Site icon ଆଜିକାଲି

ଅଟେଇ ସଂରକ୍ଷିତ ଜଙ୍ଗଲରେ ମହାବଳର ଗତିବିଧି ଲକ୍ଷ୍ୟ ପାଇଁ ଲଗାଯାଇଥିଲା ଟ୍ରାପ୍ କ୍ୟାମେରା ଚୋରି

ଘଟଗାଁ : ଅଟେଇ ସଂରକ୍ଷିତ ଜଙ୍ଗଲ ଭିତରେ ମହାବଳ ବାଘର ଗତିବିଧିକୁ ଦେଖିବା ପାଇଁ ଲଗାଯାଇଥିଲା ୫୫ଟି ଟ୍ରାପ୍ କ୍ୟାମେରା । ସେଥିରୁ ୨ଟି ଟ୍ରାପ୍ କ୍ୟାମେରା ଚୋରି ହୋଇଥିବା ନେଇ ଥାନାରେ ଅଭିଯୋଗ ହୋଇଛି ।

ସୂଚନା ଯେ, ଗତ ଫେବ୍ରୁଆରୀ ମାସରେ ଅଟେଇ ସଂରକ୍ଷିତ ଜଙ୍ଗଲରେ ମହାବଳ ବାଘ ତାର ସ୍ଥିତି ଜାହିର କରିବା ପରେ ଆକ୍ସନ୍ ମୋଡ୍‌କୁ ଆସିଥିଲା ବନ ବିଭାଗ । ବାଘକୁ ଟ୍ରାକ୍ କରିବା ପାଇଁ ବନ ବିଭାଗ ପକ୍ଷରୁ ଘଟଗାଁ ବନାଞ୍ଚଳ ଅଟେଇ ସଂରକ୍ଷିତ ଜଙ୍ଗଲରେ ୫୫ଟି ଟ୍ରାପ୍ କ୍ୟାମେରା ଲଗାଯାଇଥିଲା । କିଛି ମାସ ପୂର୍ବରୁ ପାଟଣା ବନାଞ୍ଚଳ ଅନ୍ତର୍ଗତ ଅଟେଇ ଜଙ୍ଗଲରେ ଲଗାଯାଇଥିବା ୧୦ଟି କ୍ୟାମେରାରୁ ୨ଟି କ୍ୟାମେରା ଚୋରି ହୋଇଥିଲା । ଏନେଇ ଘଟଗାଁ ଥାନାରେ ଅଭିଯୋଗ ହୋଇଥିଲେ ମଧ୍ୟ ଅଧ୍ୟାବଧି ବନ ବିଭାଗ କିମ୍ବା ପୋଲିସ ଅଭିଯୁକ୍ତଙ୍କୁ ଧରିବାରେ ବିଫଳ ହୋଇଛି । ଏବେ ପୁଣି ଘଟଗାଁ ରେଞ୍ଜ କାଦବାହାଳି ବିଟ୍ ସ୍ଥିତ ଅଟେଇ ସଂରକ୍ଷିତ ଜଙ୍ଗଲରୁ ୨ଟି କ୍ୟାମେରା ଚୋରି ହୋଇଛି । ତେବେ କିଏ ଓ କାହିଁକି ଏଭଳି ଘଟଣା ଘଟାଉଛି ତାହା ଜଣାପଡିନାହିଁ । କୌଣସି ଶିକାରୀ କିମ୍ବା କାଠ ମାଫିଆ କ୍ୟାମେରା ଚୋରି କରୁଥିବା ଆଶଙ୍କା କରାଯାଉଛି । ବନ ବିଭାଗ ନିଜ କ୍ୟାମେରାକୁ ସୁରକ୍ଷା ଦେଇପାରୁନଥିବା ବେଳେ ମହାବଳ ବାଘର ସୁରକ୍ଷା କିପରି କରିବା ତାକୁ ନେଇ ପ୍ରଶ୍ନବାଚୀ ସୃଷ୍ଟି ହୋଇଛି ।

Exit mobile version