Site icon ଆଜିକାଲି

ନର୍ସିଂ ହୋମରେ ତ୍ରୁଟିପୂର୍ଣ୍ଣ ଚିକିତ୍ସା ଅଭିଯୋଗ, ଗର୍ଭବତୀଙ୍କ ମୃତ୍ୟୁକୁ ନେଇ ଉତ୍ତେଜନା ଓ ରାସ୍ତାରୋକ

ଯାଜପୁର : ଯାଜପୁରରେ ଘରୋଇ ନର୍ସିଂ ହୋମରେ ତ୍ରୁଟିପୂର୍ଣ୍ଣ ଚିକିତ୍ସାରୁ ଗର୍ଭବତୀଙ୍କ ମୃତ୍ୟୁ ଅଭିଯୋଗରକୁ ନେଇ ଉତ୍ତେଜନା। ମୃତ ଦେହ ରଖି ପରିବାର ଲୋକ କରିଛନ୍ତି ରାସ୍ତାରୋକ । ଅଭିଯୋଗ ଅନୁଯାୟୀ, ଯାଜପୁର ମାନସାପୋଲ ନିକଟରେ ଏକ ନର୍ସିଂ ହୋମରେ ଗତକାଲି ମହିଳାଙ୍କୁ ପ୍ରସବ ପାଇଁ ଭର୍ତ୍ତି କରାଯାଇଥିଲା । ଅପରେସନ ପରେ ଅଧିକ ରକ୍ତସ୍ରାବ ହେବା ପରେ ତାଙ୍କୁ ଅନ୍ୟତ୍ର ସ୍ଥାନାନ୍ତରିତ କରିବାକୁ କହିଥିଲେ ନର୍ସିଂହୋମ ଡାକ୍ତର।

ପରିବାରବର୍ଗ ଯାଜପୁର ମୁଖ୍ୟ ଚିକିତ୍ସାଳୟ ଆଣି ଭର୍ତ୍ତି କରିଥିବା ବେଳେ ଡାକ୍ତର ସେଠାରେ ତାଙ୍କୁ ମୃତ୍ୟୁ ଘୋଷଣା କରିଥିଲେ । ମୃତ ମହିଳା ହେଲେ ଯାଜପୁର ଥାନା ପଣସା ପଞ୍ଚାୟତ ବିଜୟ କୁମାର ରାଉତରାୟଙ୍କ ପତ୍ନୀ ସସ୍ମିତା ରାଉତରାୟ । ଏହି ଘଟଣାରେ ଉତ୍ତେଜନା ପ୍ରକାଶ ପାଇଥିବା ବେଳେ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟ ସମ୍ମୁଖରେ ମୃତ ଦେହ ରଖି ରାସ୍ତାରୋକ କରିଛନ୍ତି ମୃତକଙ୍କ ପରିବାର ଲୋକେ।

ଯାଜପୁର ତହସିଲଦାରଙ୍କ ସମେତ ଏସଡିପିଓ, ଥାନା ଅଧିକାରୀ ଘଟଣାସ୍ଥଳରେ ପହଞ୍ଚି ବିକ୍ଷୋଭକାରୀଙ୍କୁ ବୁଝାସୁଝା କରୁଛନ୍ତି। ମୃତକଙ୍କ ପରିବାର ପକ୍ଷରୁ ନର୍ସିଂହୋମ ଵିରୋଧରେ ଯାଜପୁର ଥାନାରେ ମଧ୍ୟ ଲିଖିତ ଅଭିଯୋଗ କରାଯାଇଛି। ଅନ୍ୟପଟେ କ୍ୟାମେରା ସାମ୍ନାରେ ସଂପୃକ୍ତ ନର୍ସିଂହୋମ କର୍ତ୍ତୃପକ୍ଷ ପ୍ରତିକ୍ରିୟା ରଖିନାହାନ୍ତି ।

Exit mobile version