Site icon ଆଜିକାଲି

କାର୍ତ୍ତିକ ବ୍ରତ ପାଇଁ ଧବଳେଶ୍ବର ପୀଠରେ ବ୍ରତଧାରୀ ଓ ଶ୍ରଦ୍ଧାଳୁଙ୍କ ଭିଡ଼

ଆଠଗଡ଼ : ଆଜି ହେଉଛି କାର୍ତ୍ତିକ ମାସର ପ୍ରଥମ ସୋମବାର। ଏହି ଦିନ ଦେବ ଦେବ ମହାଦେବ ଙ୍କୁ ଦର୍ଶନ କଲେ କୋଟି ଜନ୍ମ ର ପୂର୍ଣ୍ଣ୍ୟ ମିଳିବା ସହିତ ମାନସିକ ଶାନ୍ତି ମିଳିଥାଏ । ଦୀର୍ଘ ଦୁଇ ବର୍ଷ ଧରି କୋଭିଡ ପାଇଁ କାର୍ତ୍ତିକ ମାସରେ ମନ୍ଦିର ବନ୍ଦ ରହିଥିଲା। ତେବେ ଚଳିତ ବର୍ଷ ମନ୍ଦିର ଖୋଲା ରହିଥିବାରୁ ହଜାର ହଜାର ଶ୍ରଦ୍ଧାଳୁ ଆସି ବାବା ଧବଳେଶ୍ବରଙ୍କୁ ଦର୍ଶନ କରିବା ସହ ପୀଠରେ କାର୍ତ୍ତିକ ବ୍ରତ ପାଳନ କରୁଛନ୍ତି ବ୍ରତଧାରୀ ଓ ଶ୍ରଦ୍ଧାଳୁ । ପୂଜକ ସମିତି ପକ୍ଷରୁ ଭୋର୍ ୪ଟାରୁ ମନ୍ଦିରର ପହଡ ଖୋଲାଯାଇ ୧୦୮ ସୁବାସିତ ଜଳରେ ବାବାଙ୍କୁ ସ୍ନାନ ପରେ ମଙ୍ଗଳାଆଳତୀ, ମଇଲମ୍, ବାଳଭୋଗ ଆଦି ସମସ୍ତ ନୀତିକାନ୍ତି ସମ୍ପନ୍ନ କରାଯାଇଛି ।

ସୂଚନା ଯେ, ଚଳିତ ବର୍ଷ ପଞ୍ଚକ ବ୍ରତ ଆସନ୍ତା ନଭେମ୍ବର ୪ରୁ ଆରମ୍ଭ ହୋଇ ୮ ତାରିଖ କାର୍ତ୍ତିକ ପୂର୍ଣ୍ଣିମ ରେ ଶେଷ ହେବ । ପୀଠ ମଧ୍ୟରେ ୬ ତାରିଖ ରବିବାର ଦିନ ବଡ଼ଓଷା ପାଳନ କରାଯାଇ ତ୍ରୟୋଦଶୀ ଓ ଚତୁର୍ଦ୍ଦଶୀର ସନ୍ଧି କ୍ଷଣରେ ବାବା ଧବଳେଶ୍ଵରଙ୍କ ପାଖରେ ଗଜଭୋଗ କରାଯାଇ ପରଦିନ ୭ ତାରିଖ ସୋମବାର ଗଜଭୋଗ ବିତରଣ କରାଯିବ। ଚଳିତବର୍ଷ ପ୍ରଥମ ପଞ୍ଚୁକରେ ଚନ୍ଦ୍ରଚୁଡ ବେଶ ଦ୍ୱିତୀୟ ଓ ପଞ୍ଚମ ଦିନରେ ଗଙ୍ଗାଧର ବେଶ, ବଡ଼ଓଷା ତଥା ତୃତୀୟ ଓ ଚତୁର୍ଥ ଦିନରେ ବଡ଼ସିଂହାର ବେଶ ସହିତ ରାଜରାଜେଶ୍ଵର ବେଶରେ ଦର୍ଶନ ଦେବା ସହ କାର୍ତ୍ତିକ ପୂର୍ଣ୍ଣିମା ଦିନ ଯୋଗୀ ବେଶରେ ଦର୍ଶନ ଦେବେ ବାବା ଧବଳେଶ୍ୱର ।

Exit mobile version