Site icon ଆଜିକାଲି

ଆଜିଠାରୁ ଦୁଇଦିନିଆ ବରିଷ୍ଠ ଅଧିକାରୀଙ୍କ ସମ୍ମିଳନୀ

ଭୁବନେଶ୍ବର : ଆଜିଠୁ ଦୁଇ ଦିନିଆ ବରିଷ୍ଠ ପ୍ରଶାସନିକ ଅଧିକାରୀଙ୍କ ସମ୍ମିଳନୀ ଆରମ୍ଭ ହେଉଛି । ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ସମ୍ମିଳନୀକୁ ଉଦଘାଟନ କରିବେ । ଏଥିରେ ଅଧ୍ୟକ୍ଷତା କରିବେ ମୁଖ୍ୟ ଶାସନ ସଚିବ । ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ପ୍ରଶାସନକୁ ଅଧିକ ଲୋକାଭିମୁଖୀ କରିବାକୁ ସମ୍ମିଳନୀରେ ଗୁରୁମନ୍ତ୍ର ଦେବେ । ଏହି ସମ୍ମିଳନୀରେ ଯୋଗ ଦେବେ ରାଜ୍ୟର ସମସ୍ତ ବରିଷ୍ଠ ଅଧିକାରୀ । ସବୁ ଜିଲାର ଜିଲାପାଳମାନେ ମଧ୍ୟ ଏଥିରେ ଯୋଗ ଦେବେ । ବିଭାଗୀୟ ସଚିବମାନେ ନିଜ ବିଭାଗର ରୋଡମ୍ୟାପ୍‌ ବାବଦରେ ପ୍ରେଜେଣ୍ଟେସନ ଦେବେ । ସରକାରଙ୍କ ରୂପାନ୍ତରଣ କାର୍ଯ୍ୟକ୍ରମର ସଠିକ୍ ପରିଚାଳନା ବାବଦରେ ବୁଝାଇବେ ୫ -ଟି ସଚିବ । ସରକାରଙ୍କ ଫ୍ଲାଗସିପ୍ କାର୍ଯ୍ୟକ୍ରମ ଲୋକଙ୍କ ପାଖରେ ସଠିକ୍ ଢଙ୍ଗରେ ପହଞ୍ଚାଇବା ପାଇଁ ମୁଖ୍ୟ ଶାସନ ସଚିବ ଆଲୋଚନା କରିବେ । ରୂପାନ୍ତରଣ କାର୍ଯ୍ୟକ୍ରମ, ଗ୍ରାମାଞ୍ଚଳ ଓ ସହରାଞ୍ଚଳ ବିକାଶ, ପାନୀୟଜଳ, ଶିକ୍ଷା, ସ୍ବାସ୍ଥ୍ୟ ଓ ଭିତ୍ତିଭୂମି ବିକାଶ ଫୋକସରେ ରହିବ । ଟେକ୍ନୋଲୋଜି ଓ ସ୍ଥାନୀୟ ଲୋକଙ୍କ ସହଭାଗିତାରେ ସହରୀ ଯୋଜନା ଉପରେ ନଗର ଉନ୍ନୟନ ସଚିବ ପ୍ରେଜେଣ୍ଟେସନ ଦେବେ । ଆମ ହସ୍ପିଟାଲ ଓ ବିଜୁ ସ୍ବାସ୍ଥ୍ୟ କଲ୍ୟାଣ ଯୋଜନା ଉପରେ ଜିଲ୍ଲାପାଳଙ୍କ ସହ ଆଲୋଚନା କରିବେ ସ୍ବାସ୍ଥ୍ୟ ସଚିବ । ସେହିଭଳି ମହିଳା ସ୍ବୟଂ ସହାୟକ ଗୋଷ୍ଠୀରୁ ଲଘୁ ଓ ମଧ୍ୟମ ଉଦ୍ୟୋଗୀ ହେବାର ରୋଡମ୍ୟାପ୍‌ ବାବଦରେ ବୁଝାଇବେ ମିଶନ ଶକ୍ତି ସଚିବ ।

ଏସଏଚଜିଙ୍କୁ ୫୦ ହଜାର କୋଟି ଟଙ୍କାର ଋଣ ବିନାସୁଧରେ ଦେବାକୁ ରାଜ୍ୟ ସରକାର ଲକ୍ଷ୍ୟ ରଖିଛନ୍ତି । ବହୁବିଧ ଫସଲ ଚାଷ ଉପରେ କୃଷି ସଚିବ ଏବଂ ପ୍ରଶାସନରେ ଟେକ୍ନୋଲୋଜିର ଭୂମିକା ବାବଦରେ ପ୍ରେଜେଣ୍ଟେସନ ଦେବେ ଆଇଟି ସଚିବ । ଦକ୍ଷତା ବିକାଶ ଉପରେ ବିଭାଗୀୟ ସଚିବ ଗୁରୁତ୍ବ ଦେବାକୁ ଯାଉଥିବା ବେଳେ ଓଡ଼ିଶା କିପରି ପୁଞ୍ଜିପତିଙ୍କ ପ୍ରିୟସ୍ଥାନ ପାଲଟିଛି ସେ ବାବଦରେ ଶିଳ୍ପ ସଚିବ ତଥ୍ୟ ରଖିବେ ।

Exit mobile version