Site icon ଆଜିକାଲି

ବାହାନଗା ଟ୍ରେନ ଦୁର୍ଘଟଣା : ଆଜି ହୋଇପାରେ ୮୧ ଶବର ସାମୂହିକ ସତ୍କାର

ବାଲେଶ୍ୱର : ବାଲେଶ୍ୱର ଜିଲ୍ଲା ବାହାନଗା ଭୟାବହ ଟ୍ରେନ ଦୁର୍ଘଟଣାକୁ ୨୭ଦିନ ପୂରିବାକୁ ବସିଲାଣି । ଟ୍ରେନ ଟ୍ରାଜେଡିରେ ଅଣ ଦାବିବାର ମୃତଦେହଗୁଡ଼ିକର ଆଜି ସାମୂହିକ ସତ୍କାର କରାଯିବାର ସମ୍ଭାବନା ରହିଛି । ଭୁବନେଶ୍ୱର ସତ୍ୟନଗର ଓ ଭରତପୁର ଶ୍ମଶାନରେ ଗଣସତ୍କାର ପାଇଁ ପ୍ରସ୍ତୁତି କରାଯାଉଛି । ଟ୍ରେନ ଦୁର୍ଘଟଣାରେ ମୃତ ଯାତ୍ରୀଙ୍କ ମଧ୍ୟରୁ ୮୧ଟି ଅଚିହ୍ନା ଶବ ଏବେ ଭୁବନେଶ୍ୱର ଏମ୍‌ସରେ ରହିଛି । ୩ଟି କଣ୍ଟେନରରେ ମୃତଦେହ ରଖାଯାଇଛି । ସେଥିମଧ୍ୟରୁ ଅଧିକାଂଶ ଅଣଦାବିଦାର ରହିଛି । ଏଥିପାଇଁ ଶବଦାହ କ୍ଷେତ୍ରରେ କାର୍ଯ୍ୟ କରୁଥିବା ସ୍ୱେଚ୍ଛାସେବୀ ସଂସ୍ଥା ଓ ଆବଶ୍ୟକ କାଠ ସହ ଅନ୍ୟ ସାମଗ୍ରୀ ପ୍ରସ୍ତୁତ ରଖାଯାଇଥିବା କୁହାଯାଉଛି ।

ତେବେ ମୃତ ଯାତ୍ରୀଙ୍କ ତୁଳନାରେ ଦାବିଦାର ସଂଖ୍ୟା ଅଧିକ ରହିବାରୁ ଡିଏନଏ ପରୀକ୍ଷା ପାଇଁ ପ୍ରଶାସନ ପଦକ୍ଷେପ ନେଇଥିଲା । କିଛି ମୃତଦେହର ଡିଏନଏ ପରୀକ୍ଷା ପାଇଁ ଦିଲ୍ଲୀ ପଠାଯାଇଥିବା ବେଳେ ଆଜି ୨୯ଟି ମୃତଦେହ ଚିହ୍ନଟ ହୋଇଛି । ଡିଏନଏ ନମୂନା ଭାବେ ମୃତ ଯାତ୍ରୀଙ୍କର ଚୁଟି, ଦାନ୍ତ, ହାଡ଼, ନଖ,ମାଂସ ଓ ଶରୀରର ଅନ୍ୟାନ୍ୟ ଅଙ୍ଗର ନମୂନା ନୂଆଦିଲ୍ଲୀସ୍ଥିତ କେନ୍ଦ୍ରୀୟ ଫୋରେନ୍ସିକ ସାଇନ୍ସ ଲ୍ୟାବକୁ ପଠାଯାଇଥିଲା। ମାତ୍ର କିଛି ଶବର ହାଡ଼,ମାଂସ, ଦାନ୍ତ ଆଦି ନଷ୍ଟ ହୋଇଥିବାରୁ ସେମାନଙ୍କର ଡିଏନଏ ମେଳ କରିବାରେ ସମସ୍ୟା ହେଉଥିଲା ।

ସେହିପରି ଏମସ ହସ୍ପିଟାଲରେ ସଂରକ୍ଷିତ ଥିବା ୮୧ଜଣ ଯାତ୍ରୀଙ୍କ ଶବକୁ ଅତି ବେଶୀରେ ୬ମାସ ପର୍ଯ୍ୟନ୍ତ ସୁରକ୍ଷିତ ରଖାଯାଇପାରିବ । ଏବେବି ୩୫ରୁ ୪୦ଜଣ ମୃତ ଯାତ୍ରୀଙ୍କ ସମ୍ପର୍କୀୟ ଏମସ ପରିସରରେ ଡେରା ପକାଇଥିବାରୁ ସେମାନଙ୍କୁ ନିଜ ନିଜ ଘରକୁ ଫେରିଯିବାକୁ ଏମ୍ସ କର୍ତ୍ତୃପକ୍ଷ ପରାମର୍ଶ ଦେଇଛନ୍ତି । ଅଧିକାଂଶ ପୀଡ଼ିତ ଲୋକ ବିହାର ଓ ପଶ୍ଚିମବଙ୍ଗର ହୋଇଥିବାରୁ ସେମାନଙ୍କୁ ଘରକୁ ଫେରିଯିବାକୁ କୁହାଯାଇଛି । ଡିଏନଏ ରିପୋର୍ଟ ଆସିଲେ ସେମାନଙ୍କୁ ସୂଚିତ କରାଯିବ ବୋଲି ହସ୍ପିଟାଲ ପକ୍ଷରୁ କୁହାଯାଉଥିଲେ ମଧ୍ୟ ନିଜର ଆତ୍ମୀୟଙ୍କ ହରାଇଥିବା ଲୋକେ ଶବ ବିନା ଘରକୁ ଫେରିବାକୁ ଚାହୁଁନଥିବା ଜଣାପଡ଼ିଛି । ନିଜର ଆତ୍ମୀୟଙ୍କୁ ହରାଇବାର ଦୁଃଖ ତୁଳନାରେ ସେମାନଙ୍କର ଶବକୁ ନେବାରେ ହେଉଥିବା ବିଳମ୍ବ ଏବେ ସମ୍ପୃକ୍ତ ପ୍ରଭାବିତ ଲୋକମାନଙ୍କୁ ଅଧିକ ହତାଶ କରିଦେଇଛି । ଗତ ୨ ତାରିଖ ରାତିରେ ବାହାନଗା ନିକଟରେ କରମଣ୍ଡଳ ଏକ୍ସପ୍ରେସ ଦୁର୍ଘଟଣାଗ୍ରସ୍ତ ହୋଇଥିଲା ।

Exit mobile version