Site icon ଆଜିକାଲି

ଏବିଭିପି ଦାବିକଲା ଛାତ୍ର ସଂସଦ ନିର୍ବାଚନ

କେନ୍ଦୁଝର,  ଦୀର୍ଘ ୪ ବର୍ଷ ହେବ ଛାତ୍ର ସଂସଦ ନିର୍ବାଚନ ହେଉ ନ ଥିବାରୁ ଏବିଭିପି ପକ୍ଷରୁ ଅସନ୍ତୋଷ ପ୍ରକାଶ ପାଇଛି । ତେଣୁ ରାଜ୍ୟ ସରକାର ତୁରନ୍ତ ନିର୍ବାଚନ କରିବା ପାଇଁ ଗୁରୁବାର ସରସ୍ବତୀ ଶିଶୁ ବିଦ୍ୟାମନ୍ଦିରରେ ଅନୁଷ୍ଠିତ ଏକ ଖବରଦାତା ସମ୍ମିଳନନୀରେ ଏବିଭିପି କେନ୍ଦୁଝର ଶାଖା ପକ୍ଷରୁ ଦାବି କରାଯାଇଛି । କ୍ୟାମ୍ପସରେ ଶୈଖିକ ବାତାବରଣ ଆଣିବା ପାଇଁ ସରକାର ନିର୍ବାଚନ ବନ୍ଦ କରିଥିବା କହୁଥିବା ବେଳେ ପ୍ରକୃତ ପକ୍ଷେ ଶାସକ ଦଳର ଛାତ୍ର ସଙ୍ଗଠନ ନିର୍ବାଚନରେ ହାରିବାର ଭୟ ବୋଲି ଅଖିଳ ଭାରତୀୟ ବିଦ୍ୟାର୍ଥୀ ପରିଷଦ ଜିଲା ସଂଯୋଜକ ଚିନ୍ମୟ କୁମାର ବାରିକ ଅଭିଯୋଗ କରିଛନ୍ତି । ନିର୍ବାଚନ କେବେ କରିବେ ତା’ର ଜବାବ ରାଜ୍ୟ ସରକାରଙ୍କୁ ମାଗିଛନ୍ତି । ଏହାଛଡ଼ା ଶୈଖିକ ବାତାବରଣ ସୃଷ୍ଟିକରିବା ବଦଳରେ ବିଭିନ୍ନ କଲେଜରେ ଶିକ୍ଷାର ମାନ କମିବା, ଅଣଛାତ୍ରଙ୍କ ଆତଙ୍କରାଜ ବଢ଼ିବା, ରାଗିଂ ଘଟଣା ଘଟୁଥିବା ପଛରେ ଶାସକ ଦଳର ଛାତ୍ର ସଙ୍ଗଠନକୁ ସେ ଦାୟୀ କରିଛନ୍ତି । ଏହାଛଡ଼ା ମହାବିଦ୍ୟାଳୟଗୁଡିକରେ ଶିକ୍ଷକଙ୍କ ଅଭାବ ଯୋଗୁ ପାଠପଢ଼ା ବ୍ୟାହତ ହେଉଥିଲେ ହେଁ ଖାଲିପଡିଥିବା ଅଧ୍ୟକ୍ଷ ଏବଂ ଅଧ୍ୟାପକ ପଦବୀ ଦୀର୍ଘ ବର୍ଷ ଧରି ପୂରଣ କରାଯାଉ ନାହିଁ । ଏହାଛଡା କେନ୍ଦୁଝର ଜିଲାର ବିଭିନ୍ନ ସମସ୍ୟା ଯଥା ମହିଳା ଥାନା ସ୍ଥାନ, ଚନ୍ଦ୍ରଶେଖର ମହାବିଦ୍ୟାଳୟ ଚମ୍ପୁଆକୁ ସ୍ବୟଂଶାସିତ ମହାବିଦ୍ୟାଳୟର ମାନ୍ୟତା ଦେବା, ପଦ୍ମପୁର ମହାବିଦ୍ୟାଳୟରେ ପାଚେରି ନିର୍ମାଣ ସହ ସିକ୍ୟୁରିଟ ଗାର୍ଡ ନିଯୁକ୍ତି, ଯୋଡ଼ା ମହିଳା ମହାବିଦ୍ୟାଳୟର ଜମି ମହାବିଦ୍ୟାଳୟ ନାମରେ ପଞ୍ଜୀକୃତ କରିବା, ତେଲକୋଇ ମହାବିଦ୍ୟାଳୟର ପାନୀୟ ଜଳ ସମସ୍ୟା ସମାଧାନ କରିବା, ଘଟଗାଁ ତାରିଣୀ ମହାବିଦ୍ୟାଳୟର ଛାତ୍ରୀମାନଙ୍କ ପାଇଁ କମନ ରୁମ୍‌, ସିକ୍ୟୁରିଟି ଗାର୍ଡ, ସାଇକେଲ ଷ୍ଟାଣ୍ଡ, ଅଧ୍ୟାପକ ନିଯୁକ୍ତି କରିବା, ଧରଣୀଧର ବିଶ୍ୱବିଦ୍ୟାଳୟରେ ଅଧ୍ୟାପକ ନିଯୁକ୍ତି, ରେକୁଟିଆ ମହାବିଦ୍ୟାଳୟର ରାଜନୀତୀକରଣ ବନ୍ଦ, ହାଟଡିହି ମହାବିଦ୍ୟାଳୟର ପାଚେରି ନିର୍ମାଣ, ଅଧ୍ୟାପକ ନିଯୁକ୍ତି, ଖେଳ ପଡ଼ିଆ ନିର୍ମାଣ କରିବା ସହ ବିଭିନ୍ନ ଦାବି ଉପସ୍ଥାପନ କରିଥିଲେ। ସମ୍ମିଳନୀରେ ଅନ୍ୟମାନଙ୍କ ମଧ୍ୟରେ ଏବିଭିପି ବିଭାଗ ସଂଯୋଜକ ଅଜିତ କୁମାର ମହାନ୍ତ, ନଗର ସମ୍ପାଦକ କୌସ୍ତୁଭ କିରଣ ମାନସିଂ, ନଗର ବିସ୍ତାରକ ନାରାୟଣ ବେହେରା ପ୍ରମୁଖ ଉପସ୍ଥିତ ଥିଲେ।

Exit mobile version