Site icon ଆଜିକାଲି

ଏଣିକି ସବୁ ସ୍କୁଲରେ ସିସି କ୍ୟାମେରା ବାଧ୍ୟତାମୂଳକ


ଭୁବନେଶ୍ୱର : ୨ବର୍ଷ ପରେ ସ୍କୁଲରେ ଶ୍ରେଣୀ ପାଠପଢ଼ା ଆରମ୍ଭ ହୋଇଥିବା ବେଳେ ରାଜ୍ୟର ସମସ୍ତ ସରକାରୀ ସ୍କୁଲରେ ସୁରକ୍ଷା ବ୍ୟବସ୍ଥାକୁ କଡାକଡି କରିବାକୁ ବିଭାଗ ପକ୍ଷରୁ ନିର୍ଦ୍ଧେଶ ଦିଆଯାଇଛି । ପୂର୍ବରୁ ଏନେଇ ଅନେକଥର ନିର୍ଦ୍ଧେଶ ଦିଆଯାଇଥିଲେ ହେଁ ତାହା ଠିକ୍ ଭାବେ କାର୍ଯ୍ୟକାରୀ ହୋଇପାରି ନଥିଲା । ଅର୍ଥର ଅଭାବ ଦର୍ଶାଇ ଅନେକ ସ୍କୁଲ କର୍ତୃପକ୍ଷ ନିୟମକୁ ଅବମାନନା କରୁଥିବା ବେଳେ ଆଉ କେତେକ ସ୍କୁଲରେ ଭିତିଭୂମି ନଥିବା ଦର୍ଶାଇ ତାହାକୁ କାର୍ଯ୍ୟକାରୀ କରାଯାଇ ନାହିଁ । ଏଣିକି ପିଲାଙ୍କୁ ଜଗିବା ଲାଗି ସବୁ ସ୍କୁଲରେ ସିସି କ୍ୟାମେରା ବାଧ୍ୟତାମୂଳକ କରାଯିବ । ଏନେଇ ଯାହା ଖର୍ଚ୍ଚ ହେବ ତାହା ସମଗ୍ର ଶିକ୍ଷା ଯୋଜନାରୁ ବ୍ୟୟ କରାଯିବ । ସ୍କୁଲରେ ସିସି କ୍ୟାମେରା ଲଗାଇବା ନିଷ୍ପତିକୁ ସବୁ ସ୍ତରରେ ସ୍ୱାଗତ କରାଯାଇଛି । ଆସନ୍ତା ୨ମାସ ମଧ୍ୟରେ ଏହି ସୁବିଧା କାର୍ଯ୍ୟକାରୀ କରାଯିବ ବୋଲି ଜଣାପଡ଼ିଛି । ରାଜ୍ୟର ଘରୋଇ ସ୍କୁଲରେ ଯେପରି ସୁରକ୍ଷା ବ୍ୟବସ୍ଥାକୁ ଗରୁତ୍ୱ ଦିଆଯାଉଛି ସେହିଭଳି ସରକାରୀ ସ୍କୁଲରେ ଗୁରୁତ୍ୱ ଦିଆଯିବ । ପିଲାଙ୍କ ଉଜ୍ଜ୍ୱଳ ଭବିଷ୍ୟତ ସାଙ୍ଗକୁ ସେମାନଙ୍କ ସୁରକ୍ଷାକୁ ଗୁରୁତ୍ୱ ଦେବାକୁ ବିଭାଗ ପକ୍ଷରୁ ନିଷ୍ପତିି ହୋଇଛି । ପୂର୍ବରୁ ସୁରକ୍ଷା ଲାଗି ସ୍କୁଲର ଭିତିଭୂମିକୁ ସୁଦୃଢ଼ କରାଯାଇଥିବା ବେଳେ ବର୍ତମାନ ଡିଜିଟାଲ ବ୍ୟବସ୍ଥାକୁ କଡ଼ାକଡ଼ି କରାଯିବ । ଅର୍ଥାତ ସ୍କୁଲରେ ଲାଗିବ ସିସି କ୍ୟାମେରା । ସବୁ ସ୍କୁଲର ମୁଖ୍ୟ ଫାଟକ ପାଖରେ ଗୋଟିଏ ଲେଖାଏଁ ସିସି କ୍ୟାମେରା ଲଗାଇବାକୁ ନିର୍ଦ୍ଧେଶ ଦିଆଯାଇଛି । ପ୍ରତିଦିନ କେତେ ପିଲା ସ୍କୁଲ ଆସୁଛନ୍ତି ଏବଂ କେଉଁ ପିଲା ଅନୁପସ୍ଥିତ ରହୁଛନ୍ତି ତାହା ସ୍ପଷ୍ଟ ଭାବେ ଜଣାପଡ଼ିବ । ରାଜ୍ୟରେ ମୋଟ୍ ୬୭ହଜାର ୮୭୨ଟି ସ୍କୁଲ ରହିଛି । ସେଥିରୁ ୨୧୯୩ଟି ସ୍କୁଲରେ ଗୋଟିଏ ଲେଖାଏଁ ଶ୍ରେଣୀ କକ୍ଷ ଥିବା ବେଳେ ୧୭ହଜାର ୭୨୩ଟି ସ୍କୁଲରେ ୨ଟି, ୯ହଜାର ୮୩ଟି ସ୍କୁଲରେ ୩ଟି, ୬ହଜାର ୫୯୦ଟି ସ୍କୁଲରେ ୪ଟି ଲେଖାଏଁ ଶ୍ରେଣୀ କକ୍ଷ ରହିଛି । ତେବେ ଏହି ସ୍କୁଲ ଗୁଡିକରେ ଗୋଟିଏ ଲେଖାଏଁ ସିସି କ୍ୟାମେରା ବ୍ୟବସ୍ଥା ରହିବ । ସେହିପରି ଯେଉଁ ସ୍କୁଲରେ ପ୍ରଥମରୁ ପଂଚମ ଶ୍ରେଣୀ ପର୍ଯ୍ୟନ୍ତ ୫ଟି ଶ୍ରେଣୀ କକ୍ଷ ରହିଛି ଏବଂ ପ୍ରଥମରୁ ସପ୍ତମ ଶ୍ରେଣୀ ପର୍ଯ୍ୟନ୍ତ ଶ୍ରେଣୀ କକ୍ଷ ଥିବା ସ୍କୁଲରେ ଗୋଟିିଏ ଲେଖାଏଁ ସିସି କ୍ୟାମେରା ଲଗାଇବାକୁ ନିଷ୍ପତି ହୋଇଛି । ପ୍ରଥମରୁ ଅଷ୍ଟମ ଏବଂ ଦଶମଶ୍ରେଣୀ ପର୍ଯ୍ୟନ୍ତ ଶ୍ରେଣୀ କକ୍ଷ ଥିବା ସ୍କୁଲରେ ୨ଟି ଲେଖାଏଁ ସିସି କ୍ୟାମେରା ଲଗାଯିବାର ବ୍ୟବସ୍ଥା କରାଯିବ । ପ୍ରତ୍ୟେକ ମାସର ପ୍ରଥମ ସପ୍ତାହରେ ଗତ ମାସର କ୍ୟାମେରାର ରେକଡିଂ ସ୍କୁଲ ପ୍ରଧାନଶିକ୍ଷକ ବ୍ଲକଶିକ୍ଷା ଅଧିକାରୀଙ୍କୁ ପ୍ରଦାନ କରିବେ । ଫଳରେ ରାଜ୍ୟର ସବୁ ସ୍କୁଲର ଦୈନିକ ରେକଡିଂ ବିଭାଗ ପାଖରେ ରହିବ । ଆବଶ୍ୟକ ସମୟରେ ସେସବୁ ଯାଂଚ କରାଯିବ । ତେବେ ପ୍ରଥମ ପର୍ଯ୍ୟାୟରେ ରାଜ୍ୟର ପ୍ରାଥମିକ ଏବଂ ଉଚପ୍ରାଥମିକ ସ୍କୁଲରେ ସିସି କ୍ୟାମେରା ଲଗାଯିବ । ଏହି ପର୍ଯ୍ୟାୟରେ ପ୍ରଥମ ତାଲିକାରେ ୩୬ ହଜାର ୭୦ଟି ସ୍କୁଲ ଥିବା ବେଳେ ପ୍ରଥମରୁ ୭ମ ଶ୍ରେଣୀ ପର୍ଯ୍ୟନ୍ତ ମିଶିକି ଥିବା ୧୮ହଜାର ୭୧୨ଟି ଏବଂ କେବଳ ୩୩୦୭ଟି ଉଚ୍ଚପ୍ରାଥମିକ ସ୍କୁଲରେ ସିସି କ୍ୟାମେରା ଲଗାଯିବ । ମୋଟ୍ ଉପରେ ୫୮ହଜାର ୮୯ଟି ସ୍କୁଲରେ ପ୍ରଥମ ପର୍ଯ୍ୟାୟରେ ସିସି କ୍ୟାମେରା ବାବଦରେ ଖର୍ଚ୍ଚ ହେବ ୮କୋଟି ୭୧ଲକ୍ଷ ୩୩ ହଜାର ୫ ଶହ ଟଙ୍କା । ଏହି ଟଙ୍କା ସମଗ୍ର ଶିକ୍ଷା ଯୋଜନାରେ ମିଳିଥିବା ଅନୁଦାନରୁ ଖର୍ଚ୍ଚ କରିବାକୁ ନିଷ୍ପତିି ହୋଇଥିବା ଜଣାପଡ଼ିଛି । ଏହାବ୍ୟତୀତ ପରୀକ୍ଷା ସମୟରେ ଏହି ବ୍ୟବସ୍ଥା ବେଶ ସହାୟକ ହେବ ବୋଲି ଆଶା କରାଯାଉଛି । ଯେଉଁ ସ୍କୁଲରେ ଏହି ବ୍ୟବସ୍ଥା ନଥିବା ଜଣାପଡ଼ିବ ସେହି ସ୍କୁଲ ବିରୁଦ୍ଧରେ ବିଭାଗ ପକ୍ଷରୁ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ବୋଲି ବିଭାଗ ପକ୍ଷରୁ ଜଣାପଡ଼ିଛି ।

Exit mobile version