ଭୁବନେଶ୍ବର: ଅକ୍ଟୋବର ପ୍ରଥମ ସପ୍ତାହରେ ବଙ୍ଗୋପସାଗରେ ଏକ ଲଘୁଚାପ ସୃଷ୍ଟି ହୋଇପାରେ। ଏହା ବାତ୍ୟାର ରୂପ ବି ନେବା ସମ୍ଭାବନା ରହିଛି ।ଏପରିକି ବାତ୍ୟାଟି ଓଡ଼ିଶାମୁହାଁ ହୋଇପାରେ ବୋଲି କିଛି ମଡେଲର ଆକଳନରୁ ସୂଚନା ମିଳୁଛି। ପଶ୍ଚିମା ବାୟୁ ସହ ଜଡ଼ିତ ବିଷୁବରେଖା ନିକଟସ୍ଥ ତରଙ୍ଗର ଉପସ୍ଥିତି ଯୋଗୁଁ ଚଳିତ ମାସ ଶେଷ ବେଳକୁ ଆଣ୍ଡାମାନ ସାଗର ଓ ପାର୍ଶ୍ୱବର୍ତ୍ତୀ ପୂର୍ବ-କେନ୍ଦ୍ରୀୟ ବଙ୍ଗୋପସାଗର ଅଞ୍ଚଳରେ ଏକ ଘୂର୍ଣ୍ଣିବଳୟ ସୃଷ୍ଟି ହେବାର ସମ୍ଭାବନା ରହିଛି। ଏହା ଧୀରେ ଧୀରେ ଅଧିକ ଘନୀଭୂତ ହୋଇ ଅକ୍ଟୋବର ୨ରୁ ୩ ତାରିଖ ଆଡ଼କୁ ଏକ ସାମୁଦ୍ରିକ ଝଡ଼ ବା ବାତ୍ୟାର ରୂପ ନେଇପାରେ। ଏହା ଓଡ଼ିଶାମୁହାଁ ହେବାର ଅଧିକ ସମ୍ଭାବନା ରହିଥିବା ଆକଳନରୁ ଜଣାପଡ଼ୁଛି।
ଏନ୍ସେପ୍, ଜିଏଫଏସ୍, ଏନକାମ୍ ଓ ୟୁରୋପିଆନ ଆଦି ମଡେଲର ବିଶ୍ଳେଷଣ ଅନୁଯାୟୀ, ସେପ୍ଟେମ୍ବର ମାସ ଶେଷ ବେଳକୁ ପୂର୍ବ-କେନ୍ଦ୍ରୀୟ ବଙ୍ଗୋପସାଗର ପାର୍ଶ୍ୱବର୍ତ୍ତୀ ଆଣ୍ଡାମାନ ସାଗର ଅଞ୍ଚଳରେ ଏକ ଲଘୁଚାପ ସୃଷ୍ଟି ହେବାର ସମ୍ଭାବନା ରହିଛି। ଏହା ପାଖାପାଖି ୨୮ ସେପ୍ଟେମ୍ବର ବେଳକୁ ଏକ ଅବପାତରେ ରୂପ ନେବା ସହ ଏହା ଉତ୍ତର ଆନ୍ଧ୍ରପ୍ରଦେଶ ଓ ଓଡ଼ିଶା ମୁହାଁ ହେବାର ସମ୍ଭାବନା ରହିଛି। ସେହିପରି ଏନ୍ସେପ, ଜିଏଫ୍ଏସ୍ର ତଥ୍ୟ ଅନୁଯାୟୀ ୨୯ ତାରିଖ ବେଳକୁ କେନ୍ଦ୍ରୀୟ ବଙ୍ଗୋପସାଗରରେ ଅବପାତ ସୃଷ୍ଟି ସହ ପରବର୍ତ୍ତୀ ୩ରୁ ୪ ଦିନ ମଧ୍ୟରେ ଏହା ଆହୁରି ଘନୀଭୂତ ହୋଇ ପଶ୍ଚିମ-ଉତ୍ତର-ପଶ୍ଚିମ ଦିଗରେ ଗତି କରି ପଶ୍ଚିମ କେନ୍ଦ୍ରୀୟ ବଙ୍ଗୋପସାଗର ଅଞ୍ଚଳରେ ‘ବାତ୍ୟା’ର ରୂପ ନେବ। ଏହାସହ ବାତ୍ୟାଟି ଓଡ଼ିଶାମୁହାଁ ହେବାର ସମ୍ଭାବନା ରହିଛି।