Site icon ଆଜିକାଲି

ଗୋଷ୍ଠୀ ସଂଘର୍ଷରୁ ଗଡିଲା ମୁଣ୍ଡ, ରାଜଧାନୀରେ ବୀଭତ୍ସ ହତ୍ୟା

ଭୁବନେଶ୍ବର : ପୂଜା ପୂର୍ବରୁ ସହରରେ ଗୋଷ୍ଠୀ ବିବାଦ । ପୁଣି ରକ୍ତ ରଞ୍ଜିତ ହେଲା ରାଜଧାନୀ । ଗୋଷ୍ଠୀ ବିବାଦରୁ ଗଡିଲା ମୁଣ୍ଡ । ନିଶା କାରବାରରେ ରୋକ ଲଗାଇବାକୁ କହିବାରୁ ଯୁବକଙ୍କୁ ହତ୍ୟା । ଆନ୍ୟ ଜଣେ ଯୁବକ ଗୁରୁତର ହୋଇଥିବା ସୂଚନା । ଏଭଳି ଲୋମଟାଙ୍କୁରା ଘଟଣା ଘଟିଛି ଭୁବନେଶ୍ବର ପ୍ରତିଷ୍ଠିତ ଅଞ୍ଚଳ ଭାବେ ପରିଚିତ ୟୁନିଟ ୮ ଅଞ୍ଚଳରେ । ନିଶା କାରାବାର ନେଇ ଏହି ହତ୍ୟାକାଣ୍ଡ ଘଟିଥିବା ଜଣାପଡିଛି । ମୃତ ଯୁବକ ଜଣଙ୍କ ହେଉଛନ୍ତି ନାରାୟଣି ବସ୍ତିର ପି ସୁବ୍ରତ ରାଓ ଓରଫ ଚନ୍ଦୁ । ଶୁକ୍ରବାର ରାତିରେ ଘଟିଥିଲା ଏହି ବୀଭତ୍ସ ହତ୍ୟାକାଣ୍ଡ ।

ମିଳିଥିବା ସୂଚନା ଅନୁଯାୟୀ ୟୁନିଟରେ ଡ୍ରଗ୍ସ ବେପାରୀକୁ ଦୀର୍ଘଦିନ ଧରି ସେହି ଅଞ୍ଚଳର କିଛି ଯୁବକ ବିରୋଧ କରିଆସୁଥିଲେ । ଡିଏଭି ସ୍କୁଲ ପଛ ପଟେ ଡ୍ରଗ୍ସ କାରବାର ଚାଲୁଥିବା ବେଳେ ଅନେକ ସମୟରେ ଗଣ୍ଡଗୋଳ ମଧ୍ୟ ହୋଇଛି । ତେବେ ପୂର୍ବରୁ ଡ୍ରଗ୍ସ କାରବାରରେ ଗିରଫ ହୋଇ ଜେଲରୁ ଆସିଥିବା ପେଶାଦାର ଦେହ ବ୍ୟବସାୟୀ ମୁନା ଓ ତାର ସହଯୋଗୀ ବାବୁ ଗତକାଲି(ଶୁକ୍ରବାର) ୟୁନିଟ ୮କୁ ଏକ କାରରେ ଆସି ନିଜର ନେଟୱାର୍କ ଚଳାଇଥିଲେ । ସେହି ସମୟରେ ନାରାୟଣ ବସ୍ତିର ଚନ୍ଦୁ ଓ ମିଠଲ ସେହି ବାଟ ଦେଇ ଯାଉଥିବା ବେଳେ ଉଭୟଙ୍କୁ ଦେଖି କାହିଁକି ଏଠାକୁ ଆସିଛ ବୋଲି ପଚାରି ପୁନଶ୍ଚ ଏଠି ନିଶା କାରବାର ନକରି ଚାଲିଯିବାକୁ କହିଥିଲେ । ଏହାପରେ ଉଭୟ ଗୋଷ୍ଠୀ ମୁହାଁମୁହିଁ ହୋଇଥିଲେ ।

ତେବେ ପୂର୍ବରୁ ମଧ୍ୟ ଚନ୍ଦୁ ଗୋଷ୍ଠୀ ମୁନା ଗୋଷ୍ଠୀକୁ ବିରୋଧ କରୁଥିବାରୁ ଏହାକୁ ସହଜରେ ଗ୍ରହଣ କରିପାରୁନଥିଲା ମୁନା । ତେବେ ପୂର୍ବର ରାଗ ରଖି ଗତକାଲି ଗୋଷ୍ଠୀ ବିବାଦ ପରେ ଅନ୍ୟ ଏକ ସ୍ଥାନରେ ଛକିଥିଲେ ମୁନା ଓ ତାର ସହଯୋଗୀ । ତେବେ ଚନ୍ଦୁ ଓ ମିଠଲ କିଛି କାମ ସାରି ପୁଣି ସେହି ବାଟ ଦେଇ ଫେରୁଥିବା ବେଳେ ପଛପଟୁ ଆକ୍ରମଣ କରିଥିଲେ ଉଭୟ । ଏଥିରେ ଚନ୍ଦୁର ମୁଣ୍ଡରେ ଗଭିର ଆଘାତ ଲାଗିଥିବା ବେଳେ ମିଠଲ ଗୁରୁତର ହୋଇଥିଲେ । ହସ୍ପିଟାଲରେ ଭର୍ତ୍ତି ହେବା ପୂର୍ବରୁ ଚନ୍ଦୁର ମୃତ୍ୟୁ ହୋଇଥିବା ବେଳେ ଗୁରୁତର ଅବସ୍ଥାରେ କ୍ୟାପିଟାଲ ହସ୍ପିଟାଲରେ ଭର୍ତ୍ତି ହୋଇଛନ୍ତି ମିଠଲ ।

ଏନେଇ ଖବର ପାଇ ପୋଲିସ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ ଆରମ୍ଭ କରିଥିବା ବେଳେ ଚନ୍ଦୁର ମୃତଦେହକୁ ବ୍ୟବଚ୍ଛେଦ ପାଇଁ ପଠାଇଛି । ମୃତ ଚନ୍ଦୁ ଦୀର୍ଘ ଏକ ଵର୍ଷ ପୂର୍ବେ ଡିଆଡିକ୍ସନ ସେଣ୍ଟର ଯାଇ ନିଶା ଛାଡିଥିବା ବେଳେ ଏଥିରୁ ଦୂରେଇ ରହିବା ପାଇଁ ବହୁବାର ସେ ବ୍ରାଉନସୁଗାର ବେପାରୀଙ୍କୁ ବିରୋଧ କରୁଥିଲା । ଯାହା ବେପାରୀଙ୍କ ପାଇଁ ବାଧକ ସାଜୁଥିଲା । ଏହାକୁ ନେଇ ଚନ୍ଦୁକୁ ହତ୍ୟା କରାଯାଇଥିବା କହିଛନ୍ତି ମିଠଲ ।

Exit mobile version