ଭୁବନେଶ୍ୱର : ଓଡ଼ିଆ ବିଶ୍ୱବିଦ୍ୟାଳୟର ପ୍ରଥମ କୁଳପତି ଭାବେ ନିଯୁକ୍ତ ହେଲେ ପ୍ରଫେସର ସବିତା ପ୍ରଧାନ । ରାଜ୍ୟପାଳ ତଥା ବିଶ୍ୱବିଦ୍ୟାଳୟ କୁଳାଧିପତି ପ୍ରଫେସର ଗଣେଶୀ ଲାଲ୍ ୨ ବର୍ଷ ପାଇଁ ନିଯୁକ୍ତି ଦେଇଛନ୍ତି । ପ୍ରଫେସର ପ୍ରଧାନ ଏବେ ପଶ୍ଚିମବଙ୍ଗ ଶାନ୍ତିନିକେତନସ୍ଥିତ ବିଶ୍ୱଭାରତୀ ବିଶ୍ୱବିଦ୍ୟାଳୟର ଓଡ଼ିଆ ବିଭାଗର ପ୍ରଫେସର ଭାବେ କାର୍ଯ୍ୟରତ । ଭାଷା ବିଜ୍ଞାନ ଓ ଆଧୁନିକ ଓଡ଼ିଆ ସାହିତ୍ୟ ଶିକ୍ଷାଦାନରେ ତାଙ୍କର ବିପୁଳ ଅଭିଜ୍ଞତା ରହିଛି ।
ପ୍ରଫେସର ପ୍ରଧାନଙ୍କ ଅଧୀନରେ ୧୪ ଜଣ ଗବେଷକ ଗବେଷଣା କରିସାରିଛନ୍ତି । ଏବେ ୮ ଜଣ ଗବେଷଣା ଜାରି ରଖିଛନ୍ତି । ଜାତୀୟ ଓ ଅନ୍ତର୍ଜାତୀୟ ଜର୍ଣ୍ଣାଲ୍ରେ ତାଙ୍କର ୧୩୨ଟି ଗବେଷଣାତ୍ମକ ନିବନ୍ଧ ପ୍ରକାଶ ପାଇ ଉଚ୍ଚ ପ୍ରଶଂସିତ ହୋଇଛି । ସେ ୯୮ରୁ ଅଧିକ ଅନ୍ତର୍ଜାତୀୟ, ଜାତୀୟ ଓ ରାଜ୍ୟସ୍ତରୀୟ ସେମିନାରରେ ଅଂଶଗ୍ରହଣ କରି ଗବେଷଣା ନିବନ୍ଧ ଉପସ୍ଥାପନା କରିଛନ୍ତି । ସେ ଅନେକ ପୁସ୍ତକର ରଚନା ଓ ସମ୍ପାଦନା କରିଛନ୍ତି । ସେହିପରି ୨୦୧୪ ନଭେମ୍ବରରୁ ୨୦୧୯ ମାର୍ଚ୍ଚ ପର୍ଯ୍ୟନ୍ତ ବିଶ୍ୱଭାରତୀ ବିଶ୍ୱବିଦ୍ୟାଳୟର ଓଡ଼ିଆ ବିଭାଗର ଉତ୍କର୍ଷ କେନ୍ଦ୍ରର ନିର୍ଦ୍ଦେଶକ ଭାବେ କାର୍ଯ୍ୟ କରିଛନ୍ତି । ପ୍ରଫେସର ପ୍ରଧାନ ୨୦୧୧ ମାର୍ଚ୍ଚରୁ ୨୦୧୪ ମାର୍ଚ୍ଚ ପର୍ଯ୍ୟନ୍ତ ଓଡ଼ିଆ ବିଭାଗର ମୁଖ୍ୟ ଭାବେ କାର୍ଯ୍ୟ କରିଛନ୍ତି । ୨୦୨୧ ମାର୍ଚ୍ଚରୁ ବିଶ୍ୱଭାରତୀ ସେଣ୍ଟର ଫର ଏନ୍ଡେନ୍ଞ୍ଜର ଲାଙ୍ଗୁଏଜ୍ର ଅଧ୍ୟକ୍ଷ ଭାବେ ଦାୟିତ୍ୱ ତୁଲାଇଛନ୍ତି । ୨୦୨୦ ମାର୍ଚ୍ଚରୁ ସେ ବିଶ୍ୱଭାରତୀ ଭାଷା ଭବନର ଓଡ଼ିଆ ବିଭାଗ ମୁଖ୍ୟ ଭାବେ କାର୍ଯ୍ୟ କରୁଛନ୍ତି ।