ଭୁବନେଶ୍ବର : ଆଜି ବିଧାନସଭା ଶୀତକାଳୀନ ଅଧିବେଶନର ଦ୍ୱିତୀୟ ଦିନ । ବୁଧବାର ଦ୍ବିତୀୟ ଦିନରେ ସରଗରମ ହେବ ଗୃହ । ସରକାରଙ୍କୁ ଘେରିବାକୁ ଉଭୟ ବିଜେପି ଓ କଂଗ୍ରେସ ପ୍ରସ୍ତୁତ ହୋଇଛନ୍ତି । ସେପଟେ ଆଜି ପ୍ରଶ୍ନକାଳରେ କୃଷି ଓ କୃଷକ ସଶକ୍ତିକରଣ, ଉଚ୍ଚଶିକ୍ଷା, ରାଜସ୍ୱ ଓ ବିପର୍ଯ୍ୟୟ ପରିଚାଳନା, ଖାଦ୍ୟ ଯୋଗାଣ ଓ ଖାଉଟି କଲ୍ୟାଣ, ବିଦ୍ୟାଳୟ ଓ ଗଣଶିକ୍ଷା, ସମବାୟ, ମତ୍ସ୍ୟ ଓ ପଶୁ ସମ୍ପଦ ବିକାଶ ଉପରେ ଆଲୋଚନା ହେବ । ଏହାଛଡା ବିଧାୟକମାନେ ମଧ୍ୟ ଭିନ୍ନ ପ୍ରଶ୍ନ ପଚାରିପାରିବେ l ଶୂନ୍ୟକାଳରେ ଉଭୟ ଶାସକ ଓ ବିରୋଧୀ ଗୃହରେ ଗୁରୁତ୍ଵପୂର୍ଣ୍ଣ ପ୍ରଶ୍ନ ଉଠାଇବେ l ବିଜେପି ପକ୍ଷରୁ ମୁଲତବୀ ପ୍ରସ୍ତାବ ଆଣିବାର ସମ୍ଭାବନା ରହିଛି ।
ମଙ୍ଗଳବାର ଠାରୁ ବିଧାନସଭାରେ ଶୀଳକାଳୀନ ଅଧିବେଶ ଆରମ୍ଭ ହୋଇଛି । ପ୍ରଥମେ ଉପ-ବାଚସ୍ପତିଙ୍କ ନିର୍ବାଚନ ହୋଇଥିଲା । ଜି-ଉଦୟଗିରି ବିଧାୟକ ସାଲୁଗା ପ୍ରଧାନ ନିର୍ଦ୍ବନ୍ଦ୍ବରେ ନିର୍ବାଚିତ ହୋଇଥିଲେ । ପରେ ଦିବଗଂତ ନେତାଙ୍କ ଉଦ୍ଦେଶ୍ୟ ମୁଖ୍ୟମନ୍ତ୍ରୀ ଶୋକ ପ୍ରସ୍ତାବ ଆଣିଥିଲେ । ଏହାକୁ ବିରୋଧୀ ମଧ୍ୟ ସମର୍ଥନ କରିଥିଲେ । ପରେ ବୁଧବାର ପର୍ଯ୍ୟନ୍ତ ଗୃହକୁ ମୁଲତବୀ କରିଥିଲେ ବିଧାନସାଭା ବାଚସ୍ପତି ପ୍ରମିଳା ମଲ୍ଲିକ୍ ।
ଡିସେମ୍ବର ୩୦ ଯାଏଁ ଚାଲିବ ବିଧାନସଭାର ଶୀତ ଅଧିବେଶନ । ଏହି ଶୀତ ଅଧିବେଶନରେ ୩୦ଟି କାର୍ଯ୍ୟଦିବସ ରହିଛି । ବିଧାନସଭାର ଶୀତ ଅଧିବେଶନ ଆରମ୍ଭ ପୂର୍ବରୁ ବିଧାନସଭାର ନୂଆ ଉପ-ବାଚସ୍ପତି ନିର୍ବାଚିତ ହୋଇଛନ୍ତି ସାଲୁଗା ପ୍ରଧାନ । ଆଗକ ସାଧାରଣ ନିର୍ବାଚନ ରହିଥିବାରୁ ଏହି ଅଧିବେଶନ ପୂର୍ଣ୍ଣଙ୍ଗ ବିଧାନସଭା ଅଧିବେଶ ହେବ ।