିଏ ବୋଲି ସେ ମତବ୍ୟକ୍ତ କରିଥିଲେ । ଶିକ୍ଷା ହେଉଛି ରୂପାନ୍ତରର ଶକ୍ତିଶାଳୀ ମାର୍ଗ । ସ୍ୱଚ୍ଛତା, ପ୍ରଯୁକ୍ତିବିଦ୍ୟା, ଟିମ୍ ୱାର୍କ, ସମୟ ଓ ରୂପାନ୍ତର ହେଉଛି ଆମ ପ୍ରଶାସନିକ ବ୍ୟବସ୍ଥାର ମନ୍ତ୍ର ବୋଲି ସେ କହିଥିଲେ । ସ୍କୁଲ ରୂପାନ୍ତର ବିଷୟରେ ସୂଚନା ଦେଇ ସେ କହିଲେ ଯେ ଏ ପର୍ଯ୍ୟନ୍ତ ରାଜ୍ୟର ପ୍ରାୟ ୪୦୦୦ ସ୍କୁଲର ରୂପାନ୍ତର କାମ ସରିଲାଣି । ଡିସେମ୍ବର ୨୦୨୩ ସୁଦ୍ଧା ଆଉ ଚାରି ହଜାର ଆଠ ଶହ ସ୍କୁଲ ରୂପାନ୍ତର କରାଯିବ ।
ମୁଖ୍ୟମନ୍ତ୍ରୀ କହିଲେ, ‘ଆପଣଙ୍କ ଗାଁ, ଆପଣଙ୍କ ବ୍ଲକ୍ ରେ ମଧ୍ୟ ଆପଣମାନେ ସ୍କୁଲର ନୂଆ ରୂପ ନିଶ୍ଚୟ ଦେଖିଥିବେ । ସ୍କୁଲ ରୂପାନ୍ତର ପିଲାଙ୍କ ଭିତରେ ନୂଆ ଉତ୍ସାହ ଆଣିଛି । ସେ ଉତ୍ସାହକୁ ଜୀବନର ସଫଳତାରେ ରୂପାନ୍ତର କରିବା ଦାୟିତ୍ୱ ଆପଣମାନଙ୍କର ।’ ଆମ ଶିକ୍ଷକମାନଙ୍କର ଜ୍ଞାନ, ତ୍ୟାଗ ଓ ନିଷ୍ଠା ହିଁ ଶିକ୍ଷା କ୍ଷେତ୍ରରେ ପ୍ରକୃତ ରୂପାନ୍ତର ଆଣିପାରିବ ବୋଲି ସେ କହିଥିଲେ ।’ କାର୍ଯ୍ୟକ୍ରମରେ ଯୋଗଦେଇ ଶିଳ୍ପ ଓ ଶକ୍ତି ମନ୍ତ୍ରୀ ପ୍ରତାପ ଦେବ ଏବଂ ଜଳସଂପଦ ଓ ବାଣିଜ୍ୟ ପରିବହନ ମନ୍ତ୍ରୀ ଶ୍ରୀମତୀ ଟୁକୁନି ସାହୁ ପ୍ରମୁଖ ଶିକ୍ଷା କ୍ଷେତ୍ରରେ ସ୍କୁଲ ରୂପାନ୍ତର କାର୍ଯ୍ୟକ୍ରମ ପିଲାମାନଙ୍କ ପାଇଁ ନୂଆ ସୁଯୋଗ ସୃଷ୍ଟି କରିଛି ଏବଂ ଶିକ୍ଷା କ୍ଷେତ୍ରରେ ଏକ ନୂତନ ପରିଚୟ ସୃଷ୍ଟି କରିଛି ବୋଲି ମତବ୍ୟକ୍ତ କରିଥିଲେ । ଛାତ୍ରଛାତ୍ରୀ ମାନଙ୍କ ଭବିଷ୍ୟତର ରୂପାନ୍ତର ପାଇଁ ଶିକ୍ଷକ ମାନଙ୍କ ଭୂମିକା ଗୁରୁତ୍ୱପୂର୍ଣ୍ଣ ବୋଲି ମତ ଦେଇ ଏ ଗୁରୁଦାୟିତ୍ୱକୁ ନୂତନ ଶିକ୍ଷକ ଶିକ୍ଷୟିତ୍ରୀ ମାନେ ତୁଲାଇବେ ବୋଲି ସେମାନେ ଆଶାପ୍ରକାଶ କରିଥିଲେ । ଏହି ଅବସରରେ ସ୍ୱାଗତ ଭାଷଣ ଦେଇ ସ୍କୁଲ ଓ ଗଣଶିକ୍ଷା ମନ୍ତ୍ରୀ ସମୀର ଦାଶ ରାଜ୍ୟରେ ଶିକ୍ଷକ ନିଯୁକ୍ତି କାର୍ଯ୍ୟକ୍ରମକୁ ସୁବ୍ୟବସ୍ଥିତ କରାଯାଇଛି ବୋଲି କହିଥିଲେ । ପିଲାମାନଙ୍କ ସୃଜନଶୀଳ ପ୍ରତିଭାର ବିକାଶ ଉପରେ ଗୁରୁତ୍ୱ ଦେବାକୁ ସେ ପରାମର୍ଶ ଦେଇଥିଲେ । ଉଚ୍ଚଶିକ୍ଷା ମନ୍ତ୍ରୀ ରୋହିତ ପୂଜାରୀ ଧନ୍ୟବାଦ ଅର୍ପଣ କରି କହିଥିଲେ ଯେ ସ୍କୁଲ ରୂପାନ୍ତର ଯୋଗୁ ରାଜ୍ୟର ଶିକ୍ଷା ବ୍ୟବସ୍ଥା ବିଶ୍ୱସ୍ତରୀୟ ହୋଇପାରିଛି । ଏହି କାର୍ଯ୍ୟକ୍ରମରେ ମୁଖ୍ୟ ଶାସନ ସଚିବ ସୁରେଶ ଚନ୍ଦ୍ର ମହାପାତ୍ର, ବିଦ୍ୟାଳୟ ଓ ଗଣଶିକ୍ଷା ପ୍ରମୁଖ ସଚିବ ବିଷ୍ଣୁପଦ ସେଠୀ, ମୁଖ୍ୟମନ୍ତ୍ରୀ ସଚିବ (୫-ଟି) ଭି.କେ. ପାଣ୍ଡିଆନ ଏବଂ ଅନ୍ୟ ବରିଷ୍ଠ ଅଧିକାରୀମାନେ ଉପସ୍ଥିତ ଥିଲେ ।

Exit mobile version