Site icon ଆଜିକାଲି

ଶ୍ରୀକ୍ଷେତ୍ରରେ ଆଜି ରଥାରୁଢ଼ ମହାପ୍ରଭୁଙ୍କ ଅଧରପଣା ନୀତି

ପୁରୀ : ଶ୍ରୀକ୍ଷେତ୍ରରେ ଆଜି ରଥାରୁଢ଼ ମହାପ୍ରଭୁଙ୍କ ଅଧରପଣା ନୀତି । ସିଂହଦ୍ୱାର ଆଗରେ ତିନି ରଥ ଉପରେ ଅଧରପଣା ନୀତି ସଂପନ୍ନ ହେବ । ମହାପ୍ରଭୁଙ୍କ ଉଦ୍ଦେଶ୍ୟରେ ଅଧର ପଣା ଲାଗି ହେବା ପରେ ରଥର ପାର୍ଶ୍ୱଦେବଦେବୀ ଓ ଅଶରୀରଙ୍କ ଲାଗି ଭଙ୍ଗାହେବ ଅଧର ହାଣ୍ଡି । ଦ୍ୱାଦଶୀ ତିଥିରେ ଏହି ନୀତି ଅନୁଷ୍ଠିତ ହୋଇଥାଏ । ଅଧର ପଣା ପାଇଁ ସ୍ୱତନ୍ତ୍ର ହାଣ୍ଡି ପ୍ରସ୍ତୁତ ହୋଇଛି । ଏହି ହାଣ୍ଡିରେ ପଣା ପ୍ରସ୍ତୁତ ହୋଇ ଚତୁର୍ଦ୍ଧାମୂର୍ତ୍ତିଙ୍କୁ ଲାଗି ହେବ । ମହାପ୍ରଭୁଙ୍କ ନିକଟକେ ୩ଟି ହାଣ୍ଡି ଲେଖାଏ ପଣା ଭୋଗ ହେବ । ଦାରୁବିଗ୍ରହଙ୍କ ନିକରେ ପଣା ଭୋଗପରେ ଏହାକୁ ଭାଙ୍ଗି ଦିଆଯିବାର ପରଂପରା ରହିଛି ।

ନୀତି ନିର୍ଘଣ୍ଟ ଅନୁଯାୟୀ ଆଜି ଅପରାହ୍‌ଣ ସାଢ଼େ ୩ଟାରୁ ସାଢ଼େ ୪ଟା ଭିତରେ ମଧ୍ୟାହ୍ନ ଧୂପ ସଂପନ୍ନ ହେବ । ପରେ ରାତି ଆଠଟା ସୁଦ୍ଧା ତିନି ରଥରେ ଅଧର ପଣା ନୀତି ସରିବା ପରେ ୯ଟା ସୁଦ୍ଧା ମହାସ୍ନାନ କରାଯିବ । ରାତି ଗୋଟାଏରେ ବଡ଼ ସିଂହାର ବେଶ, ରାତି ସାଢ଼େ ଗୋଟାଏରେ ବଡ଼ ସିଂହାର ବେଶ ଓ ରାତି ଦୁଇଟାରେ ପହୁଡ଼ ନୀତି ଅନୁଷ୍ଠିତ ହେବ ବୋଲି ନୀତି ନିର୍ଘଣ୍ଟ ହୋଇଛି । ଅଧର ପଣା ନୀତିକୁ ଶୃଙ୍ଖଳିତ ଭାବେ ସଂପନ୍ନ କରିବା ପାଇଁ ଶ୍ରୀମନ୍ଦିର ପ୍ରଶାସନ ପକ୍ଷରୁ ବ୍ୟବସ୍ଥା କରାଯାଇଛି । ଆସନ୍ତାକାଲି ମହାପ୍ରଭୁଙ୍କ ନୀଳାଦ୍ରି ବିଜେ ନୀତି ଅନୁଷ୍ଠିତ ହେବ । ଏହାପୂର୍ବରୁ ଗତକାଲି ମହାପ୍ରଭୁଙ୍କ ସୁନାବେଶ ହୋଇଥିଲା । ରଥାରୁଢ଼ ମହାପ୍ରଭୁଙ୍କ ସୁନାବେଶ ଦର୍ଶନ ପାଇଁ ଲକ୍ଷ ଲକ୍ଷ ଶ୍ରଦ୍ଧାଳୁଙ୍କ ସମାଗମ ହୋଇଥିବା ବେଳେ ସୁରକ୍ଷା ବ୍ୟବସ୍ଥା କଡ଼ାକଡ଼ି କରାଯାଇଥିଲା ।

Exit mobile version