Site icon ଆଜିକାଲି

୭ ସନ୍ଦିଗ୍ଧ ଆତଙ୍କବାଦୀ ଚିହ୍ନଟ ପରେ ପଠାନକୋଟରେ ହାଇ ଆଲର୍ଟ, ସ୍କେଚ୍‌ ଜାରି କରି ସତର୍କ କରାଇଲା ସେନା

ନୂଆଦିଲ୍ଲୀ : ପଞ୍ଜାବର ପଠାନକୋଟ ଅଞ୍ଚଳରେ ୭ ସନ୍ଦିଗ୍ଧ ଆତଙ୍କବାଦୀଙ୍କୁ ଚିହ୍ନଟ କରିଛି ସେନା ଓ ପୁଲିସ। ଫାଙ୍ଗତୋଲି ଗ୍ରାମରେ ସନ୍ଦିଗ୍ଧ ଆତଙ୍କବାଦୀମାନଙ୍କ ପଦଚିହ୍ନକୁ ପୁଲିସ ଠାବ କରିଛି। ସ୍ଥାନୀୟ ଲୋକଙ୍କଠାରୁ ସୂଚନା ପାଇବା ପରେ ପୁଲିସ ଏବଂ ଭାରତୀୟ ସେନା ମିଳିତ ଭାବେ ପଠାନକୋଟ ଅଞ୍ଚଳରେ ହାଇ ଆଲର୍ଟ ଜାରି କରାଯିବା ସହିତ ସୁରକ୍ଷା ବ୍ୟବସ୍ଥାକୁ କଡ଼ା କଡ଼ି କରାଯାଇଛି। ପ୍ରତ୍ୟକ୍ଷଦର୍ଶୀଙ୍କ ତଥ୍ୟକୁ ଆଧାର କରି ସନ୍ଦିଗ୍ଧ ଆତଙ୍କବାଦୀମାନଙ୍କ ସ୍କେଚ ପ୍ରସ୍ତୁତ କରାଯାଇଛି। ସନ୍ଦିଗ୍ଧଙ୍କ ବିଷୟରେ କୌଣସି ତଥ୍ୟ ମିଳିଲେ ତୁରନ୍ତ ପୁଲିସକୁ ସୂଚନା ଦେବାକୁ କୁହାଯାଇଛି। ପୁଳିସ ଏବଂ ସେନା ପକ୍ଷରୁ ଉକ୍ତ ଅଞ୍ଚଳରେ ମିଳିତ ଅପରେସନ କରାଯାଉଛି। ସନ୍ଦିଗ୍ଧ ଆତଙ୍କବାଦୀଙ୍କ ଉପସ୍ଥିତି ଜଣାପଡ଼ିବା ପରେ ଅଞ୍ଚଳରେ ଭୟର ବାତାବରଣ ଲାଗି ରହିଛି।

ସୀମା ଦେବୀ ନାମ୍ନୀ ଜଣେ ସ୍ଥାନୀୟ ମହିଳା କହିଛନ୍ତି, ଜଣେ ସନ୍ଦିଗ୍ଧ ବ୍ୟକ୍ତି ନିକଟ ଏକ ଜଙ୍ଗଲରୁ ଆସି ତାଙ୍କୁ ପିଇବାକୁ ପାଣି ମାଗିଥିଲେ। ତାଙ୍କ ସହିତ ଅନ୍ୟ କେତେଜଣ ମଧ୍ୟ ରହିଥିଲେ। ଉକ୍ତ ସନ୍ଦିଗ୍ଧ ତାଙ୍କୁ ଏକୁଟିଆ ରହୁଛ କି ବୋଲି ପଚାରିବାରୁ ସୀମାଙ୍କର ସନ୍ଦେହ ହୋଇଥିଲା। ତେବେ ପାଣି ଦେବା ପରେ ସେମାନେ ପୁନର୍ବାର ଜଙ୍ଗଲ ଭିତରକୁ ପଳାଇଥିଲେ। ଏହା ପରେ ସୀମା ତୁରନ୍ତ ପୁଲିସକୁ ଖବର ଦେଇଥିଲେ। ତୁରନ୍ତ ପୁଲିସ ଏବଂ ସେନା ଉକ୍ତ ଅଞ୍ଚଳରେ ପହଞ୍ଚି ଜଙ୍ଗଲରେ ସର୍ଚ୍ଚ ଅପରେସନ ଆରମ୍ଭ କରିଛନ୍ତି। ସନ୍ଦିଗ୍ଧ ଆତଙ୍କୀ ପଦଚିହ୍ନ ମଧ୍ୟ ପୁଲିସ ପାଇଛି।

Exit mobile version