Site icon ଆଜିକାଲି

ଏଣିକି ବିନା ହେଲମେଟ୍‌ରେ ଗାଡ଼ି ଚଳାଉଥିଲେ ପରିବହନ ବିଭାଗ ପଠାଇବ ଇ-ଚାଲାଣ

ଭୁବନେଶ୍ୱର : ବିନା ହେଲମେଟ୍ ରେ ଗାଡ଼ି ଚଲେଇଲେ, ଟ୍ରାଫିକ୍ ନିୟମ ଅବମାନନା କଲେ ଏବେ ଗାଡ଼ି ମାଲିକଙ୍କ ପାଖକୁ ଯିବ ଇ-ଚାଲାଣ । ଆପଣ ଯଦି ଗାଡ଼ି ଚଲଉଛନ୍ତି କିମ୍ବା ଆପଣଙ୍କ ନାଁରେ କୌଣସି ଗାଡ଼ି ଅଛି ତେବେ ସାବଧାନ ହୋଇଯାଆନ୍ତୁ । କାରଣ ଏଣିକି ଯେକୌଣସି ଲୋକ ବି ଆପଣଙ୍କ ନାଁରେ ଅଭିଯୋଗ କରିପାରିବ । ଆପଣ ବିନା ହେଲମେଟରେ ଗାଡ଼ି ଚଳାଉଥିବାର ଫଟୋ ଉଠାଇ ଅବା ଭିଡିଓ କ୍ଲିପ କରି ପରିବହନ ବିଭାଗର ମୋବାଇଲ ଆପ୍‌ରେ ଅଭିଯୋଗ କରାଯାଇପାରିବ। ଏହା ପରେ ରାଜ୍ୟ ପରିବହନ ପ୍ରାଧିକରଣ ତା’ର ସତ୍ୟାସତ୍ୟ ଯାଂଚ କରି ସମ୍ପୃକ୍ତ ଗାଡ଼ି ଚାଳକଙ୍କ ନିକଟକୁ ଇ-ଚାଲାଣ ପଠାଇବ । ରାଜ୍ୟ ପରିବହନ ପ୍ରାଧିକରଣ ପକ୍ଷରୁ ଏ ସମ୍ପର୍କରେ ସୂଚନା ଦିଆଯାଇଛି ।

ସୂଚନା ଅନୁସାରେ ଟ୍ରାଫିକ ନିୟମ ଉଲ୍ଲଘଂନ କରୁଥିବା ଗାଡ଼ି ଚାଳକଙ୍କ ଉପରେ ନଜର ରଖିବାକୁ ରାଜ୍ୟ ପରିବହନ ପ୍ରାଧିକରଣ ପକ୍ଷରୁ ନେକ୍ସଟ ଜେନ୍ ଏମପରିବହନ ଆପ୍ଲିକେସନରେ ‘ସିଟିଜେନ ସେଣ୍ଟିନେଲ’ ନାମକ ବିକଳ୍ପ ରଖାଯାଇଛି । ଏହି ଆପ୍‌କୁ ନ୍ୟାସନାଲ ଇନଫରମେଟିକ୍ସ ସେଂଟର(ଏନଆଇସି) ବିକଶିତ କରିଛି । ଏହି ଆପ୍ ମାଧ୍ୟମରେ ସତର୍କ ନାଗରି ରାସ୍ତାରେ ହେଲମେଟ୍ ପିନ୍ଧି ନଥିବା ଗାଡ଼ି ଚାଳକଙ୍କ ଫଟୋ ଅବା ଭିଡିଓକୁ ଅପଲୋଡ୍ କରିପାରିବେ । ଯେଉଁ ମାନେ ଏହି ଫୋଟୋ ବା ଭିଡିଓ ପଠାଇବେ ତାଙ୍କର ନା ସମ୍ପୂର୍ଣ୍ଣ ଗୁପ୍ତ ରହିବ । ସଡ଼କ ନିରାପତ୍ତା ସମସ୍ତଙ୍କ ଦାୟିତ୍ୱ ଓ ବିନା ହେଲମେଟରେ ଗାଡ଼ି ଚଳାଚଳ କରୁଥିବା ବ୍ୟକ୍ତିମାନଙ୍କ ଉପରେ ନଜର ରଖିବା ପାଇଁ ପରିବହନ ବିଭାଗ ପକ୍ଷରୁ ସାଧାରଣ ଲୋକଙ୍କ ସହଯୋଗ ଲୋଡ଼ାଯାଇଛି । ଏପରିକି ଗ୍ରାମାଞ୍ଚଳରେ ଓ ରାଜପଥଗୁଡ଼ିକରେ ଗାଡ଼ିଚାଳକମାନେ ଏବେବି ଅଧିକାଂଶ ସଂଖ୍ୟାରେ ହେଲମେଟ୍ ନପିନ୍ଧି ଗାଡ଼ି ଚଳାଉଥିବାର ଦେଖିବାକୁ ମିଳିଛି । ତେଣୁ ସେମାନଙ୍କ ଉପରେ ନଜର ରଖିବା ପାଇଁ ସାଧାରଣ ଲୋକ ଅର୍ଥାତ୍ ସତର୍କ ନାଗରିକଙ୍କ ସହଯୋଗ ଲୋଡ଼ାଯାଇଛି ।

Exit mobile version