Site icon ଆଜିକାଲି

ଓଡିଶାରେ ଚୁକ୍ତିଭିତିକ ନିଯୁକ୍ତି ବ୍ୟବ୍ୟସ୍ଥା ଉଚ୍ଛେଦ ; ଘୋଷଣା କଲେ ମୁଖ୍ୟମନ୍ତ୍ରୀ

ଭୁବନେଶ୍ୱର : ରାଜ୍ୟ କ୍ୟାବିନେଟ ଚୁକ୍ତିଭିତିକ ନିଯୁକ୍ତି ବ୍ୟବ୍ୟସ୍ଥାକୁ ସବୁଦିନ ପାଇଁ ଉଚ୍ଛେଦ କରିବାକୁ ନିଷ୍ପତି ନେଇଛନ୍ତି । ଆସନ୍ତାକାଲି ଏସମ୍ପର୍କରେ ବିଜ୍ଞପ୍ତି ପ୍ରକାଶ ପାଇବ । ୫୭ ହଜାରରୁ ଅଧିକ କର୍ମଚାରୀ ନିୟମିତ ହେବେ । ଏଥିପାଇଁ ହାରାହାରି ୧୩୦୦ କୋଟିରୁ ଅଧିକ ଟଙ୍କା ଖର୍ଚ୍ଚ ହେବ । ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଶନିବାର ସଂଧ୍ୟାରେ ଏକ ଭିଡିଓ ବାର୍ତା ଜରିଆରେ ଏହି ଘୋଷଣା କରିଛନ୍ତି ।

ମୁଖ୍ୟମନ୍ତ୍ରୀ ଏହି ଭିଡିଓ ବାର୍ତାରେ କହିଛନ୍ତି ଯେ ଓଡିଶାରେ ଚୁକ୍ତିଭିତିକ ନିଯୁକ୍ତିର ଯୁଗ ଶେଷ ହେଲା । ସବୁ ଚୁକ୍ତିଭିତିକ ନିଯୁକ୍ତି ନିୟମିତ ହେବ । ଏବେ ବି ଅନେକ ରାଜ୍ୟରେ ନିୟମିତ ନିଯୁକ୍ତି ବନ୍ଦ ଅଛି । ଚୁକ୍ତିଭିତିକ ନିଯୁକ୍ତି ଚାଲିଛି । କିନ୍ତୁ ଓଡିଶାରେ ଚୁକ୍ତିଭିତିକ ନିଯୁକ୍ତିର ଯୁଗ ଶେଷ ହୋଇଛି । ବହୁ ଦିନ ଧରି ଏ ସୁଦିନକୁ ମୁଁ ଅପେକ୍ଷା କରିଥିଲି । ସେମାନଙ୍କ ପରିବାର ପାଇଁ ଏହା ଆଗୁଆ ଦୀପାବଳି ଆଣିଛି ବୋଲି ମୁଖ୍ୟମନ୍ତ୍ରୀ କହିଛନ୍ତି । ସରକାରୀ କର୍ମଚାରୀ ମାନଙ୍କୁ ମୁଖ୍ୟମନ୍ତ୍ରୀ କହିଛନ୍ତି ଆପଣମାନେ ସମସ୍ତେ ଭଲ କାମ କରନ୍ତୁ । ନିଷ୍ଠାର ସହ ଲୋକଙ୍କ ସେବା କରନ୍ତୁ । ଦାୟିତ୍ୱ ପାଳନ କରିବାବେଳେ, ୫-ଟି ଉପକ୍ରମ – ଟିମ୍ ୱାର୍କ, ଟେକ୍‌ନୋଲୋଜି, ଟ୍ରାନ୍‌ସପ୍ୟାରେନ୍‌ସି ଓ ଟ୍ରାନସଫରମେସନକୁ ଅନୁସରଣ କରନ୍ତୁ । ସରକାରଙ୍କ ପରିଚୟକୁ ଆହୁରି ଉଜ୍ଜଳ କରନ୍ତୁ ଏବଂ ଓଡିଶାର ରୂପାନ୍ତରରେ ନିଜର ଗୁରୁତ୍ୱପୂର୍ଣ୍ଣ ଅବଦାନ ରଖନ୍ତୁ ।

ଶନିବାର ସଂଧ୍ୟାରେ ରାଜ୍ୟ କ୍ୟାବିନେଟ୍ ର ଗୁରୁତ୍ୱପୂର୍ଣ୍ଣ ବୈଠକ ଅନୁଷ୍ଠିତ ହୋଇଥିଲା ।ବୈଠକ ପରେ ମୁଖ୍ୟମନ୍ତ୍ରୀ ଏକ ଭିଡିଓ ବାର୍ତାରେ କହିଛନ୍ତି ଯେ ୨୦୦୦ ମସିହାରେ ମୁଁ ଓଡିଶା ମା’ର ସେବାର ସୁଯୋଗ ପାଇଥିଲି । ମହାବାତ୍ୟା ପର ସ୍ଥିତି ଓ ଦୁର୍ବଳ ଆର୍ôଥକ ଅବସ୍ଥା ମୋ ପାଇଁ ସବୁଠାରୁ ବଡ ଚ୍ୟାଲେଞ୍ଜ ଥିଲା । ରାଜ୍ୟ ଓଭର ଡ୍ରାଫ୍ଟରେ ଚାଲୁଥିଲା । ନିତି ଦିନ ଖର୍ଚ୍ଚ ପାଇଁ ସରକାରଙ୍କୁ ରିଜର୍ଭ ବ୍ୟାଙ୍କ ଉପରେ ନିର୍ଭର କରିବାକୁ ପଡୁଥିଲା । ଓଡିଶା ଅର୍ଥନୀତି ପାଇଁ ଏହା ଏକ କଳା ସମୟ ଥିଲା । ରାଜକୋଷ ଖାଲି ଥିଲା । ଅର୍ଥନୀତି ଉପରେ ବହୁତ ଚାପ ଥିଲା । ଶିକ୍ଷା, ସ୍ୱାସ୍ଥ୍ୟ, ଭିତିଭୂମି, କୃଷି, ଜଳସେଚନ ଆଦି ବିଭିନ୍ନ କ୍ଷେତ୍ରରେ ଆମେ ବହୁତ ପଛୁଆ ଥିଲୁ । ସୀମିତ ସମ୍ବଳ ଭିତରେ ଏସବୁ କ୍ଷେତ୍ରରେ ଉନ୍ନତି ଆଣିବା ଥିଲା ଆମ ପାଇଁ ସବୁଠାରୁ ବଡ ପ୍ରାଥମିକତା । ସେତେବେଳେ ନିଯୁକ୍ତି ପୁରାପୁରି ବନ୍ଦ ଥିଲା । ପୋଷ୍ଟ ସବୁ ଉଚ୍ଛେଦ କରିବାକୁ ପଡୁଥିଲା । ତେବେ ଉତମ ଆର୍ôଥକ ପରିଚାଳନା ଓ ସୁଶାସନ ଜରିଆରେ ହିଁ ଧିରେ ଧିରେ ପରିସ୍ଥିତିରେ ଉନ୍ନତି ଆସିଲା । ୨୦୧୩ରୁ ଆମେ ଚୁକ୍ତିଭିତିକ ନିଯୁକ୍ତି ଆରମ୍ଭ କଲୁ । ଏବେ ଆମ ଅର୍ଥନୀତିରେ ଉନ୍ନତି ଆସିଛି । ବିକାଶ କ୍ଷେତ୍ରରେ ଓଡିଶା ସାରା ଦେଶରେ ଏକ ନୂଆ ପରିଚୟ ସୃଷ୍ଟି କରିପାରିଛି । ଗତ ବର୍ଷ ଆମେ ଏହି ଚୁକ୍ତିଭିତିକ ନିଯୁକ୍ତି କୁ ପରିବର୍ତନ କରି ଇନିସିଆଲ ଆପଏଂଟି କରିଥିଲୁ । ଆଜି ଆମେ ଚୁକ୍ତି ଭିତିକ ନିଯୁକ୍ତ ଉଚ୍ଛେଦ କରିବାକୁ ନିଷ୍ପତି ନେଲୁ ବୋଲି ମୁଖ୍ୟମନ୍ତ୍ରୀ କହିଛନ୍ତି ।

Exit mobile version