Site icon ଆଜିକାଲି

ଏମ୍ସ ଭୁବନେଶ୍ୱରରେ କବକ ସଂକ୍ରମଣ ଓ ନିରାକରଣ ନିମନ୍ତେ ଅତ୍ୟାଧୁନିକ ମଲିକୁଲାର ଏବଂ ଡାଇଗ୍ନୋଷ୍ଟିକ୍ ଗବେଷଣା କେନ୍ଦ୍ର ଉଦଘାଟିତ

ଭୁବନେଶ୍ୱର : ଏମ୍ସ ଭୁବନେଶ୍ୱରରେ କବକ ସଂକ୍ରମଣ ଓ ନିରାକରଣ ନିମନ୍ତେ ଅତ୍ୟାଧୁନିକ ମଲିକୁଲାର ଏବଂ ଡାଇଗ୍ନୋଷ୍ଟିକ୍ ଗବେଷଣା କେନ୍ଦ୍ର ଉଦଘାଟିତ ହୋଯାଇଛି । କବକ ଚିହ୍ନଟ, ଏନେଇ ହେଉଥିବା ସଂକ୍ରମଣ ଏବଂ ଏହାର ନିରାକରଣ ନେଇ ଆଜି ଏମ୍ସ ଭୁବନେଶ୍ୱର ରେ ଆରମ୍ଭ ହୋଇଥିବା ଏପରି ଅନୁସନ୍ଧାନକେନ୍ଦ୍ର ପୂର୍ବ ଭାରତରେ ପ୍ରଥମ । ଏନେଇ ଅଧିକ ଗବେଷଣା ପାଇଁ ଏହା ଏକ ରେଫରାଲ୍ କେନ୍ଦ୍ର ଭାବରେ କାର୍ଯ୍ୟ କରିବ ବୋଲି ଗବେଷକମାନେ ମତ ରଖିଛନ୍ତି । ଏମ୍ସ ଭୁବନେଶ୍ୱର କାର୍ଯ୍ୟନିର୍ବାହୀ ନିର୍ଦ୍ଦେଶକ ପ୍ରଫେସର ଆଶୁତୋଷ ବିଶ୍ୱାସଙ୍କ ଉପସ୍ଥିତିରେ ବିଶ୍ୱପ୍ରସିଦ୍ଧ ମେଡିକାଲ ମାଇକୋଲୋଜିଷ୍ଟ ପ୍ରଫେସର ଅରୁଣାଲୋକ ଚକ୍ରବର୍ତୀ ଆଜି ଏମ୍ସ ର ମାଇକ୍ରୋ ବାୟୋଲୋଜି ବିଭାଗରେ ଆଇସିଏମଆର ଆଡଭାନ୍ସଡ ମଲିକୁଲାର ଏବଂ ଡାଇଗ୍ନୋଷ୍ଟିକ୍ ରିସର୍ଚ୍ଚ ସେଣ୍ଟର ଉଦଘାଟନ କରିଛନ୍ତି ।

ଏହି ଅବସରରେ ଏମ୍ସ ଡିନ (ଏକାଡେମିକ୍‌) ପ୍ରଫେସର ପି ଆର ମହାପାତ୍ର, ମାଇକ୍ରୋ ବାୟୋଲୋଜି ବିଭାଗ ମୁଖ୍ୟ ପ୍ରଫେସର ବୈଜୟନ୍ତୀମାଳା ମିଶ୍ର ଏବଂ ଆଇସିଏମଆର ବୈଜ୍ଞାନିକ ଡ. ମଧୁଛନ୍ଦା ଦାସ ପ୍ରମୁଖ ଉପସ୍ଥିତ ଥିଲେ । ଏହି ଅବସରରେ ପ୍ରଫେସର ଅରୁଣାଲୋକ ଚକ୍ରବର୍ତୀ କହିଛନ୍ତି ଯେ କୋଭିଡ୍ ଏବଂ ପରବର୍ତୀ ସମୟରେ ଅନେକ ମାରାତ୍ମକ ଫଙ୍ଗାଲ୍ ସଂକ୍ରମଣ ସାମ୍ନାକୁ ଆସିଛି । ଏଥିମଧ୍ୟରୁ ମ୍ୟୁକର୍ମାଇକୋସିସ୍ ଏବଂ କ୍ୟାଣ୍ଡିଡା ଆରିସ୍ ପରି କେତେକ ଫଙ୍ଗାଲ ମେଡିକାଲ୍ ଏବଂ ଅଣ-ମେଡିକାଲ୍ କ୍ଷେତ୍ରରେ ଲକ୍ଷ୍ୟ କରାଯାଇଛି । ପ୍ରଫେସର ଆଶୁତୋଷ ବିଶ୍ୱାସଙ୍କ ମତରେ ନିକଟରେ ଫଙ୍ଗାଲ୍ ସଂକ୍ରମଣର ବ୍ୟାପକତା ବୃଦ୍ଧି ପାଇଛି । ବିଭିନ୍ନ ବ୍ୟବସ୍ଥା ସତ୍ୱେ କବକ ସଂକ୍ରମଣର ଚିହ୍ନଟ ଏବଂ ଚିକିତ୍ସା କ୍ଷେତ୍ରରେ ଅତ୍ୟାଧୁନିକ ଗବେଷଣା ଭଳି ଅନେକ ଅଭାବ ରହିଛି । ଏହାକୁ ପୂରଣ ପାଇଁ ସମଗ୍ର ଭାରତରେ କବକ ପାଇଁ ଉନ୍ନତ ମଲିକୁଲାର ଏବଂ ଡାଇଗ୍ନୋଷ୍ଟିକ୍ ଅନୁସନ୍ଧାନ କେନ୍ଦ୍ର ପ୍ରତିଷ୍ଠା କରାଯାଇଛି ।

ଏହି କେନ୍ଦ୍ର ବିଭିନ୍ନ ଫଙ୍ଗଲ୍ ସଂକ୍ରମଣ ରୋଗୀଙ୍କ ପାଇଁ ଏକାଧିକ ସେରୋଲୋଜିକାଲ୍‌, ମଲିକୁଲାର୍ ଏବଂ ଆଂଟିଫଙ୍ଗାଲ୍ ସମ୍ବେଦନଶୀଳତା ପରୀକ୍ଷା ସେବା ପ୍ରଦାନ କରି ମେଡିକାଲ୍ ଫଙ୍ଗାଲ୍ ଗୁଡ଼ିକୁ ଚିହ୍ନଟ କରିବାରେ ସାହାଯ୍ୟ କରିବ । ଏଥିସହିତ ଏହି କେନ୍ଦ୍ରରେ ମାଇକ୍ରୋବାୟୋଲୋଜି ଟ୍ରେନିଂ କିମ୍ବା ମାଇକ୍ରୋବାୟୋଲୋଜିଷ୍ଟମାନଙ୍କୁ ଅଭ୍ୟାସ କରୁଥିବା ପର୍ଯ୍ୟବେକ୍ଷକ / ହ୍ୟାଣ୍ଡ-ଅନ୍ ଲାବୋରେଟୋରୀ ତାଲିମ ସୁଯୋଗ ପ୍ରଦାନ କରିବ । କବକ ସଂକ୍ରମଣର ଶିକାର ହୋଇଥିବା ଡାକ୍ତରଖାନାଗୁଡ଼ିକ ଏହି କେନ୍ଦ୍ରରୁ ସହାୟତା ଲୋଡିପାରିବେ ଯାହା ଦ୍ୱାରା ଏହି ସଂକ୍ରମଣ ଏପିସୋଡ୍ ବନ୍ଦ ହେବାର ମୂଳ କାରଣ ଚିହ୍ନଟ କରାଯାଇପାରିବ ଏବଂ ଭବିଷ୍ୟତରେ ଘଟୁଥିବା ଘଟଣାକୁ ରୋକିବା ପାଇଁ ପଦକ୍ଷେପ ଗ୍ରହଣ କରାଯାଇପାରିବ ।

Exit mobile version