Site icon ଆଜିକାଲି

ଗଞ୍ଜାମ ଜିଲ୍ଲାର ସମସ୍ତ ୩୬ଟି ଥାନାରେ ଶୁଭିଲା ବନ୍ଦେ ଉତ୍କଳ ଜନନୀ

ବ୍ରହ୍ମପୁର: ଗଞ୍ଜାମ ଜିଲ୍ଲାର ସମସ୍ତ ୩୬ଟି ଥାନା ଆଗରେ ଆଜି ସମବେତ ହୋଇଥିଲେ ପୋଲିସ ଅଧିକାରୀ ଓ କର୍ମଚାରୀ। ୟୁନିଫର୍ମ ପିନ୍ଧି ସମସ୍ତେ ସୁସଜ୍ଜିତ ହୋଇଥିଲେ। ଥାନା ପରିସର ମଧ୍ୟ ବେଶ୍ ସ୍ବଚ୍ଛ ଓ ସୁନ୍ଦର ଥିଲା। ଆଉ ଠିକ୍ ପୂର୍ବାହ୍ନ ୧୧ଟାରେ ସମସ୍ତେ ସାମୂହିକ ଭାବେ ବନ୍ଦେ ଉତ୍କଳ ଜନନୀ ଗାନ କରିଥିଲେ। ଆମ ରାଜ୍ୟର ଏହି ରାଷ୍ଟ୍ରୀୟ ଗାନକୁ ଏକ ସ୍ବରରେ ସମସ୍ତେ ଗାଇବା ବେଳେ ମନ ଉତଫୁଲ୍ଲିତ ଓ ହୃଦୟ ଉଲ୍ଲସିତ ଥିଲା। ଏକାଠି ବନ୍ଦେ ଉତ୍କଳ ଜନନୀ ଗାନ ଥାନା ପରିସରରେ ସୃଷ୍ଟି କରିଥିଲା ଏକ ଭାବ ବିହ୍ୱଳ ପରିବେଶ।

ରାଜ୍ୟ ସରକାରଙ୍କ ନିର୍ଦ୍ଦେଶକ୍ରମେ ତଥା ବ୍ରହ୍ମପୁର ରେଞ୍ଜ୍ ପୋଲିସ ଆଇଜି ଜୟନାରାୟଣ ପଙ୍କଜ, ଗଞ୍ଜାମ ପୋଲିସ ଜିଲ୍ଲା ଏସପି ଜଗମୋହନ ମୀନା ଓ ବ୍ରହ୍ମପୁର ପୋଲିସ ଏସପି ଡା ସର୍ବଣା ବିବେକ ଏମ୍ ଙ୍କ ତତ୍ତ୍ଵାବଧାନରେ ଏହି କାର୍ଯ୍ୟକ୍ରମ ଆଡମ୍ବର ସହକାରେ ଆୟୋଜିତ ହୋଇଥିଲା। ବିଶ୍ବ ଓଡ଼ିଆ ଭାଷା ସମ୍ମିଳନୀ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଦ୍ବାରା ଉଦଘାଟନ ହେବାର ଶୁଭ ଅବସରରେ ସବୁଠି, ସମସ୍ତେ ସମବେତ ସ୍ବରରେ ଗାଇଥିଲେ ଉତ୍କଳୀୟ ମାଟିର ରାଷ୍ଟ୍ରଗାନ। ଥାନାଧିକାରୀ, କନଷ୍ଟେବଳ, ହାବିଲଦାର, ଗୃହରକ୍ଷୀ ସମସ୍ତେ ଏଥିରେ ସାମିଲ ହୋଇଥିଲେ। ଥାନା ସମେତ ପୋଲିସ ଜିଲ୍ଲା ମୁଖ୍ୟାଳୟ, ଏସପି ଅଫିସ୍, ଏସଡିପିଓ ତଥା ଅନ୍ୟାନ୍ୟ ପୋଲିସ କାର୍ଯ୍ୟାଳୟରେ ଏହିପରି କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି। ବରିଷ୍ଠ ପୋଲିସ ଅଧିକାରୀମାନେ ଉପସ୍ଥିତ ରହି ଜାତିପ୍ରେମ, ଜାତୀୟବାଦର ଭାବନାକୁ ମଜବୁତ କରିଥିଲେ।

ଗଞ୍ଜାମ ପୋଲିସ ଜିଲ୍ଲା ଅନ୍ତର୍ଗତ ଆସିକା ଥାନା, ବଡ଼ଗଡ଼, ସୋରଡ଼ା, ତାରାସିଙ୍ଗ, ଭଞ୍ଜନଗର, ଗାଙ୍ଗପୁର, ବୁଗୁଡ଼ା, ଜଗନ୍ନାଥପ୍ରସାଦ, ଧରାକୋଟ, ଶେରଗଡ଼, ହିଞ୍ଜିଳିକାଟୁ, କବିସୂର୍ଯ୍ୟନଗର, କୋଦଳା, ପାଟପୁର, ପୋଲସରା, ପୁରୁଷୋତ୍ତମପୁର, ଖଲ୍ଲିକୋଟ, ରମ୍ଭା, ଗଞ୍ଜାମ, ଛତ୍ରପୁର, ଚମାଖଣ୍ଡି ଥାନା ସମେତ ଛତ୍ରପୁର ଓ ଭଞ୍ଜନଗର ବିଦ୍ୟୁତ ଥାନା, ଆର୍ଜିପଲ୍ଲୀ ସାମୁଦ୍ରିକ ଥାନାରେ ଏହି କାର୍ଯ୍ୟକ୍ରମ ହୋଇଥିଲା। ସେହିପରି ବ୍ରହ୍ମପୁର ପୋଲିସ ଜିଲ୍ଲା ଅନ୍ତର୍ଗତ ବ୍ରହ୍ମପୁର ବୈଦ୍ୟନାଥପୁର ଥାନା, ବଡ଼ବଜାର, ସଦର, ଟାଉନ୍ ଥାନା, ଗୋସାଇଁନୂଆଗାଁ, ଦିଗପହଣ୍ଡି, ଗୋପାଳପୁର, ଗୋଳନ୍ଥରା, କେ.ନୂଆଗାଁ, ଜରଡା, ମହିଳା ଥାନା, ରେଳବାଇ ଥାନାରେ ଏହି କାର୍ଯ୍ୟକ୍ରମ ଆୟୋଜିତ ହୋଇଥିଲା।

Exit mobile version