ବେଙ୍ଗାଲୁରୁ: କର୍ଣ୍ଣାଟକ ବିଧାନସଭା ନିର୍ବାଚନ ପାଇଁ ବିଜେପି ମଙ୍ଗଳବାର ରାତିରେ ପ୍ରଥମ ପର୍ଯ୍ୟାୟ ପ୍ରାର୍ଥୀ ତାଲିକା ଘୋଷଣା କରିଛି । ତେବେ ଟିକେଟରୁ ବଞ୍ଚିତ କିଛି ନେତା ଅସନ୍ତୋଷ ବ୍ୟକ୍ତ କରିଛନ୍ତି । ଟିକେଟ୍ ନ ମିଳିବାରୁ ବିଜେପି ଛାଡ଼ିବାକୁ ନିଷ୍ପତ୍ତି ନେଇଛନ୍ତି ଦଳର ବରିଷ୍ଠ ନେତା ଲକ୍ଷ୍ମଣ ସାବାଦି । ସେ ବିଜେପିର ପ୍ରାଥମିକ ସଦସ୍ୟତାରୁ ଇସ୍ତଫା ଦେଇଛନ୍ତି ।
ଲକ୍ଷ୍ମଣ ସାବାଦି ପୂର୍ବତନ ମୁଖ୍ୟମନ୍ତ୍ରୀ ବି.ଏସ୍ ୟେଦିୟୁରପ୍ପାଙ୍କ ଜଣେ ଅନୁଗତ । ସାଂଗଠନିକ ଦକ୍ଷତା ପାଇଁ ପରିଚିତ ସାବାଦି ରାଜ୍ୟର ଅନ୍ୟତମ ପ୍ରଭାବଶାଳୀ ଲିଙ୍ଗାୟତ ନେତା। ୨୦୧୮ ନିର୍ବାଚନରେ ସେ କଂଗ୍ରେସ ପ୍ରାର୍ଥୀ ମହେଶ କୁମଥାହାଲିଙ୍କ ଠାରୁ ପରାସ୍ତ ହରାଇଥିଲେ। ବହୁ ବିଚାର ବିମର୍ଶ ପରେ ବିଜେପି ମଙ୍ଗଳବାର ରାତିରେ କର୍ଣ୍ଣାଟକ ବିଧାନସଭା ନିର୍ବାଚନ ପାଇଁ ୧୮୯ ପ୍ରାର୍ଥୀଙ୍କ ପ୍ରଥମ ତାଲିକା ଘୋଷଣା କରିଥିଲା । ଟିକେଟ୍ ନ ମିଳିବାରୁ ପୂର୍ବତନ ମୁଖ୍ୟମନ୍ତ୍ରୀ ଜଗଦୀଶ ଶେଟ୍ଟାର ମଧ୍ୟ ରାଗିଛନ୍ତି। ସେ ସ୍ବାଧୀନ ପ୍ରାର୍ଥୀ ଭାବେ ନିର୍ବାଚନ ଲଢ଼ିବାକୁ ଘୋଷଣା କରିଛନ୍ତି। ସେହିପରି କର୍ଣ୍ଣାଟକ ବିଜେପିର ଅନ୍ୟତମ ବରିଷ୍ଠ ନେତା କେ.ଏସ୍ ଇଶ୍ୱରପ୍ପା ନିର୍ବାଚନ ଲଢ଼ିବାକୁ ମନା କରିବା ସତ୍ତ୍ବେ ତାଙ୍କୁ ପ୍ରାର୍ଥୀ କରାଯାଇଛି । ଏନେଇ ସେ ଅସନ୍ତୋଷ ପ୍ରକାଶ କରି ପାର୍ଟିର ରାଷ୍ଟ୍ରୀୟ ଅଧ୍ୟକ୍ଷ ଜେପି ନଡ୍ଡାଙ୍କୁ ଚିଠି ଲେଖିଛନ୍ତି।