Site icon ଆଜିକାଲି

ରାଜ୍ୟରେ ଚଳିତ ଆର୍ଥିକ ବର୍ଷରେ ରେକର୍ଡ ସଂଖ୍ୟକ ୩୪,୪୮୮ ଅବକାରୀ ମାମଲା ରୁଜୁ

ଭୁବନେଶ୍ୱର : ଅବକାରୀ ବିଭାଗର ଧରପଗଡ ଯାଗୁଁ ଚଳିତ ଆର୍ଥିକ ବର୍ଷର ଅକ୍ଟୋବର ସୁଦ୍ଧା ରାଜ୍ୟରେ ରେକର୍ଡ ସଂଖ୍ୟକ ୩୪,୪୮୮ ମାମଲା ରୁଜୁ ହୋଇଛି । ଗତବର୍ଷର ଏହି ସମୟ ତୁଳନାରେ ଏହା ପ୍ରାୟ ୫୭ ପ୍ରତିଶତ ଅଧିକ ରହିଥିବା ଜଣାଯାଇଛି । ଗତବର୍ଷ ଏହି ସମୟରେ ୨୧,୯୬୦ ମାମଲା ରୁଜୁ ହୋଇଥିଲା ।
ଆଜି ଭାରପ୍ରାପ୍ତ ଅବକାରୀ କମିଶନର ରାମଚନ୍ଦ୍ର ପାଲଟାଙ୍କ ଦ୍ୱାରା ହୋଇଥିବା ମାସିକ ସମୀକ୍ଷା ବୈଠକରୁ ଏହି ସୂଚନା ମିଳିଛି । ଏହି ସମୀକ୍ଷା ବୈଠକରେ ଯୁଗ୍ମ ଅବକାରୀ କମିଶନର ଡକ୍ଟର ଦିବ୍ୟ ଲୋଚନ ମହନ୍ତ, ଶରତଚନ୍ଦ୍ର ମହାପାତ୍ର, ଉପ ଅବକାରୀ ଆୟୁକ୍ତ ରାମ ଚନ୍ଦ୍ର ମିଶ୍ର, ରଜତ କୁମାର ପ୍ରହରାଜ, ଦଣ୍ଡପାଣି ବେହେରା ଓ ଡମ୍ବରୁଧର ଖଣ୍ଡାଙ୍କ ସମେତ ସମସ୍ତ ଅଧୀକ୍ଷକ ଉପସ୍ଥିତ ଥିଲେ ।

ବୈଠକରୁ ମିଳିଥିବା ସୂଚନା ଅନୁଯାୟୀ ଚଳିତ ଆର୍ଥିକ ବର୍ଷର ଅକ୍ଟୋବର ମାସରେ ଧରପଗଡ ଯୋଗୁଁ ୧୦୩୨ଟି ଏନଡିପିଏସ ମାମଲା ଦରଜ ହୋଇଥିବାବେଳେ ୧୧୯୧ ଜଣଙ୍କୁ ଗିରଫ କରାଯାଇଛି । ଗତବର୍ଷ ଏହି ସମୟରେ ୩୯୪ଟି ଏନଡିପିଏସ ମାମଲା ରୁଜୁ ସହିତ ୪୭୦ଜଣଙ୍କୁ ଗିରଫ ହୋଇଥିଲା । ଗତବର୍ଷର ଅକ୍ଟୋବର ତୁଳନାରେ ଚଳିତବର୍ଷ ମାମଲା ରୁଜୁ ଓ ଗିରଫ ସଂଖ୍ୟା ୧୬୨ ପ୍ରତିଶତ ଅଧିକ ରହିଛି । ସେହିଭଳି ଚଳିତ ଆର୍ôଥକ ବର୍ଷର ଅକ୍ଟୋବର ଶେଷ ସୁଦ୍ଧା ୧୮,୩୦୬ ଗ୍ରାମ ହିରୋଇନ ଜବତ ହୋଇଥିବାବେଳେ ଗତବର୍ଷ ଏହା ହଜାରେ ଗ୍ରାମରୁ କମ ରହିଥିଲା ସେହିଭଳି ଅକ୍ଟୋବର ଶେଷ ସୁଦ୍ଧା ୨୬,୬୭୪ କିଲୋ ଗଞ୍ଜେଇକୁ ଅବକାରୀ ଅଧିକାରୀମାନେ ଜବତ କରିଛନ୍ତି । ଏହାଛଡା ପଦ୍ମପୁର ଉପନିର୍ବାଚନକୁ ଦୃଷ୍ଟିରେ ରଖି ବେଆଇନ ନିଶା କାରବାର ଉପରେ ସତର୍କ ଦୃଷ୍ଟି ରଖବା ସହିତ ଚଢାଉକୁ ଜୋରଦାର ଲାଗି ମଧ୍ୟ ନିର୍ଦ୍ଦେଶ ଦିଆଯାଇଛି ।

Exit mobile version