Site icon ଆଜିକାଲି

ସଫଳତାର ସହ ଚତୁର୍ଥ କକ୍ଷପଥ ପରିବର୍ତ୍ତନ କଲା ଆଦିତ୍ୟ ଏଲ୍-୧

ନୂଆଦିଲ୍ଲୀ : ଭାରତର ପ୍ରଥମ ସୂର୍ଯ୍ୟ ମିଶନରେ ମହାକାଶକୁ ପଠାଯାଇଥିବା ଆଦିତ୍ୟ ଏଲ୍-୧ ଚତୁର୍ଥ ‘ଅର୍ଥ ବାଉଣ୍ଡ ମନ୍ୟୁବର୍’ ସଫଳତାର ସହ ସମାପ୍ତ କରିଛି। ଭାରତୀୟ ସ୍ପେସ୍ ଏଜେନ୍ସି ‘ଇଣ୍ଡିଆନ୍ ସ୍ପେସ୍ ରିସର୍ଚ୍ଚ ଅର୍ଗାନାଇଜେସନ୍’ (ଇସ୍ରୋ) ଏକ ଟୁଇଟ୍ ମାଧ୍ୟମରେ ଏହି ସୂଚନା ଦେଇଛି। ସରଳ ଭାଷାରେ, ‘ଅର୍ଥ ବାଉଣ୍ଡ ମନ୍ୟୁବର୍’ ଅର୍ଥାତ୍ ପୃଥିବୀ ଚାରିପଟେ ଘୂରି ବୁଲିବା ସମୟରେ ଏହାର ମାଧ୍ୟାକର୍ଷଣ ଶକ୍ତି ମାଧ୍ୟମରେ ମହାକାଶରେ ଯାତ୍ରା କରିବା ପାଇଁ ଗତି ସୃଷ୍ଟି କରେ ।

ସୂର୍ଯ୍ୟ ଅଧ୍ୟୟନ ପାଇଁ ମହାକାଶକୁ ପଠାଯାଇଥିବା ଆଦିତ୍ୟ ଏଲ୍ -୧ ହେଉଛି ଭାରତର ପ୍ରଥମ ମହାକାଶ ପର୍ଯ୍ୟବେକ୍ଷଣକାରୀ । ସୂର୍ଯ୍ୟ ଏବଂ ପୃଥିବୀ ମଧ୍ୟରେ ପାଞ୍ଚଟି ଲାଗ୍ରେଞ୍ଜ ପଏଣ୍ଟ ଅଛି । ଲାଗ୍ରେଞ୍ଜ ପଏଣ୍ଟ ହେଉଛି ସେହି ସ୍ଥାନ ଯେଉଁଠାରୁ ସୂର୍ଯ୍ୟଙ୍କୁ ବିନା କୌଣସି ଗ୍ରହଣ କିମ୍ବା ବାଧାରେ ଦେଖିହେବ । ଆଦିତ୍ୟ ଏଲ୍-୧ ମହାକାଶଯାନ ଲାଗ୍ରେଞ୍ଜ ପଏଣ୍ଟ ୧ କୁ ପଠାଯାଉଛି । ପୃଥିବୀରୁ ଲାଗ୍ରେଞ୍ଜ ପଏଣ୍ଟ ୧ ର ଦୂରତା ୧୫ ଲକ୍ଷ କିଲୋମିଟର ହୋଇଥିବାବେଳେ ସୂର୍ଯ୍ୟଙ୍କଠାରୁ ପୃଥିବୀର ଦୂରତା ୧୫ କୋଟି କିଲୋମିଟର ଅଟେ ।

ଇସ୍ରୋ ଟ୍ଵିଟ କରି କହିଛି ଯେ, ‘ଚତୁର୍ଥ ଆର୍ଥ ବାଉଣ୍ଡ ମନିଭର୍‌ (EBN # 4)’ ସଫଳ ହୋଇଛି । ଏହି ସାଟେଲାଇଟକୁ ମରିସସ୍‌, ବାଙ୍ଗାଲୋର, ଶ୍ରୀହରିକୋଟାସ୍ଥିତ ସତୀଶ ଧଓ୍ଵନ ସ୍ପେସ୍‌ ସେଣ୍ଟର ଏବଂ ପୋର୍ଟ ବ୍ଲେୟର ଗ୍ରାଉଣ୍ଡ ଷ୍ଟେସନ ଦ୍ୱାରା ଟ୍ରାକ କରାଯାଇଥିଲା । ଆଦିତ୍ୟ ଏଲ୍-୧ ପାଇଁ ଫିଜି ଦ୍ୱୀପରେ ଥିବା ଟ୍ରାନ୍ସପୋର୍ଟେବଲ ଟର୍ମିନାଲ ପୋଷ୍ଟ ବର୍ନ ଅପରେସନରେ ସାହାଯ୍ୟ କରିବ । ଭାରତୀୟ ସ୍ପେସ୍ ଏଜେନ୍ସି କହିଛି ଯେ ପରବର୍ତ୍ତୀ ମନିଭର୍ ଟ୍ରାନ୍ସ-ଲାଙ୍ଗ୍ରେଜିଆନ୍ ପଏଣ୍ଟ 1 ଇନ୍ସର୍ସନ୍ (TL1I) ୧୯ ସେପ୍ଟେମ୍ବର ରାତି ୨ଟାରେ କରାଯିବ ।

Exit mobile version