ନୂଆଦିଲ୍ଲୀ : ଦେଶରେ କରୋନା ସଂକ୍ରମଣ ପୁଣି ବୃଦ୍ଧି ପାଇବାରେ ଲାଗିଛି । ଦୈନିକ ସଂକ୍ରମଣ ୩ ହଜାରରୁ ଅଧିକ ରହୁଛି। ଏହି ପରିପ୍ରେକ୍ଷୀରେ ଶୁକ୍ରବାର ସକାଳ ୮ଟା ସୁଦ୍ଧା ସମଗ୍ର ଦେଶରେ ୨୪ ଘଣ୍ଟା ମଧ୍ୟରେ ୩,୦୯୫ କରୋନା ଭାଇରସ୍ ଜନିତ ନୂତନ ସଂକ୍ରମଣ ରେକର୍ଡ କରାଯାଇଥିବା ବେଳେ ଏହା ଚଳିତ ବର୍ଷର ସର୍ବାଧିକ ଦୈନିକ ସଂକ୍ରମଣ ଭାବେ ରେଡର୍କ ହୋଇଛି । ସେହିପରି ସକ୍ରିୟ ଆକ୍ରାନ୍ତଙ୍କ ସଂଖ୍ୟା ୧୫ ହଜାର ଟପି ଥିବା ନେଇ କେନ୍ଦ୍ର ସ୍ବାସ୍ଥ୍ୟ ମନ୍ତ୍ରାଳୟ ପକ୍ଷରୁ ଜଣାପଡ଼ିଛି।
ଅନ୍ୟପକ୍ଷରେ ଦିନକରେ ୧୩୯୦ ଜଣ କରୋନାରୁ ଆରୋଗ୍ୟ ହୋଇଛନ୍ତି । କୋଭିଡ ଆରୋଗ୍ୟ ହାର ୯୮.୭୮ ପ୍ରତିଶତ ରହିଛି । ଏବେ ଦେଶରେ ୧୫ ହଜାର୨୦୮ ସକ୍ରିୟ ଆକ୍ରାନ୍ତ ଚିକିତ୍ସାଧୀନ ଅଛନ୍ତି । ସ୍ୱାସ୍ଥ୍ୟ ମନ୍ତ୍ରଣାଳୟ ସୂତ୍ରରୁ ଜଣାପଡିଛି ଯେ, ଏପର୍ଯ୍ୟନ୍ତ ୨୨୦ କୋଟି ୬୫ଲକ୍ଷରୁ ଅଧିକ ଡୋଜ କୋଭିଡ ପ୍ରତିଷେଧକ ଟିକା ଦିଆଯାଇଛି । ୯୫ କୋଟି ୨୦ଲକ୍ଷ ଦ୍ବିତୀୟ ଡୋଜ ଏବଂ ୨୨ କୋଟି ୮୬ ଲକ୍ଷ ବୁଷ୍ଟର ଡୋଜ ଟିକା ଦିଆଯାଇଛି । ଦିନକ ମଧ୍ୟରେ ୬ହଜାର ୫୫୩ ଡୋଜ ଟିକା ଦିଆ ଯାଇଛି। ଦେଶରେ ଦୈନିକ ସଂକ୍ରମଣ ହାର ୨.୬୧ % ଓ ସାପ୍ତାହିକ ସଂକ୍ରମଣ ହାର ୧.୯୧% ରହିଛି। ଗତ ୨୪ ଘଣ୍ଟା ମଧ୍ୟରେ ୧ ଲକ୍ଷ ୧୮ ହଜାର ୬୯୪ ନମୂନା ପରୀକ୍ଷା କରାଯାଇଛି।