Site icon ଆଜିକାଲି

ଆଜି ବାଲିଯାତ୍ରା ପଡ଼ିଆରେ ଏୟାର୍‌ ସୋ’ ‘ସୂର୍ଯ୍ୟକିରଣ’

ଭୁବନେଶ୍ବର : ଆଜି ଭୁବନେଶ୍ବରରେ କୌଶଳ ଦେଖାଇବ ବାୟୁସେନାର ଏୟାର୍‌ ସୋ’ ‘ସୂର୍ଯ୍ୟକିରଣ’। ଆଜି ୧୮ରୁ ୨୦ ମିନିଟ୍‌ ଧରି ଚାଲିବାକୁ ଥିବା ଏହି ଏୟାର ସୋ’ରେ ୧୧ଟି ହକ୍ ବିମାନ ସାମିଲ ହେବେ। ବିମାନଗୁଡ଼ିକ ୫ଶହରୁ ୧ହଜାର ଫୁଟ୍ ଉଚ୍ଚରେ ନିଜର କଳାକୌଶଳ ପ୍ରଦର୍ଶନ କରିବେ ବୋଲି ଜଣାଯାଇଛି।

ଏୟାର୍‌ ସୋ’ ପାଇଁ ବାଲିଯାତ୍ରା ପଡ଼ିଆରେ ପ୍ରସ୍ତୁତି ଚୂଡ଼ାନ୍ତ ପର୍ଯ୍ୟାୟରେ ପହଞ୍ଚିଛି। କାର୍ଯ୍ୟକ୍ରମରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଓ ରାଜ୍ୟପାଳ ପ୍ରଫେସର୍‌ ଗଣେଶୀ ଲାଲ ଯୋଗଦେବାର ଥିବାରୁ ଆଇନ ଶୃଙ୍ଖଳା ଓ ଟ୍ରାଫିକ୍‌ ନିୟନ୍ତ୍ରଣ ପାଇଁ କମିସନରେଟ୍‌ ପୁଲିସ୍‌ ପକ୍ଷରୁ ବ୍ୟାପକ ବନ୍ଦୋବସ୍ତ କରାଯାଇଛି। ୪୫ ପ୍ଲାଟୁନ୍ ପୁଲିସ ଫୋର୍ସ ମୁତୟନ ହେବେ ବୋଲି ଡିସିପି ପ୍ରତୀକ ସିଂଙ୍କ ସୂଚନା ଦେଇଛନ୍ତି। ଏହାବ୍ୟତୀତ ଓଡ୍ରାଫ୍ ଟିମ୍‌କୁ ମଧ୍ୟ ସଜାଗ ରଖାଯିବ ବୋଲି ସେ କହିଛନ୍ତି। ସାଧାରଣ ଲୋକ ଯେପରି ସୁରୁଖୁରୁରେ ଏହି ସୋ’କୁ ଉପଭୋଗ କରିପାରିବେ, ସେଥିପାଇଁ ପ୍ରଶାସନ ପକ୍ଷରୁ ସବୁପ୍ରକାର ବ୍ୟବସ୍ଥା କରାଯାଇଛି। ଗାଡ଼ି ରଖିବା ପାଇଁ ପାର୍କିଂ ବ୍ୟବସ୍ଥାଠାରୁ ଆରମ୍ଭ କରି ପାନୀୟ ଜଳ, ଆପତ୍‌କାଳୀନ ସ୍ଥିତି ପାଇଁ ଆମ୍ବୁଲାନ୍ସ ସେବା ଓ ଅଗ୍ନିଶମ ବ୍ୟବସ୍ଥା ମୁତୟନ କରାଯାଇଛି।

ଏଥିନିମନ୍ତେ ଗୁରୁବାର ବାଲିଯାତ୍ରା ପଡ଼ିଆଠାରେ ଏହାର ରିହର୍ସାଲ ହୋଇଥିଲା। ଗତ ବୁଧବାର ବାୟୁସେନାର ୨ଟି ବିମାନ ରିହର୍ସାଲ କରିଥିବା ବେଳେ ଗୁରୁବାର ଅଭ୍ୟାସରେ ୯ଟି ବିମାନ ସାମିଲ ହୋଇଥିଲେ। ଗୁରୁବାରର ଏହି ଅଭ୍ୟାସ କାର୍ଯ୍ୟକ୍ରମରେ ଲିଟ୍ୟୁନାଣ୍ଟ ମିହିର ରଞ୍ଜନ ଏହି ହକ୍‌ ବିମାନ ଓ ସୋ’ର କୌଶଳ ସଂପର୍କରେ ସୂଚନା ଦେଇଥିଲେ। ଓଡ଼ିଶାର ପ୍ରତିଟି ଯୁବପିଢ଼ିକୁ ବାୟୁସେନା ପ୍ରତି ଉତ୍ସାହିତ କରିବା ଏହି ସୋ’ର ମୁଖ୍ୟ ଉଦ୍ଦେଶ୍ୟ ବୋଲି ସେ କହିଥିଲେ। ସୁରକ୍ଷା ଦୃଷ୍ଟିରୁ ଏହି ସୋ’କୁ ନଦୀପଠାରେ କରାଯାଇଛି। ସୋ’ରେ ସୁଇସାଇଡାଲ୍ କ୍ରସ୍, ଭର୍ଟିକାଲ୍ ଚାର୍ଲି, ଆରୋହାଇଡ୍ ଫର୍ମିସନ୍, ବମ୍ବ୍ରଷ୍ଟ, ଇନୋଭେଟେଡ୍ ଫ୍ଲାଇଙ୍ଗ୍ ପ୍ରମୁଖ ସୋ’ ପ୍ରଦର୍ଶିତ ହେବ।

Exit mobile version